କୋଲକାତା: ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନକୁ ଆଉ ମାତ୍ର କିଛି ମାସ ବାକି ଥିବାବେଳେ ସରଗରମ ହୋଇ ଉଠିଛି ରାଜ୍ୟ ରାଜନୀତି । ବୀରଭୂମରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ମେଗା ରୋଡ ଶୋ ପରେ ଦୋହଲି ଯାଇଛି ଟିଏମସି ଶିବିର । ଏହାରି ମଧ୍ୟରେ ବିଜେପିକୁ ନେଇ ଭବିଷ୍ୟବାଣୀ କରିଛନ୍ତି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ନିର୍ବାଚନୀ ରଣନୀତିଜ୍ଞ ପ୍ରଶାନ୍ତ କିଶୋର । ଆଗାମୀ ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନରେ ବିଜେପି 2 ଅଙ୍କ ଛୁଇଁପାରିବ ନାହିଁ ବୋଲି ଦାବି କରିଛନ୍ତି ପ୍ରଶାନ୍ତ ।
ପ୍ରଶାନ୍ତ କିଶୋର ଟ୍ବିଟ କରି କହିଛନ୍ତି, ମିଡିଆ ସମର୍ଥିତ ପକ୍ଷଙ୍କ ଦ୍ବାରା ବିଜେପିର ରାଲିକୁ ଅତିରଞ୍ଜିତ କରାଯାଉଛି । ବାସ୍ତବରେ ବିଜେପି ପକ୍ଷେ 2 ଅଙ୍କ ସିଟ୍ ଛୁଇଁବା ମଧ୍ୟ କଷ୍ଟକର ହୋଇପଡିବ । ସେ ଆହୁରି ମଧ୍ୟ କହିଛନ୍ତି, ଦୟା କରି ମୋ ଟ୍ବିଟ କୁ ସେଭ୍ କରି ରଖନ୍ତୁ । ଯଦି ବିଜେପି ଭଲ ପ୍ରଦର୍ଶନ କରେ ତାହେଲେ ସେ ଟ୍ବିଟ ଛାଡିଦେବେ ବୋଲି ପ୍ରଶାନ୍ତ କହିଛନ୍ତି ।
ଗୃହମନ୍ତ୍ରୀ ଅମିତ ଶାହଙ୍କ ପଶ୍ଚିମବଙ୍ଗ ଗସ୍ତ ପରେ ପ୍ରଶାନ୍ତ କିଶୋରଙ୍କ ଏହି ବୟାନ ସାମ୍ନାକୁ ଆସିଛି । ରବିବାର ପଶ୍ଚିମବଙ୍ଗ ଗସ୍ତର ଶେଷ ଦିନରେ ଅମିତ ଶାହ ସାମ୍ବାଦିକ ସମ୍ମିଳନୀରେ କହିଥିଲେ ଯେ ବିଧାନସଭା ନିର୍ବାଚନ ସୁଦ୍ଧା ମମତା ବାନାର୍ଜୀ ଏକୁଟିଆ ହୋଇ ରହିଯିବେ । ବିଜେପିକୁ କ୍ଷମତା ମିଳିବା ପରେ 5 ବର୍ଷ ମଧ୍ୟରେ ସୋନାର ବାଙ୍ଗଲା ଅର୍ଥାନ ସୁନା ଭଳି ପଶ୍ଚିମବଙ୍ଗକୁ କରିବା ପାଇଁ କହିଥିଲେ ଶାହ ।
ପଶ୍ଚିମବଙ୍ଗରେ ମମତାଙ୍କ ନିକଟତର ଶୁଭେନ୍ଦୁ ଅଧିକାରୀଙ୍କ ଝଟକା ପରେ ଟିଏମସିରେ ହୋଇଥିବା କ୍ଷତର ଚିହ୍ନ ଏଯାଏଁ ଲିଭିନଥିବା ବେଳେ ଦଳରେ ପୂନର୍ବାର ବିଦ୍ରୋହର ସ୍ବର ଶୁଣିବାକୁ ମିଳୁଛି । ଏହି ସ୍ବର ଟିଏମସି ପକ୍ଷରୁ ଆଗାମୀ ବିଧାନସଭା ନିର୍ବାଚନରେ ଦଳକୁ ଚମକାଇବାକୁ ଅଣାଯାଇଥିବା ରଣନୀତିଜ୍ଞ ପ୍ରଶାନ୍ତ କିଶୋରଙ୍କ ବିରୋଧରେ ଉଠିଛି । ହାୱଡାର ଶିବପୁର ବିଧାନସଭା କ୍ଷେତ୍ରର ବିଧାୟକ ଜଟୁ ଲାହିଡି ପିକେଙ୍କ ବିରୋଧରେ ମୋର୍ଚ୍ଚା ଖୋଲିଦେଇଛନ୍ତି । ଲାହିଡି ସିଧାସିଧା ପ୍ରଶାନ୍ତ କିଶୋରଙ୍କୁ ଟାର୍ଗେଟ କରି କହିଛନ୍ତି, ସେ ଭଡାରେ ପାର୍ଟି ଚଳାଇବାକୁ ଆସିଛନ୍ତି ଓ ତାଙ୍କ ଆସିବା ଯୋଗୁଁ ଦଳକୁ ବହୁତ କ୍ଷତି ପହଞ୍ଚିଛି ।
ଏହା ପୂର୍ବରୁ ପ୍ରଶାନ୍ତ କିଶୋର 2014 ଲୋକସଭା ନିର୍ବାଚନରେ ବିଜେପି ପକ୍ଷରୁ ଦଳର ରଣନୀତିଜ୍ଞ ରହିସାରିଛନ୍ତି । ଏହା ପରେ ସେ ବିହାର ନିର୍ବାଚନରେ ନୀତିଶ ଓ ଲାଲୁଙ୍କ ଯୋଡିକୁ ଜିତିବାରେ ମୁଖ୍ୟ ଭୂମିକା ଅର୍ଜନ କରିଥିଲେ । ଏହା ପରେ ନୀତିଶ କୁମାରଙ୍କ ସହ ମତଭେଦ ଯୋଗୁଁ ଜେଡିୟୁ ଛାଡି ମମତାଙ୍କ ପାଇଁ ରଣନୀତି ପ୍ରସ୍ତୁତ କରୁଛନ୍ତି ପିକେ ।