ହାଇଦ୍ରାବାଦ: ହାଇଦ୍ରାବାଦ କେନ୍ଦ୍ରୀୟ ବିଶ୍ବବିଦ୍ୟାଳୟ(HCU)ରେ ଜଣେ ଅଧ୍ୟାପକ ଥାଇଲ୍ୟାଣ୍ଡର ଜଣେ ଛାତ୍ରୀଙ୍କୁ ଦୁଷ୍କର୍ମ ଉଦ୍ୟମ କରିଥିବା ଅଭିଯୋଗ ହୋଇଛି (professor attempted to rape student )। ତେବେ ଛାତ୍ରୀଜଣଙ୍କ କୌଣସି ପ୍ରକାରେ ଅଧ୍ୟାପକ ଉଦ୍ୟମରୁ ଖସିଆସିବା ପରେ ଏନେଇ ଅଭିଯୋଗ କରିଛନ୍ତି । ଏନେଇ ପ୍ରଥମେ କଲେଜ କର୍ତ୍ତୃପକ୍ଷ ଓ ପରେ ସ୍ଥାନୀୟ ଗାଚିବାଓଲି ପୋଲିସ ଷ୍ଟେସନରେ ଅଭିଯୋଗ କରିଛନ୍ତି ପୀଡିତା (professor attempted to rape a Thailand student) ।
ପୋଲିିସ ଅଭିଯୋଗ ଆଧାରରେ ସମ୍ପୃକ୍ତ ଅଧ୍ୟାପକଙ୍କୁ ହେପାଜତକୁ ନେଇଛି । ଅଭିଯୁକ୍ତ ଅଧ୍ୟାପକଙ୍କ ବରୋଧରେ ଧାରା-354ରେ ମାମଲା ରୁଜୁ କରିବା ସହ ତଦନ୍ତ ଆରମ୍ଭ କରିଛି ପୋଲିସ । ପୀଡିତାଙ୍କ ବୟାନ ରେକର୍ଡ କରାଯିବା ପ୍ରାଥମିକ ତଦନ୍ତ ପରେ ପରବର୍ତ୍ତୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ନେଇ ପୋଲିସ ସୂଚନା ଦେଇଛି ।
ଘଟଣା ପ୍ରଘଟ ହେବା ପରେ କ୍ୟାମ୍ପସରେ ମଧ୍ୟ ଉତ୍ତେଜନା ପ୍ରକାଶ ପାଇଛି । ସମ୍ପୃକ୍ତ ଅଧ୍ୟାପକଙ୍କୁ ତୁରନ୍ତ ବିଶ୍ବବିଦ୍ୟାଳୟରୁ ବରଖାସ୍ତ କରିବା ସହ ତାଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଛାତ୍ରଛାତ୍ରୀ ଧାରଣାରେ ମଧ୍ୟ ବସିଛନ୍ତି । ସେହିପରି ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦର ସଦସ୍ୟମାନେ ବିଶ୍ବବିଦ୍ୟାଳୟ ମୁଖ୍ୟ ଫାଟକରେ ଧାରଣା ଦେବା ସହ ବିଶ୍ବବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ବିରୋଧରେ ନାରାବାଜୀ କରିଥିଲେ । କ୍ୟାମ୍ପସରେ ଉତ୍ତେଜନାପୂର୍ଣ୍ଣ ସ୍ଥିତିକୁ ଦେଖି ପୋଲିସ ଫୋର୍ସ ମୁତୟନ ହୋଇଛନ୍ତି । ସମ୍ପୃକ୍ତ ଅଧ୍ୟାପକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନନେବା ପର୍ଯ୍ୟନ୍ତ ସେମାନେ ଧାରଣାରୁ ଉଠିବେ ନାହିଁ ବୋଲି ଛାତ୍ରଛାତ୍ରୀ ଚେତାବନୀ ମଧ୍ୟ ଦେଇଛନ୍ତି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ