ନୂଆଦିଲ୍ଲୀ: ଆସନ୍ତାକାଲି ଦେଶ ୭୩ତମ ସାଧାରଣତନ୍ତ୍ର ଦିବସ ପାଳନ କରିବାକୁ ଯାଉଥିବା ବେଳେ ଆଜି ସନ୍ଧ୍ୟାରେ ଦେଶକୁ ସମ୍ବୋଧିତ କରିଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ । ରାଷ୍ଟ୍ରପତି କହିଛନ୍ତି ସମଗ୍ର ବିଶ୍ୱରେ ଭାରତର ଗଣତନ୍ତ୍ରର ବିବିଧତା ଏବଂ ସ୍ପନ୍ଦନକୁ ପ୍ରଶଂସା କରାଯାଏ । ଆମ୍ବ ସମ୍ବିଧାନ ଏକତାର ଆତ୍ମା ଏବଂ ଏକ ରାଷ୍ଟ୍ରର ପ୍ରତିଫଳନ ।
73ତମ ଗଣତନ୍ତ୍ର ଦିବସ ଅବସରରେ ରାଷ୍ଟ୍ରପତି ତାଙ୍କ ଅଭିଭାଷଣରେ ସ୍ୱାଧୀନତା ସଂଗ୍ରାମୀଙ୍କ ଅବଦାନକୁ ମନେ ପକାଇବା ନିକଟରରେ ଦେଶ ପାଳିଥିବା ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ୧୨୫ ତମ ଜନ୍ମଜୟନ୍ତୀଙ୍କୁ ମଧ୍ୟ ମନେ ପକାଇଛନ୍ତି । ନତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ଦେଶ ପ୍ରତି ଅବଦାନ ଭାରତକୁ ଗର୍ବିତ କରିଛି ଓ ସେ 'ଜୟ ହିନ୍ଦ'ର ନାରା ପ୍ରଦାନ କରିଥିଲେ ଯାହା ଦେଶପ୍ରେମର ସର୍ବୋଚ୍ଚ ପ୍ରତୀକ ବୋଲି କହିଥିଲେ ରାଷ୍ଟ୍ରପତି ।
ରାଷ୍ଟ୍ରପତି ଆହୁରି ମଧ୍ୟ କହିଛନ୍ତି ଯେ ଗଣତନ୍ତ୍ର ରାଷ୍ଟ୍ରରେ ଅଧିକାର ଏବଂ କର୍ତ୍ତବ୍ୟ ସମାନ ମୁଦ୍ରାର ଦୁଇ ପାର୍ଶ୍ୱ ପରି । ସମ୍ବିଧାନରେ ଉଲ୍ଲେଖ କରାଯାଇଥିବା ମୌଳିକ କର୍ତ୍ତବ୍ୟ ପାଳନ କରିବା ଓ ମୌଳିକ ଅଧିକାରର ଉପଭୋଗ ଗୋଟିଏ ମୁଦ୍ରାର ଦୁଇ ପାର୍ଶ୍ବ ଓ ପରସ୍ପର ପରିପୂରକ । ଗଣତନ୍ତ୍ର ଦିବସ ପ୍ରତ୍ୟକ ଭାରତୀୟଙ୍କ ପାଇଁ ଏକ ଉତ୍ସବ, 1950 ମସିହାରେ ଏହି ଦିନ ହିଁ ଆମ ଭାରତ ସର୍ବବୃହତ ଗଣତାନ୍ତ୍ରିକ ଭାବରେ ପ୍ରତିଷ୍ଠିତ ହୋଇଥିଲା ଏବଂ ଆମ ମହାନ ପୂର୍ବ ପୁରଷଙ୍କ ଦ୍ବାରା କାର୍ଯ୍ୟକାରୀ ହୋଇଥିବା ସମ୍ବିଧାନ ଆମର ସାମୂହିକତାର ପ୍ରେରଣାଦାୟକ ଦସ୍ତାବିଜ ଅଟେ । ଆମର ଗଣତନ୍ତ୍ରର ବିବିଧତା ଏବଂ ସ୍ପନ୍ଦନକୁ ଆଜି ବିଶ୍ବ ବ୍ୟାପୀ ପ୍ରଶଂସା କରାଯାଉଛି । ଆମ ଭାରତୀୟ ସମ୍ବିଧାନ ହେଉଛି ଏକତାର ଆତ୍ମା ବୋଲି କହିଛନ୍ତି ରାଷ୍ଟ୍ରପତି ।
ସେହିପରି ନିଜ ଅଭିଭାଷଣରେ ପ୍ରତିରକ୍ଷା ପ୍ରମୁଖ ଜେନେରାଲ ବିପିନ ରାଓ୍ବତଙ୍କ ହେଲିକପ୍ଟର ଦୁର୍ଘଟଣାକୁ ମଧ୍ୟ ମନେ ପକାଇଛନ୍ତି ରାଷ୍ଟ୍ରପତି । ଦୁର୍ଘଟଣାରେ ଦେଶ ସିଡିଏସଙ୍କ ପରି ବଳିଷ୍ଠ ସେନାପତିଙ୍କ ସହ ବହୁମୂଲ୍ୟ ଯୋଦ୍ଧାଙ୍କୁ ହରାଇଛି ବୋଲି ରାଷ୍ଟ୍ରପତି କହିଛନ୍ତି । ସେହିପରି କୋଭିଡ ସମୟରେ ହୋଇଥିବା ଅଲମ୍ପିକ୍ସ ଓ ପାରା ଅଲମ୍ପିକ୍ସରେ ଭାରତୀୟ କ୍ରୀଡାବିତଙ୍କ ପ୍ରଦର୍ଶନ ଦେଶକୁ ଗୌରବାନ୍ବିତ କରିଛି ବୋଲିି ମଧ୍ୟ କହିଛନ୍ତି ରାଷ୍ଟ୍ରପତି । ମହାମାରୀ ସମୟରେ ପ୍ରତିରକ୍ଷା କ୍ଷେତ୍ରରେ ମଧ୍ୟ ଭାରତ ଆଗକୁ ବଢିଛି । ଆତ୍ମନିର୍ଭର ଭାରତ ଅଭିଯାନରେ ଭାରତ ନିଜସ୍ବ ବିମାନବାହୀ ଯୁଦ୍ଧ ଜାହଜ ଆଇଏନଏସ ବିକ୍ରାନ୍ତର ସଫଳ ନିର୍ମାଣ କଥା ମଧ୍ୟ କହିଛନ୍ତି ରାଷ୍ଟ୍ରପତି ।
ସେହିପରି ବର୍ତ୍ତମାନ ସମୟ ଓ ମହାମାରୀର ଦୁର୍ଦ୍ଦଶାକୁ ମଧ୍ୟ ନିଜ ସମ୍ବୋଧନରେ ସ୍ଥାନ ଦେଇଛନ୍ତି ରାଷ୍ଟ୍ରପତି । ମହାମାରୀ ହେତୁ ଆମ ସ୍ବାଭାବିକ ଜୀବନ ଧାରା ପ୍ରଭାବିତ ହୋଇଛି । ସେହିପରି ସମ୍ବିଧାନର ପ୍ରଣେତା ତଥା ଡ୍ରାଫ୍ଟ କମିଟିର ସଭାପତି ଭାବରେ ବାବାସାହେବ ଆମ୍ବେଦକରଙ୍କ ଅବଦାନକୁ ରାଷ୍ଟ୍ରପତି ମନେ ପକାଇ କହିଛନ୍ତି ଯେ, ସ୍ୱାଧୀନତା ସଂଗ୍ରାମର ନେତୃତ୍ୱ ନେଉଥିବା ମହାପୁରୁଷ ମାନେ ଆମ ସମ୍ବିଧାନର ପ୍ରତ୍ୟେକ ଅନୁଚ୍ଛେଦ, ଧାଡି ଓ ଶବ୍ଦରେ କେବଳ ଜନମଙ୍ଗଳ ରାଷ୍ଟର କଥା ବର୍ଣ୍ଣନା କରିଛନ୍ତି ।
ପ୍ରତ୍ୟେକ ଦେଶବାସୀଙ୍କୁ ପରାମର୍ଶ ଦେଇ ରାଷ୍ଟ୍ରପତି କହିଛନ୍ତି, କୋଟି କୋଟି ଲୋକ ସ୍ବଚ୍ଛ ଭାରତ ଅଭିଯାନ ଏବଂ କୋଭିଡ ଟୀକାକରଣ ଡ୍ରାଇଭ୍କୁ ଜନ ଆନ୍ଦୋଳନରେ ପରିଣତ କରିଛନ୍ତି । ଏଭଳି ଅଭିଯାନର ସଫଳତା ପାଇଁ ବହୁ ଶ୍ରେୟ କର୍ତ୍ତବ୍ୟନିଷ୍ଠ ନାଗରିକଙ୍କ ନିକଟକୁ ଯାଉଛି । ଦେଶବାସୀ ସେମାନଙ୍କର ସକ୍ରିୟ ଅଂଶଗ୍ରହଣ ସହିତ ଜାତୀୟ ସ୍ୱାର୍ଥର ଅଭିଯାନକୁ ମଜବୁତ କରିବେ ବୋଲି ମଧ୍ୟ କହିଛନ୍ତି ରାଷ୍ଟ୍ରପତି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ