ନୂଆଦିଲ୍ଲୀ: ଶକ୍ତ ହେଲେ ସୁପ୍ରିମକୋର୍ଟ । ରାଜନୈତିକ ଦଳକୁ ଅପରାଧ ମୁକ୍ତ କରିବାକୁ ସୁପ୍ରିମକୋର୍ଟଙ୍କ ବଡ ନିଷ୍ପତ୍ତି । ପ୍ରାର୍ଥୀ ଘୋଷଣାର ୪୮ ଘଣ୍ଟା ମଧ୍ୟରେ ଅପରାଧ ତାଲିକା ଜାରି କରିବେ ରାଜନୈତିକ ଦଳ । ଯାହା ରାଜନୈତିକ ଦଳ ପାଇଁ ଅଡୁଆରେ ପକାଇଛି । ଏନେଇ ସୁପ୍ରିମକୋର୍ଟର କଡା ନିର୍ଦ୍ଦେଶ ପରେ ରାଜନୈତିକ ଦଳମାନଙ୍କରେ ଛନକା ପଶିଛି । ଏଣିକି ରାଜନୈତିକ ଦଳଗୁଡିକ ନିର୍ବାଚନରେ ଦଳୀୟ ପ୍ରାର୍ଥୀଙ୍କ ଘୋଷଣାର ପରବର୍ତ୍ତୀ ୪୮ଘଣ୍ଟା ଭିତରେ ସମ୍ପୃକ୍ତ ପ୍ରାର୍ଥୀଙ୍କ ଅପରାଧ ତାଲିକା ସାର୍ବଜନୀନ କରିବାକୁ ବାଧ୍ୟ ।
ରାଜନୈତିକ ଦଳରେ ଅପରାଧିକ ରେକର୍ଡ ନେଇ ଥିବା ଗାଇଡଲାଇନକୁ ଆହୁରି ଶକ୍ତ କରାଯାଇଛି । ଏହାସହତି ପୁରଣା ନିଷ୍ପତ୍ତିରେ ମଧ୍ୟ କରାଯାଇଛି ସୁଧାର । ସୁପ୍ରିମକୋର୍ଟ ନିଜ ଆଦେଶରେ କହିଛନ୍ତି, ରାଜନୈତିକ ଦଳଗୁଡିକୁ ନିର୍ବାଚନ ପାଇଁ ଚୟନ କରାଯାଇଥିବା ପ୍ରାର୍ଥୀଙ୍କ ଅପରାଧିକ ପୃଷ୍ଠଭୂମିର ରେକର୍ଡ ପ୍ରକାଶ କରିବାକୁପଡିବ । ଏ ସମ୍ବନ୍ଧରେ ୧୩ ଫେବୃଆରୀ ୨୦୨୦ରେ ନିଷ୍ପତ୍ତିରେ ସଂଶୋଧନ କରିଥିଲେ ସୁପ୍ରିମକୋର୍ଟ ।
ଫେବୃଆରୀ ୨୦୨୦ ନିଷ୍ପତ୍ତିର ପାରାଗ୍ରାଫ ୪.୪ରେ ସର୍ବୋଚ୍ଚ ଅଦାଲତ ଆଦେଶ ଦେଇଥିଲେ, ପ୍ରାର୍ଥୀ ଚୟନର ୪୮ ଘଣ୍ଟା ମଧ୍ୟରେ ନାମାଙ୍କନ ଦାଖଲ ପ୍ରଥମ ତାରିଖରୁ ଅତିକମ୍ରେ ଦୁଇ ସପ୍ତାହ ପୂର୍ବରୁ ଅପରାଧିକ ପୃଷ୍ଠଭୂମି ତାଲିକା ଜାରି କରିବାକୁ ହେବ ।
ଶୁଣାଣି ସମୟରେ ନିର୍ବାଚନ ଆୟୋଗ ସୁପ୍ରିମକୋର୍ଟଙ୍କୁ କହିଛନ୍ତି, ପ୍ରାର୍ଥୀଙ୍କ ଅପରାo ତାଲିକା ଖୁଲାସା କରୁନଥିବା ଜାତୀୟ ଦଳ ବିରୋଧରେ ଆଇନ ଉଲ୍ଲଂଘନକୁ ଦୃଷ୍ଟିରେ ରଖି ଦଳର ନିର୍ବାଚନୀ ଚିହ୍ନକୁ ନିଲମ୍ବିତ କରାଯାଉ । ସୁପ୍ରମକୋର୍ଟ ଆଦେଶର ଉଲ୍ଲଂଘନ ମାମଲାରେ ଏହି ପରାମର୍ଶ ଦେଇଥିଲେ ନିର୍ବାଚନ ଆୟୋଗ ।
ବିହାର ବିଧାନସଭା ନିର୍ବାଚନରେ କିଛି ପ୍ରାର୍ଥୀ ନିଜ ବିରୋଧରେ ଥିବା ଅପରାଧିକ ମାମଲାର ସୂଚନା ଦେଇନଥିଲେ । ଏହାପରେ ମାମଲା ସୁପ୍ରିମକୋର୍ଟରେ ପହଁଞ୍ଚିଥିଲା । ଏହାର ଶୁଣାଣି କରି ସର୍ବୋଚ୍ଚ ଅଦାଲତ କଠୋର ଆଭିମୁଖ୍ୟ ଆପଣାଇଛନ୍ତି ।
ବ୍ୟୁରୋ ରିପୋର୍ଟ,ଇଟିଭି ଭାରତ