ମୁମ୍ବାଇ: ବନ୍ଦେ ଭାରତ ଟ୍ରେନ ସେବାର ମାର୍ଗ ଏବଂ ସମୟ ସାରଣୀ ଚୂଡ଼ାନ୍ତ ହେବ। ଏନେଇ ଗତ ଶୁକ୍ରବାର କେନ୍ଦ୍ରୀୟ ରେଳ ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ସାମ୍ବାଦିକ ସମ୍ମିଳନୀ ମାଧ୍ୟମରେ ସୂଚନା ଦେଇଛନ୍ତି। ଆସନ୍ତା ଅଗଷ୍ଟ -ସେପ୍ଟେମ୍ବରରୁ ଏହି ସେବାକୁ ଆରମ୍ଭ କରିବା ନେଇ ଆଶା କରାଯାଉଛି। ଏନେଇ କେନ୍ଦ୍ରୀୟ ରେଳ ସେବା ଆଧାରରେ ଥାନେ ଏବଂ ଡିଭା ମଧ୍ୟରେ 5ମ ଓ 6ଷ୍ଠ ରେଳ ଲାଇନ ଆରମ୍ଭ କରାଯାଉଛି।
ରେଳ ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ସାମ୍ବାଦିକ ସମ୍ମିଳନୀ ମାଧ୍ୟମରେ କହିଛନ୍ତି ଦେଶରେ 75ଟି ବନ୍ଦେ ଭାରତ ଟ୍ରେନ ନିର୍ମାଣ କରାଯାଉଛି। ଏଥିସହ କେନ୍ଦ୍ରୀୟ ବଜେଟରେ ଆଉ 400ଟି ଟ୍ରେନ ନିର୍ମାଣ ପାଇଁ ନଷ୍ପତ୍ତି ନିଆଯାଇଛି। ଅଶ୍ବିନୀ ଏହା ମଧ୍ୟ କହିଛନ୍ତି ଯେ, ଟ୍ରେନର ମାର୍ଗ ଏବଂ ସମୟ ସାରଣୀ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଦେଶର ସବୁ ସ୍ଥାନରେ ଏହି ସେବା ଉପଲବ୍ଧ ହେବ। ଏହି ଟ୍ରେନଟି ଚେନ୍ନାଇ ରେଳ କାରଖାନାରେ ନିର୍ମାଣ କରାଯାଉଛି। ଆସନ୍ତା ଆଗଷ୍ଟ-ସେପ୍ଟେମ୍ବରରୁ ଏହାର ସେବା ଆରମ୍ଭ ହେବ।
ମନ୍ତ୍ରୀ ଏହା ମଧ୍ୟ କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପୁରୁଣା ଟ୍ରେନକୁ ନୂତନ ରୋଲିଂ ଷ୍ଟକ ସହିତ ବଦଳାଇବା ନେଇ ଦୃଷ୍ଟିପାତ କରିଛନ୍ତି। 2019 ମସିହାରେ ଆରମ୍ଭ ହୋଇଥିବା ଦୁଇଟି ବନ୍ଦେ ଭାରତ ଟ୍ରେନ ସାରା ବିଶ୍ବରେ ପରିଚିତ ହୋଇପାରିଛି।
ଥାନେ ଓ ଡିଭା ମଧ୍ୟରେ ନିର୍ମାଣ ହେବାକୁ ଥିବା ନୂତନ ଟ୍ରେନ ଲାଇନ ପରିବହନ କ୍ଷେତ୍ରରେ ଏକ ନୂତନ ଅଧ୍ୟାୟ ସୃଷ୍ଟି କରିବ। ଯାହା ଫଳରେ ମୁମ୍ବାଇ, ଥାନେ ଏବଂ କଲ୍ୟାଣରୁ ଏକ ଲକ୍ଷରୁ ଅଧିକ ଲୋକ ସୁବିଧାଜନକ ଭାବେ ଯାତ୍ରା କରି ପାରିବେ ବୋଲି ରେଳ ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ସୂଚନା ଦେଇଛନ୍ତି।