ଗାନ୍ଧୀନଗର: ଗୁଜୁରାଟ ବିଧାନସଭା ନିର୍ବାଚନକୁ ନେଇ ରାଜନୀତି ସରଗରମ ରହିଛି । ଏହାରି ଭିତରେ ନିର୍ବାଚନ ପୂର୍ବରୁ ସୁରଟରେ ଏକ କାର୍ ମଧ୍ୟରୁ ୭୫ ଲକ୍ଷ ଜବତ ଘଟଣା ଓ ସେହି ଗାଡିରୁ ରାହୁଲ ଗାନ୍ଧୀଙ୍କ ଏକ କାର୍ଯ୍ୟକ୍ରମର ଭିଆଇପି ପାର୍କିଂ ଟିକେଟ୍ ମିଳିବା ରାଜନୈତିକ ଉଷ୍ଣତା ବଢାଇଛି । ଗୋଟିଏ ପଟେ ଏହି ଟଙ୍କା ସେମାନଙ୍କର ନୁହେଁ ବୋଲି କଂଗ୍ରେସ ଦାବି କରିଛି । ଅନ୍ୟପଟେ ଏହି ଘଟଣାର ସିସିଟିଭି ଫୁଟେଜ ସାମ୍ନାକୁ ଆସିଛି । ଯେଉଁଥିରେ ଜଣେ କଂଗ୍ରେସ ନେତା ପୋଲିସ ହାତରେ ଧରା ନପଡିବା ପାଇଁ ଦୌଡି ପଳାଉଥିବାର ଦାବି କରାଯାଇଛି । ଏହି ଭିଡିଓ ସାମ୍ନାକୁ ଆସିବା ପରେ କଂଗ୍ରେସ ଅଧିକ ପ୍ରତିକ୍ରିୟାଶୀଳ ହୋଇପଡିଛି ।
ଭିଡିଓରେ ନଜର ଆସିଥିବା ବ୍ୟକ୍ତି ଜଣକ କଂଗ୍ରେସ ନେତା ବୋଲି ଦାବି କରାଯାଉଛି । ତାଙ୍କ ନାମ ବିଏମ ସନ୍ଦୀପ ଓ ସେ କଂଗ୍ରେସର ନେତା ବୋଲି କୁହାଯାଉଛି । ଅନ୍ୟପଟେ ଏହି ଟଙ୍କା ଜବତ ମାମଲାରେ ଅଟକ ଥିବା ଅଭିଯୁକ୍ତର ରାଜସ୍ଥାନ କଂଗ୍ରେସ ସହ ସମ୍ପର୍କ ରହିଥିବା ଜଣାପଡିଛି । ତାଙ୍କ ନାମ ଉଦୟ ଗୁରଜାର । ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟଙ୍କ ସହ ଉଦୟଙ୍କ ଅନେକ ଫଟୋ ସୋସିଆଲ ମିଡିଆରେ ସେୟାର ହୋଇଥିବା ଦେଖିବାକୁ ମିଳିଛି । ଏହିସବୁ ଘଟଣାକୁ ବିଜେପିର ଷଡଯନ୍ତ୍ର ବୋଲି କଂଗ୍ରେସ ମୁଖପାତ୍ର ନୈସାଦ ଦେଶାଇ ଅଭିଯୋଗ କରିଛନ୍ତି ଓ ଏଥିରେ କଂଗ୍ରେସର କୌଣସି ଲିଙ୍କ୍ ନଥିବା କହିଛନ୍ତି ।
ଏହାମଧ୍ୟ ପଢନ୍ତୁ: ଯୁବକଙ୍କୁ ଗଣଦୁଷ୍କର୍ମ ଘଟଣା: ସେମିତି କିଛି ମାମଲା ସାମ୍ନାକୁ ଆସିନି କହିଲା ପୋଲିସ
କହିରଖୁଛୁ କି, ନିକଟରେ ରାହୁଲ ଗାନ୍ଧୀ ଗୁଜୁରାଟ ଗସ୍ତ କରିଥିଲେ । ସେତେବେଳେ ଏକ ସଭା ପାଇଁ ସେଠାରେ ସେ ରହିଥିଲେ । ତେଣୁ ସେହି ସମୟରେ ନଗଦ ୭୫ ଲକ୍ଷ ଜବତ ହେବା ଘଟଣାକୁ ନେଇ ପୁଙ୍ଖାନୁପୁଙ୍ଖ ତଦନ୍ତ କରାଯାଉଛି । ଉଲ୍ଲେଖଯୋଗ୍ୟ, ଡିସେମ୍ବର ୧ ଓ ୫ ତାରିଖରେ ଦୁଇଟି ପର୍ଯ୍ୟାୟରେ ଗୁଜୁରାଟ ବିଧାନସଭା ନିର୍ବାଚନ ହେବ । ଡିସେମ୍ବର ୮ରେ ହିମାଚଳ ପ୍ରଦେଶ ସହ ଗୁଜୁରାଟ ନିର୍ବାଚନୀ ଫଳାଫଳ ପ୍ରକାଶ ପାଇବ ।