ଭୁବନେଶ୍ବର: ଓଡିଶା ଗସ୍ତରେ ଆସୁଛନ୍ତି କେନ୍ଦ୍ର ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ । ଆସନ୍ତା ୧୬ ତାରିଖରୁ ରେଳମନ୍ତ୍ରୀଙ୍କ ଓଡିଶା ଗସ୍ତ ଆରମ୍ଭ ହେଉଛି । ଓଡିଶାରୁ ରାଜ୍ୟସଭା ସାଂସଦ ହୋଇଥିବା ଅଶ୍ବିନୀ ବୈଷ୍ଣବ, ପ୍ରଧାନମନ୍ତ୍ରୀଙ୍କ ଟିମରେ ସାମିଲ ହେବାପରେ ଏହା ଅଶ୍ବିନୀଙ୍କ ପ୍ରଥମ ଓଡିଶା ଗସ୍ତ ।
ଅଶ୍ବିନୀଙ୍କ ଓଡିଶା ଗସ୍ତ ଅବସରରେ ସ୍ବାଗତ ପାଇଁ ରାଜ୍ୟ ବିଜେପି ପକ୍ଷରୁ ଯୋରଦାର ପ୍ରସ୍ତୁତି ଆରମ୍ଭ ହୋଇଥିବା ଚର୍ଚ୍ଚା ହେଉଛି । ତେବେ ମିଳିଥିବା ପ୍ରାଥମିକ ସୂଚନା ଅନୁସାରେ, ମନ୍ତ୍ରୀ ୩ ଦିନିଆ ଓଡିଶା ଗସ୍ତରେ ଆସୁଛନ୍ତି । ଅଗଷ୍ଟ ୧୬ରେ ନୂଆଦିଲ୍ଲୀରୁ ଭୁବନେଶ୍ବର ଆସିବେ । ସେଠାରୁ ସିଧା ସଳଖ ଶ୍ରୀକ୍ଷେତ୍ର ପୁରୀ ଯାଇ ମହାପ୍ରଭୁଙ୍କୁ ଦର୍ଶନ କରିବେ । ସେଠାରୁ ଭୁବନେଶ୍ବର ଫେରିଆସିବେ ।
ପରେ ରେଳମନ୍ତ୍ରୀ ଭୁବନେଶ୍ବର ଫେରି ହୀରାଖଣ୍ଡ ଏକ୍ସପ୍ରେସ ଯୋଗେ ରାୟଗଡା ଯିବେ । ୧୭ ଓ ୧୮ ତାରିଖରେ ରାୟଗଡା, କୋରାପୁଟ, ନବରଙ୍ଗପୁର, କଳାହାଣ୍ଡି, ବଲାଙ୍ଗୀର, ବରଗଡ ଜିଲ୍ଲାରେ ବିଭିନ୍ନ ରେଳବାଇର କାର୍ଯ୍ୟକ୍ରମ ସମୀକ୍ଷା କରିବେ । ଏହା ସହ ଏକାଧିକ କାର୍ଯ୍ୟକ୍ରମରେ ଯୋଗଦେବେ ।
ସେହିପରି ୧୮ ତାରିଖ ରାତିରେ ବରଗଡରୁ ରାୟପୁର ଅଭିମୁଖେ ଯିବେ ରେଳମନ୍ତ୍ରୀ । ୧୯ ତାରିଖରେ ରାୟପୁରରୁ ଦିଲ୍ଲୀ ଅଭିମୁଖେ ଫେରିଯିବେ । ତେବେ ରେଳମନ୍ତ୍ରୀଙ୍କ ଓଡିଶା ଗସ୍ତ ନେଇ ରେଳ ମନ୍ତ୍ରଣାଳୟ ପକ୍ଷରୁ କିମ୍ବା ପୂର୍ବତଟ ରେଳବାଇ ପକ୍ଷରୁ କୌଣସି ସୂଚନା ଦିଆଯାଇନି । ଏପରିକି ରେଳମନ୍ତ୍ରୀଙ୍କ ଗସ୍ତସୂଚୀରେ କିଛି ପରିବର୍ତ୍ତନ ହୋଇପାରେ ବୋଲି କୁହାଯାଉଛି ।
ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ