ନୂଆଦିଲ୍ଲୀ: ଦ୍ବିତୀୟ ଲହରୀରେ ତାଣ୍ଡବ ରଚିବା ପରେ ଏବେ ଧିରେ ଧିରେ ଶାନ୍ତ ପଡୁଛି କୋରୋନା । କମୁଛି ସଂକ୍ରମଣ ଆଉ ବଢୁଛି ସୁସ୍ଥ ହାର ।
ସ୍ବାସ୍ଥ୍ୟ ମନ୍ତ୍ରଣାଳୟର ୟୁଗ୍ମ ସଚିବ ଲଭ ଅଗ୍ରୱାଲ ଶୁକ୍ରବାର କହିଛନ୍ତି ଯେ ମେ 3ରୁ କୋରୋନା ସୁସ୍ଥ ହାରରେ ବୃଦ୍ଧି ପରିଲକ୍ଷିତ ହେଉଛି । ଏବେ ଦେଶରେ କୋରୋନା ସୁସ୍ଥହାର 96 ପ୍ରତିଶତ ରହିଛି । ଅନ୍ୟପକ୍ଷେ ସକ୍ରିୟ ମାମଲା ମଧ୍ୟ ହ୍ରାସ ପାଉଥିବା କହିଛନ୍ତି ଅଗ୍ରୱାଲ ।
ସ୍ବାସ୍ଥ୍ୟ ମନ୍ତ୍ରଣାଳୟର କହିବାନୁଯାୟୀ, 11 ଜୁନରୁ 17 ଜୁନ ମଧ୍ୟରେ 513 ଜିଲ୍ଲାରେ ମୋଟ ପଜିଟିଭ ମାମଲା 5 ପ୍ରତିଶତରୁ କମ ଥିଲା । ଗତ 24 ଘଣ୍ଟାରେ ଦେଶରେ 62 ହଜାର 480 ମାମଲା ସାମ୍ନାକୁ ଆସିଛି । ସେହିପରି ଗତ 11 ଦିନରେ 1 ଲକ୍ଷରୁ କମ ମାମଲା ରିପୋର୍ଟ ହୋଇଛି । କୋରୋନା ମାମଲାରେ ପିକ୍ 85 ପ୍ରତିଶତ କମ ଦେଖିବାକୁ ମିଳିଛି ।
ଅନ୍ୟପକ୍ଷେ ନୀତି ଆୟୋଗ ସଦସ୍ୟ ଡାକ୍ତର ଭିକେ ପାଲ କହିଛନ୍ତି, ଅଧ୍ୟୟନରୁ ଜଣାପଡିଛି ଯେ ଟିକା ନେଇଥିବା ଲୋକଙ୍କ ଠାରେ ହସ୍ପିଟାଲରେ ଭର୍ତ୍ତି ହେବାର ଆଶଙ୍କା 75ରୁ 80 ପ୍ରତିଶତ କମିଛି ।