ନୂଆଦିଲ୍ଲୀ: ଆଉ ମାତ୍ର କେଇ ଘଣ୍ଟାର ଅପେକ୍ଷା । ପାଞ୍ଚ ରାଜ୍ୟର ଆଜି ହେବ ଫଇସଲା । କିଏ ପିନ୍ଧିବ ବିଜୟ ମୁକୁଟ କାହାର ଗାଦି ରହିବ କାହାର ଖସିବ ତାହା ଉପରେ ସମସ୍ତଙ୍କ ନଜର । ଉତ୍ତର ପ୍ରଦେଶ ସମେତ ୫ ରାଜ୍ୟରେ ଆଜି ଆସିବ ଜନାଦେଶ । ପାଞ୍ଚଟି ରାଜ୍ୟରେ ଭୋଟ୍ ଗଣନା ସକାଳ 8 ଟାରୁ ଆରମ୍ଭ ହୋଇଛି । ମତଦାନ ଗଣନା ଆରମ୍ଭ ପରେ ଭଗବାନଙ୍କ କୃପା ପାଇଁ ମନ୍ଦିର ଯାଇଛନ୍ତି ତିନି ରାଜ୍ୟର ମୁଖ୍ୟମନ୍ତ୍ରୀ । ପଞ୍ଜାବ ମୁଖ୍ୟମନ୍ତ୍ରୀ ଚରଣଜିତ୍ ସିଂ ଚନ୍ନି, ମଣିପୁର ସିଏମ ଏନ ବିରେନ ସିଂ ଓ ଗୋଆ ମୁଖ୍ୟମନ୍ତ୍ରୀ ପ୍ରମୋଦ ସାୱନ୍ତ ଭଗବାନଙ୍କୁ ପ୍ରାର୍ଥନା କରିଛନ୍ତି ।
ପଞ୍ଜାବ ମୁଖ୍ୟମନ୍ତ୍ରୀ ଚରଣଜିତ୍ ସିଂ ଚନ୍ନି ଓ ତାଙ୍କ ପରିବାର ଚମକୌର ସାହିବ ଗୁରୁଦ୍ବାର ମନ୍ଦିରକୁ ଯାଇ ପ୍ରାର୍ଥନା କରୁଛନ୍ତି। ସେହିପରି ମଣିପୁର ମୁଖ୍ୟମନ୍ତ୍ରୀ ଏନ୍ ବିରେନ୍ ସିଂହ ଇମ୍ପାଲର ଗୋବିନ୍ଦାଜୀ ମନ୍ଦିରକୁ ଯାଇ ପ୍ରାର୍ଥନା କରିଛନ୍ତି। ଗୋଆ ମୁଖ୍ୟମନ୍ତ୍ରୀ ପ୍ରମୋଦ ସାୱନ୍ତ ଶ୍ରୀ ଦତ୍ତ ମନ୍ଦିର ଯାଇ ପ୍ରାର୍ଥନା କରିଛନ୍ତି । ତେବେ ଭଗବାନଙ୍କ କୃପା ଓ ଜନତା ଜନାର୍ଦ୍ଦନଙ୍କ ନିଷ୍ପତ୍ତି ତାହା କିଛି ଘଣ୍ଟା ପରେ ସ୍ପଷ୍ଟ ହେବ । ୧ ଘଣ୍ଟାର ଗଣତି ସୁଦ୍ଧା ପଞ୍ଜାବ ଓ ଗୋଆ ମୁଖ୍ୟମନ୍ତ୍ରୀ ନିଜ ନିଜ ଆସନରେ ପଛୁଆ ରହିଛନ୍ତି । ପଞ୍ଜାବ ମୁଖ୍ୟମନ୍ତ୍ରୀ ଚରଣଜିତ ସିଂ ଚନ୍ନି ଉଭୟ ଆସନରେ ଓ ଗୋଆ ମୁଖ୍ୟମନ୍ତ୍ରୀ ପ୍ରମୋଦ ସାୱନ୍ତ ମଧ୍ୟ ପଛୁଆ ରହିଛନ୍ତି । ଗୋଆରେ ପ୍ରାୟ ୪୦୦ ଭୋଟରେ ପଛରେ ପଡ଼ିଛନ୍ତି ଗୋଆ ମୁଖ୍ୟମନ୍ତ୍ରୀ ପ୍ରମୋଦ ସାୱନ୍ତ ।
‘ମୁଁ ଭଗବାନଙ୍କ ନିକଟରେ ପ୍ରାର୍ଥନା କରିଛି ଯେ ଆସନ୍ତା 5 ବର୍ଷ ଶାନ୍ତି ଏବଂ ବିକାଶ ସହିତ ଗତ ବର୍ଷ ସହିତ ସମାନ ହେବ ଏବଂ ବିଜେପି ସମ୍ପୂର୍ଣ୍ଣ ସଂଖ୍ୟାଗରିଷ୍ଠତା ସହିତ ସରକାର ଗଠନ କରିବ’ ବୋଲି କହିଛନ୍ତି ମଣିପୁର ସିଏମ । ମଣିପୁରରେ ସମସ୍ତ ୬୦ ଆସନର ଟ୍ରେଣ୍ଡିଂ ଆସିସାରି ଥିବାବେଳେ ୨୨ ଆସନରେ ବିଜେପି ପ୍ରାର୍ଥୀ ଆଗୁଆ । କଂଗ୍ରେସ ୧୪ ଓ ଏନପିପି ୧୧ ଓ ଅନ୍ୟାନ୍ୟ ୧୩ ସିଟରେ ଆଗୁଆ ରହିଛି ।