ଭୁବନେଶ୍ବର: ଓଡ଼ିଶାର ଶୃଙ୍ଖଳିତ ଆର୍ଥିକ ପରିଚାଳନା ସାରା ଦେଶରେ ଉଦାହରଣ ସୃଷ୍ଟି କରିଛି । ଭାରତୀୟ ରିଜର୍ଭ ବ୍ୟାଙ୍କ ପକ୍ଷରୁ ପ୍ରକାଶ ପାଇଥିବା ସଦ୍ୟତମ ରିପୋର୍ଟରୁ ଏହି ସୂଚନା ମିଳିଛି । ଆର୍ଥିକ ପରିଚାଳନା, ଋଣ ହାର, ଅଣ ଟିକସ ରାଜସ୍ବ ଆଦାୟରେ ଓଡ଼ିଶା ଦେଶର ବଡ଼ବଡ଼ ରାଜ୍ୟକୁ ପଛରେ ପକାଇଛି । ଏ କ୍ଷେତ୍ରରେ ଶୀର୍ଷ ସ୍ଥାନ ଅଧିକାର କରିଛି ଓଡିଶା । ଯାହାକୁ ନେଇ ଉତ୍ସାହିତ ଓଡିଶା ସରକାର । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏକ୍ସରେ ପୋଷ୍ଟ କରି ରାଜ୍ୟର ଆର୍ଥିକ ପରିଚାଳନା ନେଇ ସନ୍ତୋଷ ବ୍ୟକ୍ତ କରିଛନ୍ତି ।
ଅଧିକ ପଢନ୍ତୁ- ଗ୍ରାମାଞ୍ଚଳର ଲୋକଙ୍କୁ ଆର୍ଥିକ ମାନ୍ଦାବସ୍ଥାରୁ ଉଦ୍ଧାର ପାଇଁ ପ୍ରୟାସ
ବିଭିନ୍ନ ରାଜ୍ୟର ବଜେଟ ଆକଳନକୁ ନେଇ ଆରବିଆଇ ପକ୍ଷରୁ ପ୍ରକାଶିତ ରିପୋର୍ଟରେ ଓଡ଼ିଶାର ସ୍ଥିତି ପ୍ରଭାବଶାଳୀ ରହିଛି । ବିଶେଷକରି ଓଡ଼ିଶାର ଋଣ ଭାର ଦେଶରେ ସର୍ବନିମ୍ନ ରହିଛି । ନିଜସ୍ବ ଅଣଟିକସ ରାଜସ୍ବ ସଂଗ୍ରହରେ ମଧ୍ୟ ଓଡ଼ିଶା ଦେଶର ବହୁ ବଡ଼ ବଡ଼ ରାଜ୍ୟକୁ ପଛରେ ପକାଇ ଶୀର୍ଷ ସ୍ଥାନ ଅଧିକାର କରିଛି । ଓଡ଼ିଶାର ଋଣଭାର ଚଳିତ ଆର୍ଥିକ ବର୍ଷ ଶେଷ ସୁଦ୍ଧା ସାମଗ୍ରିକ ରାଜ୍ୟ ଘରୋଇ ଉତ୍ପାଦ ବା ଜିଏସଡିପି ମାତ୍ର ୧୩.୯ ପ୍ରତିଶତ ରହିବ ବୋଲି ରିପୋର୍ଟରେ ଉଲ୍ଲେଖ ରହିଛି । ଯାହାକି ଦେଶରେ ସର୍ବନିମ୍ନ । ଏହା ସହ ଏଫଆରବିଏମ ଅଧିନିୟମ ୨୦୦୫ ଅନୁଯାୟୀ ପୋଷଣୀୟ ବର୍ଗରେ ରହିଛି ଓଡିଶା । କିଛିଦିନ ତାଳରେ ଦେଶବ୍ୟାପୀ ସମସ୍ତ ରାଜ୍ୟର ବଜେଟକୁ ନେଇ ପ୍ରସ୍ତୁତ ଏକ ରିପୋର୍ଟରେ ଓଡ଼ିଶା ସାରା ଦେଶରେ ସର୍ବାଧିକ ରାଜସ୍ବ ବଳକା ରାଜ୍ୟ ହୋଇଥିଲା ।
ଓଡିଶାରେ ନିଜସ୍ବ ଟିକସ ରାଜସ୍ବ ସଂଗ୍ରହ, ଖଣି ରାଜସ୍ବ, ଅବକାରୀ ରାଜସ୍ବ ସଂଗ୍ରହରେ ଅଭିବୃଦ୍ଧି ହୋଇଛି । ଶୃଙ୍ଖଳିତ ଆର୍ଥିକ ପରିଚାଳନା ଯୋଗୁଁ ଆଜି ଓଡ଼ିଶାକୁ ଏକ ନୂଆ ପରିଚୟ ମିଳିଛି ବୋଲି କୁହାଯାଉଛି । ସ୍ଥିର ଆର୍ଥିକ ସ୍ଥିତି କାରଣରୁ ଓଡ଼ିଶା ସରକାର ଏକାଧିକ ଜନମଙ୍ଗଳକାରୀ ଯୋଜନା ପ୍ରଣୟନ କରିପାରୁଛନ୍ତି । କ୍ରମାଗତ ୨ ବର୍ଷ ଧରି ଓଡିଶା ଖୋଲା ବଜାରରୁ ଋଣ କରିନାହିଁ । କେବଳ ଋଣ ପରିଚାଳନା ନୁହେଁ ବରଂ ରାଜସ୍ବ ଆଦାୟରେ ୫ଟି ଉପକ୍ରମର ଅନୁପାଳନ ରାଜ୍ୟକୁ ବେଶ ସମୃଦ୍ଧ କରିଛି ।
୨୦୨୦-୨୧ରୁ ୨୦୨୨-୨୩ ମଧ୍ୟରେ ଓଡ଼ିଶାର ନିଜସ୍ବ ଅଣଟିକସ ରାଜସ୍ବ ଆଦାୟ ଦେଶରେ ସର୍ବାଧିକ ରହିଛି । ରାଜ୍ୟରେ ଏହା ମୋଟ ରାଜସ୍ବ ଆଦାୟର ପ୍ରାୟ ୨୭.୮ ପ୍ରତିଶତ । ଏହି ଅବଧିରେ ଆନ୍ଧ୍ର ପ୍ରଦେଶର ଅଣଟିକସ ରାଜସ୍ବ ପରିମାଣ ମୋଟ ରାଜସ୍ବ ଆଦାୟର ମାତ୍ର ୪% । ସେହିପରି ବିହାରରେ ୩.୫%, ଗୁଜୁରାଟରେ ୮.୮%, କର୍ଣ୍ଣାଟକରେ ୫.୬% ପ୍ରତିଶତ ରହିଛି ।
ଅଧିକ ପଢନ୍ତୁ- Repo Rate Unchanged: ରେପୋ ରେଟ ୬.୫% ଅପରିବର୍ତ୍ତିତ ରଖିଲା ଆରବିଆଇ
ଗତ ୨୦୦୩-୦୪ରୁ ୨୦୦୮-୦୯ ଏବଂ ୨୦୦୯-୧୦ରୁ ୨୦୧୯-୨୦ ମୋଟ ଦୁଇଟି ଅବଧିରେ ମଧ୍ୟ ଓଡ଼ିଶା ଅଣଟିକସ ରାଜସ୍ବ ଆଦାୟରେ ପ୍ରଭାବଶାଳୀ ଅଭିବୃଦ୍ଧି ହାସଲ କରିଥିଲା । ୨୦୦୩-୦୪ରୁ ୨୦୦୮-୦୯ ଯାଏଁ ରାଜ୍ୟରେ ଅଣଟିକସ ରାଜସ୍ବର ପରିମାଣ ମୋଟ ରାଜସ୍ବର ୧୨.୨ % ଥିବାବେଳେ ୨୦୦୯-୧୦ରୁ ୨୦୧୯-୨୦ ଅବଧି ମଧ୍ୟରେ ଏହା ୧୪ % କୁ ବୃଦ୍ଧି ପାଇଥିଲା । ସେହିପରି ଚଳିତ ଆର୍ଥିକ ବର୍ଷ ଶେଷ ସୁଦ୍ଧା ଓଡ଼ିଶାର ଋଣଭାର ଜିଏସଡିପିର ମାତ୍ର ୧୩.୯ ପ୍ରତିଶତ ରହିବ । ସମାନ ସମୟରେ ପଞ୍ଜାବରେ ଏହା ସର୍ବାଧିକ ୪୭.୬, ହିମାଚଳ ପ୍ରଦେଶରେ ୪୪.୨, ପଶ୍ଚିମବଙ୍ଗରେ ୩୮.୩, ବିହାରରେ ୩୭, ରାଜସ୍ଥାନରେ ୩୫.୭ ଓ ଆନ୍ଧ୍ରପ୍ରଦେଶରେ ୩୩.୫ ପ୍ରତିଶତ ରହିବ । ଏଫଆରବିଏମ ଅଧିନିୟମ ଅନୁଯାୟୀ ରାଜ୍ୟର ଋଣଭାର ଜିଏସଡିପିର ୨୫ ପ୍ରତିଶତ ଏବଂ ସୁଧ ଦେୟ ଏବଂ ରାଜସ୍ୱ ଆୟର ଅନୁପାତ ୧୫ ପ୍ରତିଶତ ମଧ୍ୟରେ ରହିବା ଆବଶ୍ୟକ । ଆରବିଆଇର ରିପୋର୍ଟ ଆସନ୍ତା ମାର୍ଚ୍ଚ ସୁଦ୍ଧା ସୁଦ୍ଧା ରାଜ୍ୟର ଋଣ ଭାର ରାଜ୍ୟ ସକଳ ଘରୋଇ ଉତ୍ପାଦର ଅନୁପାତ ବା ଜିଏସଡିପିର ୧୩.୯ ପ୍ରତିଶତ ରହିବ ବୋଲି ଜଣାପଡିଛି ।
ଏନେଇ ପୂର୍ବତନ ଅର୍ଥମନ୍ତ୍ରୀ ଶଶୀଭୂଷଣ ବେହେରା କହିଛନ୍ତି ଯେ, ଅର୍ଥର ସୁପରିଚାଳନା ଓଡିଶା ସଫଳତାର ମୂଳମନ୍ତ୍ର । ଋଣଦେୟରେ ଭାରତବର୍ଷର ବହୁ ସମ୍ପର୍ଣ୍ଣ ରାଜ୍ୟ ସହ ତୁଳନା କଲେ ଓଡିଶା କମରେ ଅଛି । ଆମ ଆର୍ଥିକ ପରିଚାଳନା ଶୃଙ୍ଖଳିତ ଅଛି । ଯାହା ଫଳରେ ପଞ୍ଜାବ, ପଶ୍ଚିମବଙ୍ଗ, ତାମିଲନାଡୁ, କେରଳ, ଅରୁଣାଚଳ ପ୍ରଭୃତି ରାଜ୍ୟ ତୁଳନାରେ ଓଡିଶା ଭଲ ପ୍ରଦର୍ଶନ କରୁଛି । ଓଡିଶା ୨୦୨୩ ବଜେଟରେ ୧୬ ପ୍ରତିଶତ ବକେୟା ଦେୟ ସ୍ଥିର ରଖିଛି । ୫ଟି ଆଧାରରେ ବିଗତ ବର୍ଷ ମାନଙ୍କରେ ଓଡ଼ିଶାରେ ହୋଇଥିବା ଆର୍ଥିକ ପରିଚାଳନା ହୋଇଛି, ତାହାର ସୁଫଳତା ଏବେ ଆମକୁ ମିଳୁଛି । ପ୍ରଶାସନିକ ଦକ୍ଷତା ବୃଦ୍ଧି ସହ ଅର୍ଥ ବିଭାଗର ଦକ୍ଷତା ଏହାକୁ ପ୍ରମାଣିତ କରୁଛି । ସେଥିପାଇଁ ଆମେ ବାରମ୍ବାର ବଳକା ବଜେଟ ଆମେ କରିପାରିଛୁ । ଏଫଆରବିଏମ ଅଧିନିୟମ ୨୦୦୫ ଅନୁଯାୟୀ ଆମେ ଋଣ ରଖିଛୁ । ଏହା କିଛି କମ ଗୌରବର କଥା ନୁହେଁ । ଓଡିଶାର ସଫଳ ଆର୍ଥିକ ପରିଚାଳନା ପାଇଁ ସମ୍ଭବ ହୋଇଛି ।
ସେହିପରି ବରିଷ୍ଠ ବିଧାୟକ ଅମର ଶତପଥୀ କହିଛନ୍ତି ଯେ, କ୍ରମାଗତ ଭାବେ ଓଡ଼ିଶାରେ ବିର୍ତ୍ତୀୟ ପରିଚାଳନା ସଫଳ ହୋଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ ଓଡିଶାରେ ହେଉଥିବା ଆର୍ଥିକ ପରିଚାଳନା ଅନ୍ୟ ରାଜ୍ୟଙ୍କ ରୋଲ ମଡେଲ ହୋଇପାରିଛି । ଏଫଆରବିଏମ ଅଧିନିୟମ ଆସିବା ପରେ ଓଡିଶା ଏହାକୁ ପ୍ରଥମେ ଗ୍ରହଣ କଲା । ବିତ୍ତୀୟ ଶୃଙ୍ଖଳା ଆଣିବା ପାଇଁ ଅନେକ କାର୍ଯ୍ୟକ୍ରମ ହେଲା । ଆମର ଅଧିକ ଅଣଟିକସ ବଢିଛି । ସାଧାରଣ ଲୋକଙ୍କ ଉପରେ ଟିକସ ଭାର ବଢୁନାହିଁ । ଅଣଟିକସ ବୃଦ୍ଧି ଫଳରେ ଅନେକ ଉନ୍ନୟନ କାମ ସମ୍ଭବ ହେଉଛି ।
ଇଟିଭି ଭାରତ, ଭୁବନେଶ୍ବର