ପାଟନା: ଯଦି ପ୍ରଧାନମନ୍ତ୍ରୀ ମୋଦି ଏବଂ ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କ ସନ୍ତାନ ନାହିଁ, ତାହାହେଲେ ମୁଁ କଣ କରିପାରିବି । ନୀତିଶ କୁମାରଙ୍କ ଗୋଟିଏ ପୁଅ ଅଛି ହେଲେ ସେ ରାଜନୀତି ପାଇଁ ଯୋଗ୍ୟ ନୁହଁନ୍ତି । ଏଥିରେ ମୁଁ କ'ଣ କରିବି । ତେଣୁ ପିଏମ୍ ମୋଦି ଓ ମୁଖ୍ୟମନ୍ତ୍ରୀ ସନ୍ତାନ ଲାଭ କରନ୍ତୁ ବୋଲି ମୁଁ ଭଗବାନ ନିକଟରେ ପ୍ରାର୍ଥନା କରୁଛି । ଯଦ୍ବାରା ସେମାନେ ପରିବାରବାଦରେ ସାମିଲ ହୋଇପାରିବେ । ନିକଟରେ ଏକ ସାକ୍ଷାତକାରରେ ପରିବାରବାଦ ଉପରେ ପ୍ରଧାନମନ୍ତ୍ରୀ ଦେଇଥିବା ମନ୍ତବ୍ୟକୁ ନେଇ ଏହିଭଳି କଟାକ୍ଷ କରିଛନ୍ତି RJD ସୁପ୍ରିମୋ ଲାଲୁ ପ୍ରସାଦ ଯାଦବ ।
ପ୍ରକାଶଥାଉ କି, ପ୍ରଧାନମନ୍ତ୍ରୀ ବୁଧବାର ଏକ ସାକ୍ଷାତକାରରେ କହିଥିଲେ ଯେ, ପରିବାରବାଦ ଗଣତନ୍ତ୍ର ପାଇଁ ବିପଦ । ମୁଁ ଯେତେବେଳେ ମିଛ ସମାଜବାଦ କଥା କୁହେ, ତାହା ହେଉଛି ପରିବାରବାଦ । ଆପଣମାନେ ଲୋହିୟାଙ୍କ ପରିବାରକୁ କେଉଁଠି ଦେଖୁଛନ୍ତି କି ? ସେ ଜଣେ ସମାଜବାଦୀ ଅଟନ୍ତି । ଜର୍ଜ ଫର୍ଣ୍ଣାଣ୍ଡିଜ ମଧ୍ୟ ଜଣେ ସମାଜବାଦୀ ଅଟନ୍ତି । ହେଲେ ଆପଣ ତାଙ୍କ ପରିବାରକୁ କେଉଁଠି ଦେଖୁଛନ୍ତି ? ନୀତିଶ ବାବୁ ମଧ୍ୟ ଜଣେ ସମାଜବାଦୀ ଅଟନ୍ତି, ମାତ୍ର ତାଙ୍କ ପରିବାରକୁ ମଧ୍ୟ କିଏ କେଉଁଠି ଦେଖିଛନ୍ତି ବୋଲି ପ୍ରଶ୍ନ କରି ପରିବାରବାଦକୁ ସମାଲୋଚନା କରିଥିଲେ ମୋଦି ।
ଯେତେବେଳେ ଗୋଟିଏ ଦଳ ଗୋଟିଏ ପରିବାରର ପିଢି ପରେ ପିଢି ଦ୍ବାରା ନିୟନ୍ତ୍ରିତ ହୁଏ ତାହା ହେଉଛି ବଂଶବାଦ । ଜମ୍ମୁ-କାଶ୍ମୀରରରେ ଦୁଇଟି ଭିନ୍ନ ପରିବାର ଦ୍ବାରା ଦୁଇ ଦଳ ପରିଚାଳିତ ହେଉଛି । ହରିୟାଣା, ଝାଡଖଣ୍ଡ, ୟୁପି ଏବଂ ତାମିଲନାଡୁରେ ମଧ୍ୟ ଏହିଭଳି ସ୍ଥିତି ରହିଛି ବୋଲି ମୋଦି କହିଥିଲେ । ଯାହାକୁ ନେଇ ପ୍ରତିକ୍ରିୟାଶୀଳ ହୋଇପଡିଛନ୍ତି ଆରଜେଡି ସୁପ୍ରିମୋ । ସେ ନୀତିଶ କୁମାର ଏବଂ ମୋଦି ସନ୍ତାନ ପାଆନ୍ତୁ ବୋଲି ପ୍ରାର୍ଥନା କରିବେ ବୋଲି କହିଛନ୍ତି ।