ନୂଆଦିଲ୍ଲୀ: ଓଡିଶା ଗସ୍ତ ଶେଷ ହେବା ପରେ ଆଜିଠୁ ଦୁଇ ଦିନିଆ ଉତ୍ତରପ୍ରଦେଶ ଗସ୍ତ କରିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଏହି ଗସ୍ତ ସମୟରେ ବିଭିନ୍ନ କାର୍ଯ୍ୟରେ ରାଷ୍ଟ୍ରପତି ସାମିଲ ହେବା ସହ ୟୁପି ବିଶ୍ବ ନିବେଶକ ସମ୍ମିଳନୀ ୨୦୨୩ରେ ସାମିଲ ହେବେ ରାଷ୍ଟ୍ରପତି । ଏନେଇ ରାଷ୍ଟ୍ରପତିଙ୍କ କାର୍ଯ୍ୟାଳୟ ତରଫରୁ ସୂଚନା ପ୍ରଦାନ କରାଯାଇଛି ।
ରାଷ୍ଟ୍ରପତିଙ୍କ କାର୍ଯ୍ୟାଳୟ ତରଫରୁ ଜାରି ହୋଇଥିବା ବିଜ୍ଞପ୍ତି ଅନୁଯାୟୀ, ଆଜି ଏବଂ ଆସନ୍ତାକାଲି ରାଷ୍ଟ୍ରପତି ଉତ୍ତରପ୍ରଦେଶ ଗସ୍ତରେ ରହିବେ । ଗସ୍ତର ପ୍ରଥମ ଦିନରେ ସେଠାରେ ଆୟୋଜିତ ୟୁପି ବିଶ୍ବ ନିବେଶକ ସମ୍ମିଳନୀରେ ରାଷ୍ଟ୍ରପତି ସାମିଲ ହେବାର କାର୍ଯ୍ୟକ୍ରମ ରହିଛି । ଏହାପରେ ସନ୍ଧ୍ୟା ସମୟରେ ଉତ୍ତରପ୍ରଦେଶର ଲୋକ ଭବନରେ ଆୟୋଜିତ ହେବାକୁ ଥିବା ସିଭିକ ରିସେପ୍ସନରେ ରାଷ୍ଟ୍ରପତି ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି ।
ଆସନ୍ତାକାଲି(ସୋମବାର) ଲକ୍ଷ୍ନୌରେ ବାବାସାହେବ ଭିମରାଓ ଆମ୍ବେଦକର ବିଶ୍ବବିଦ୍ୟାଳୟର ଦଶମ କନଭୋକେସନରେ ଅଂଶଗ୍ରହଣ କରିବେ । ଦିଲ୍ଲୀ ଫେରିବା ପୂର୍ବରୁ ଦ୍ରୌପଦୀ ମୁର୍ମୁ କାଶୀବିଶ୍ବନାଥ ମନ୍ଦିର ପରିଦର୍ଶନ କରିବା ସହ ଗଙ୍ଗା ଆଳତୀରେ ସାମିଲ ହେବେ ।
ଏହା ପୂର୍ବରୁ ଗତ ୧୦ ତାରିଖ ଦିନ ରାଷ୍ଟ୍ରପତି ୨ଦିନିଆ ଓଡିଶା ଗସ୍ତରେ ଯାଇ ବିଭିନ୍ନ କାର୍ଯ୍ୟକ୍ରମରେ ଅଂଶ ଗ୍ରହଣ କରିଥିଲେ । ବାୟୁସେନାର ସ୍ବତନ୍ତ୍ର ବିମାନ ଯୋଗେ ଭୁବନେଶ୍ବରରେ ପହଞ୍ଚିବା ପରେ ଜ୍ଞାନପ୍ରଭା ମିଶନର ପ୍ରତିଷ୍ଠା ଦିବସରେ ଯୋଗ ଦେଇଥିଲେ । ଏହାପରେ ରମାଦେବୀ ମହିଳା ବିଶ୍ବବିଦ୍ୟାଳୟର ଦ୍ବିତୀୟ ସମାବର୍ତ୍ତନ ଉତ୍ସବରେ ଯୋଗ ଦେଇଥିଲେ ରାଷ୍ଟ୍ରପତି । ଗସ୍ତର ଦ୍ବିତୀୟ ଦିନରେ ରାଷ୍ଟ୍ରପତି ଶ୍ରୀଲିଙ୍ଗରାଜ ମହାପ୍ରଭୁଙ୍କ ଦର୍ଶନ କରିଥିଲେ । ଏହାପରେ କଟକ ବିଦ୍ୟାଧରପୁରରେ ଥିବା ଜାତୀୟ ଧାନ ଗବେଷଣା ଅନୁଷ୍ଠାନରେ ଆୟୋଜିତ ଦ୍ବିତୀୟ ଜାତୀୟ ଧାନ କଂଗ୍ରେସର ସମ୍ମିଳନୀକୁ ଉଦଘାଟନ କରିଥିଲେ ରାଷ୍ଟ୍ରପତି ।
ଏହା ମଧ୍ୟ ପଢନ୍ତୁ-Odia Food and Craft Mela: ହାଇଦ୍ରାବାଦରେ ମହକିଲା ଓଡ଼ିଆ ପିଠାର ବାସ୍ନା
ଲକ୍ଷ୍ନୌରେ ୟୁପି ବିଶ୍ବ ନିବେଶକ ସମ୍ମିଳନୀ ଆରମ୍ଭ ହୋଇଛି । ଶୁକ୍ରବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ନିବେଶକ ସମ୍ମିଳନୀକୁ ଉଦଘାଟନ କରିଥିଲେ । ଲକ୍ଷ୍ନୌ ସ୍ଥିତ ବୃନ୍ଦାବନ ଯୋଜନାର ବିଶାଳ ମଇଦାନରେ ସମ୍ମିଳନୀ ଆୟୋଜିତ ହୋଇଛି । ଯାହାର ଆଜି ଶେଷ ଦିନ ରହିଛି । ଏହା ଜରିଆରେ ରାଜ୍ୟର ମ୍ୟାନୁଫ୍ୟାକ୍ଚରିଂ, ଫାର୍ମାସ୍ୟୁଟିକାଲ ଓ ମେଡିକାଲ, ଟେକ୍ସଟାଇଲ, ଅକ୍ଷୟ ଶକ୍ତି, ସ୍ବାସ୍ଥ୍ୟସେବା, ପର୍ଯ୍ୟଟନ, ଆଇଟି, ଶିକ୍ଷା ଓ ଇଲେକ୍ଟ୍ରୋନିକ ସେକ୍ଟରରେ ବ୍ୟାପକ ପୁଞ୍ଜିନିବେଶ ପାଇଁ ଉତ୍ତରପ୍ରଦେଶ ସରକାର ଲକ୍ଷ୍ୟ ରଖିଛନ୍ତି ।