ଚେନ୍ନାଇ: ତାମିଲନାଡୁ ବିଧାନସଭା ନିର୍ବାଚନ ପୂର୍ବରୁ ଥଲାଇଭାଙ୍କ ପ୍ରଶଂସକ ସକ୍ରିୟ ହୋଇଛନ୍ତି । ଅଭିନେତା ରଜନୀକାନ୍ତଙ୍କୁ ରାଜନୀତିରେ ପ୍ରବେଶ କରିବାକୁ ଫ୍ୟାନ୍ସ ଦାବି କରୁଛନ୍ତି । ଏନେଇ ରଜନୀକାନ୍ତଙ୍କ ସମର୍ଥକମାନେ ଚେନ୍ନାଇରେ ପ୍ରଦର୍ଶନ କରିଛନ୍ତି । ପ୍ରକାଶଥାଉକି, ଅଭିନେତା ରଜନୀକାନ୍ତ ଡିସେମ୍ବର ମାସରେ ତାଙ୍କ ସ୍ବାସ୍ଥ୍ୟଗତ କାରଣ ଦର୍ଶାଇ ରାଜନୀତି ପ୍ରବେଶକୁ ମନା କରିଦେଇଥିଲେ । ରଜନୀକାନ୍ତଙ୍କ ନିଷ୍ପତ୍ତିରେ ତାଙ୍କ ସମର୍ଥକମାନେ ନିରାଶ ହୋଇଥିଲେ। ବର୍ତ୍ତମାନ ରଜନୀକାନ୍ତଙ୍କ ସମର୍ଥକମାନେ ଚେନ୍ନାଇର ଭାଲୁଭାର୍କୋଟାମରେ ପ୍ରଦର୍ଶନ କରୁଛନ୍ତି ଏବଂ ରଜନୀକାନ୍ତଙ୍କୁ ରାଜନୀତିରେ ପ୍ରବେଶ କରିବାକୁ ଦାବି କରୁଛନ୍ତି।
ଡିସେମ୍ବର 2017 ରେ ରଜନୀକାନ୍ତ ଘୋଷଣା କରିଥିଲେ ଯେ ସେ ରାଜନୀତିରେ ପ୍ରବେଶ କରିବେ କିନ୍ତୁ ଏହା ପରେ ସେ ଚଳଚ୍ଚିତ୍ରରେ ବ୍ୟସ୍ତ ହୋଇପଡିଲେ। ପରେ ଗତ ବର୍ଷ ମାର୍ଚ୍ଚରେ ରଜନୀକାନ୍ତ କହିଥିଲେ ଯେ ସେ ମୁଖ୍ୟମନ୍ତ୍ରୀ ହେବାକୁ ଚାହୁଁନାହାଁନ୍ତି କିନ୍ତୁ ପାର୍ଟି ଆରମ୍ଭ କରିବାକୁ ଚାହୁଁଛନ୍ତି। ରଜନୀକାନ୍ତ ପୁଣି ଡିସେମ୍ବର 3ରେ କହିଥିଲେ ଯେ ସେ 2021ରେ ରାଜନୈତିକ ଦଳ ଲଞ୍ଚ୍ କରିବେ ।
ପ୍ରକାଶ ଥାଉକି, ହାଇଦ୍ରାବାଦରେ ‘ଆନ୍ନାଥୀ’ ଚଳଚ୍ଚିତ୍ରର ସୁଟିଂ କରୁଥିବାବେଳେ ତାଙ୍କର 4 ଜଣ କ୍ର୍ୟୁ ସଦସ୍ୟ କୋରୋନା ପଜିଟିଭ୍ ହୋଇଥିଲେ । ଏହାପରେ ତାଙ୍କୁ ଫିଲ୍ମର ସୁଟିଂ ବନ୍ଦ କରିବାକୁ ପଡିଲା । ପରେ ରଜନୀକାନ୍ତଙ୍କ ରକ୍ତଚାପ ସମସ୍ୟା ହେତୁ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରିବାକୁ ପଡିଥିଲା । ରଜନୀ ସୁସ୍ଥ ହେବା ପରେ ଆଉ ଏକ ବିବୃତ୍ତି ଜାରି କରି ରାଜନୀତିରେ ପ୍ରବେଶକୁ ମନା କରିଦେଇଛନ୍ତି । ରଜନୀକାନ୍ତଙ୍କ ଫ୍ୟାନ୍ କ୍ଲବ୍ ‘ରଜନୀ ମକ୍କଲ ମନ୍ଦ୍ରମ୍’ ର ସଦସ୍ୟମାନେ ଆଶା କରିଥିଲେ ଯେ ରାଜନୈତିକ ଦଳ ଆରମ୍ଭ ହେବା ପରେ ସେମାନଙ୍କ ପାଇଁ ରାଜନୀତିରେ ସୁଯୋଗ ପାଇଁ ବାଟ ଫିଟିବ ।