ଶ୍ରୀନଗର: ଆଜିଠୁ ଜମ୍ମୁ କାଶ୍ମୀର ଗସ୍ତରେ ବାହାରିବେ କଂଗ୍ରେସ ନେତା ରାହୁଲ ଗାନ୍ଧୀ । ଗସ୍ତରେ ସେ ଚାଲିଚାଲି କାତ୍ରାଠାରୁ ମାତା ବୈଷ୍ଣୋ ଦେବୀ ମନ୍ଦିରକୁ ଯିବେ ବୋଲି ସୂଚନା ଦେଇଛନ୍ତି ଦଳର ଜମ୍ମୁ କାଶ୍ମୀର ୟୁନିଟ୍ ସଭାପତି ଗୁଲାମ ଅହମ୍ମଦ ମୀର । ରାହୁଲ ଗାନ୍ଧୀଙ୍କର ଭଗବାନଙ୍କ ଉପରେ ବିଶ୍ବାସ ରହିଛି । ସେ ଅନେକ ବର୍ଷ ହେବ ବୈଷ୍ଣୋ ଦେବୀ ମନ୍ଦିର ଦର୍ଶନ କରିବାରୁ ଚାହୁଁଥିଲେ ବୋଲି କହିଛନ୍ତି ଗୁଲାମ ଅହମ୍ମଦ ଅଲ୍ଲୀ ।
ଦୀର୍ଘ ତିନି ବର୍ଷ ହେବ ସେ ଏଠାକୁ ଆସିବାକୁ ଚାହୁଁଥିଲେ । ରାଜନୈତିକ ପରିସ୍ଥିତି ପାଇଁ ସେ ଆସିପାରୁ ନଥିଲେ । ବର୍ତ୍ତମାନ ପରିସ୍ଥିତିରେ ସାମାନ୍ୟ ସୁଧାର ଆସିଥିବାରୁ ସେ ଗତ ମାସରେ ଶ୍ରୀନଗର ଗସ୍ତ କରିଥିଲେ ଏବଂ ସେପ୍ଟେମ୍ବର 9 ରେ ଜମ୍ମୁ ଗସ୍ତରେ ଆସିବେ ବୋଲି ସୂଚନା ଦେଇଥିଲେ ଅହମ୍ମଦ ମୀର । ସେ ଆହୁରି କହିଛନ୍ତି ଯଦିଓ ଅନେକ ନେତା ଏହି ସ୍ଥାନକୁ ଆସିଛନ୍ତି ସେମାନେ ଚପଲ ପିନ୍ଧି ଆସିଛନ୍ତି । ଆମର ବିଶ୍ବାସ ଅଛି ଯେ ରାହୁଲ ଗାନ୍ଧୀ ଖାଲି ପାଦରେ କାତ୍ରାଠାରୁ ମନ୍ଦିର ଦର୍ଶନ କରିବେ ।
ମାତା ବୈଷ୍ଣୋ ଦେବୀଙ୍କ ଉପରେ ରାହୁଲଙ୍କର ପ୍ରଗାଢ ବିଶ୍ବାସ ରହିଛି । ତେଣୁ ପ୍ରଥମ ଦିନରେ ଆମେ କୌଣସି ରାଜନୈତିକ କାର୍ଯ୍ୟକ୍ରମ ଆୟୋଜିତ କରିନାହୁଁ । ମନ୍ଦିରରୁ ଫେରିବା ପରେ ଜମ୍ମୁରେ ଏକ ଛୋଟ ରାଜନୈତିକ ଦଳୀୟ କାର୍ଯ୍ୟକ୍ରମରେ ଯୋଗ ଦେବେ । ରାହୁଲ ତାଙ୍କ ଶେଷ ଗସ୍ତ ସମୟରେ ଶ୍ରୀନଗରରେ ନୂ୍ଆ ପାର୍ଟି କାର୍ଯ୍ୟାଳୟର ଉଦଘାଟନ କରିଥିଲେ । ଏହା ସହିତ ଖେର ଭବାନୀ ମନ୍ଦିର ଏବଂ ହଜରତ ଦର୍ଗା ସରିଫ ପରିଦର୍ଶନ କରିଥିଲେ ।
@ANI