ନୂଆଦିଲ୍ଲୀ: କୋରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଯାତ୍ରୀଙ୍କ ପାଇଁ କଟକଣା କଡାକଡି କଲା ଭାରତୀୟ ରେଳବାଇ । ଟ୍ରେନ ଯାତ୍ରା ତଥା ରେଲଓ୍ବେ ଷ୍ଟେସନ ମଧ୍ୟରେ ଫେସ ମାସ୍କ ପିନ୍ଧିବା ବାଧ୍ୟତାମୂଳକ କରାଯାଇଛି । ସେହିପରି ମାସ୍କ ନପିନ୍ଧିଥିବା ଯାତ୍ରୀଙ୍କ ଠାରୁ ଫାଇନ ଆଦାୟ କରିବ ରେଳବାଇ । ମାସ୍କ ପିନ୍ଧିବାରେ ଅବହେଲା କରୁଥିବା ଯାତ୍ରୀଙ୍କ ଠାରୁ 500 ଟଙ୍କା ପର୍ଯ୍ୟନ୍ତ ଫାଇନ ଆଦାୟ କରିବା ପାଇଁ ନିଷ୍ପତ୍ତି ହୋଇଛି । ଏହି ନିଷ୍ପତ୍ତି ଆଗାମୀ 6 ମାସ ପର୍ଯ୍ୟନ୍ତ ବଳବତ୍ତର ରହିବା ନେଇ ରେଳବାଇ ପକ୍ଷରୁ ସୂଚନା ମିଳିଛି ।
ରେଳବାଇର କାର୍ଯ୍ୟକାରୀ ନିର୍ଦ୍ଦେଶକ ନିଖିଲ ଶର୍ମା ରେଲଓ୍ବେର ସବୁ ଜୋନ ଜେନେରାଲ ମ୍ୟାନେଜରମାନଙ୍କୁ ଚିଠି ଲେଖି ଅବଗତ କରିଛନ୍ତି । ଶ୍ରୀ ଶର୍ମା କହିଛନ୍ତି କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ଓ ଗୃହ ମନ୍ତ୍ରଣାଳୟ ଦ୍ବାରା ଜାରି କରାଯାଉଥିବା ସ୍ବାସ୍ଥ୍ୟ ସମ୍ପର୍କିତ ଗାଇଡ ଲାଇନକୁ ରେଲଓ୍ବେ ଅନୁପାଳନ କରୁଛି । ତେବେ ବର୍ତ୍ତମାନର ମହାମାରୀ ସ୍ଥିତିକୁ ଦେଖି ଯାତ୍ରୀମାନଙ୍କ ସ୍ବାସ୍ଥ୍ୟର ସୁରକ୍ଷା ଓ ନିରାପତ୍ତା ପ୍ରତି ରେଲଓ୍ବେ ସର୍ବଦା ସମ୍ବେଦନଶୀଳ ରହିଛି । ତେବେ ରେଳଯାତ୍ରା ଓ ଷ୍ଟେସନ ମଧ୍ୟରେ ସାମାଜିକ ଦ୍ବରତା ଓ ଫେସ ମାସ୍କ ବ୍ୟବହାର ଫଳରେ କୋରୋନା ମହାମାରୀକୁ ବ୍ୟାପିବାରୁ ରୋକାଯାଇ ପାରିବ । ଏହି ସବୁ ଦିଗ ପ୍ରତି ରେଳବାଇ ବିଶେଷ ଦୃଷ୍ଟି ଦେଉଛି । ଯାତ୍ରୀମାନଙ୍କ ମଧ୍ୟରେ ସୁରକ୍ଷା ସମ୍ପର୍କିତ ସଚେତନତା ସୃଷ୍ଟି ସହ ଖିଲାପକାରୀଙ୍କ ଠାରୁ ଫାଇନ ଆଦାୟ କରିବାକୁ ସ୍ଥିର କରାଯାଇଥିବା ସେ ସୂଚନା ଦେଇଛନ୍ତି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ