ନୂଆଦିଲ୍ଲୀ: ବିମାନ ଯାତ୍ରା ବେଳେ ଏକାଧିକ ସାମଗ୍ରୀକୁ ସାଙ୍ଗରେ ନେବା ଉପରେ କଟକଣା ଥାଏ । ଏହାକୁ ଯାତ୍ରୀ ସିଧାସଳଖ ନିଜ ସହିତ କ୍ୟାବିନରେ ରଖିପାରିବେ ନାହିଁ । ତେବେ ଯଦି ଏହି ସାମଗ୍ରୀ ନେଇ ଯାତ୍ରୀ ଯାତ୍ରା କରୁଥିବାର ନଜର ଆସେ, ତାହା ତନଖୀ ବେଳେ ଜବତ କରିଥାନ୍ତି ସୁରକ୍ଷା ଅଧିକାରୀ । ମାରଣାସ୍ତ୍ର କିମ୍ବା ନିଶାଦ୍ରବ୍ୟ ହୋଇଥିଲେ ସମ୍ପୃକ୍ତ ଯାତ୍ରୀଙ୍କୁ ଗିରଫ ମଧ୍ୟ କରାଯାଏ । ହେଲେ ବେସାମରିକ ବିମାନ ଚଳାଚଳ ସୁରକ୍ଷା ବ୍ୟୁରୋ (BCAS) ପକ୍ଷରୁ ମିଳିଥିବା ସୂଚନା ଅନୁସାରେ, ଦେଶର ବିଭିନ୍ନ ବିମାନ ବନ୍ଦରରୁ ଦୈନିକ ଜବତ ହେଉଥିବା ଏହି ପ୍ରତିବନ୍ଧିତ ସାମଗ୍ରୀର ସଂଖ୍ୟା ପ୍ରାୟ 25,000 ରହିଛି । ଏହି ମୋଟ ଜବତ ସାମଗ୍ରୀ ମଧ୍ୟରେ ସର୍ବାଧିକ ହେଉଛି ପାଓ୍ବାରବ୍ୟାଙ୍କ ।
ଆଜି BCAS ମହାନିର୍ଦ୍ଦେଶକ ଜୁଲଫିକର ହାସନ ଦିଲ୍ଲୀରେ ସଂସ୍ଥାର ମୁଖ୍ୟାଳୟରେ ବିମାନ ସୁରକ୍ଷା ସଂସ୍କୃତି ସପ୍ତାହ-2023 କାର୍ଯ୍ୟକ୍ରମକୁ ଉଦଘାଟନ କରିଛନ୍ତି । କର୍ଯ୍ୟକ୍ରମକୁ ସମ୍ବୋଧିତ କରି ସେ ଏହି ସୂଚନା ଦେଇ କହିଛନ୍ତି, ‘‘ପ୍ରତିଦିନ ଆମେ ଦେଶର ସମସ୍ତ ବିମାନ ବନ୍ଦରରେ ଯାତ୍ରୀଙ୍କର ପ୍ରାୟ ଆଠ ଲକ୍ଷ ହ୍ୟାଣ୍ଡବ୍ୟାଗ ଏବଂ ପାଞ୍ଚ ଲକ୍ଷ ଚେକ୍ଇନ୍ ବ୍ୟାଗେଜ୍ ସ୍କ୍ରିନ୍ କରିଥାଉ । ଯାଞ୍ଚ କରିବା ସମୟରେ ଆମେ ପ୍ରାୟ 25,000 ନିଷେଧ ସାମଗ୍ରୀ ଦୈନିକ ପାଇଥାଉ । ଯାହା ଜବତ କରାଯାଇଥାଏ । ତେବେ ଏହି ନିଶେଧ ସାମଗ୍ରୀ ମଧ୍ୟରେ ସବୁଠୁ ଅଧିକ ହେଉଛି ପାଓ୍ବାର ବ୍ୟାଙ୍କ । ମାତ୍ରାଧିକ ଯାତ୍ରୀ ଏହାକୁ ନେଇ ସାଙ୍ଗରେ ଯାତ୍ରା କରିଥାନ୍ତି । ଯାହା ସେମାନଙ୍କଠାରୁ ଜବତ ହୋଇଥାଏ ।
ଏହା ମଧ୍ୟ ପଢନ୍ତୁ :-‘କାନ୍ଧାହାର ବିମାନ ଅପହରଣକୁ ରୋକା ଯାଇପାରିଥାନ୍ତା’: ଘଟଣାକୁ ମନେ ପକାଇଲେ IC-814 ପାଇଲଟ
ନିଷେଧ ସାମଗ୍ରୀ ଯାହା ପ୍ରାୟତଃ ଚେକଇନ୍ ବ୍ୟାଗେଜରେ ମିଳିଥାଏ । ଏହି ତାଲିକାରେ ସର୍ବାଧିକ ହେଉଛି ପାୱାରବ୍ୟାଙ୍କ । ମୋଟ ଜବତ ସାମଗ୍ରୀରେ ପ୍ରାୟ 44 ପ୍ରତିଶତ କେବଳ ଏହି ପାଓ୍ବାରବ୍ୟାଙ୍କ ରହିଥାଏ । ସେହିପରି 18 ପ୍ରତିଶତ ବ୍ୟାଟେରୀ ସମ୍ପର୍କିତ ସାମଗ୍ରୀ ଏବଂ 11 ପ୍ରତିଶତ ଲାପଟପ୍, ଛୁରୀ ଜାତୀୟ ସାମଗ୍ରୀ 16 ପ୍ରତିଶତ, ଏବଂ ତରଳ ପଦାର୍ଥ 14 ପ୍ରତିଶତର ମିଳିଥାଏ ବୋଲି ସଂସ୍ଥା କହିଛି । ଭାରତରେ ପ୍ରତିଦିନ 3,300 ବିମାନରେ ପ୍ରାୟ 4.8 ଲକ୍ଷ ଯାତ୍ରୀ ଯାତ୍ରା କରୁଥିବାରୁ ବିମାନ ଚଳାଚଳ ପ୍ରତି ବିପଦ ସୃଷ୍ଟି କରୁଥିବା ବିଷୟରେ ସଂସ୍ଥା ସ୍ବତନ୍ତ୍ର ଧ୍ୟାନ ଦେଇଥାଏ ବୋଲି କହିଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ