ପାଣାଜୀ: ଆଜି ପ୍ରକାଶ ପାଇବ ୫ ରାଜ୍ୟର ବିଧାନସଭା ନିର୍ବାଚନ ଜନାଦେଶ । ତେବେ ଏହା ପୂର୍ବରୁ ପ୍ରକାଶ ପାଇଥିବା ବୁଥ ବାହୁଡା ଜନମତ ସର୍ଭେ ବା ଏକଜିଟ ପୋଲରେ କେଉଁ ରାଜ୍ୟରେ ସ୍ପଷ୍ଟ ବହୁମତ ତ କେଉଁଠି ଝୁଲା ସରକାର ହେବା ନେଇ ପୂର୍ବାକଳନ କରିଛନ୍ତି କିଛି ଗଣମାଧ୍ୟମ ସଂସ୍ଥା । ତେବେ ଦକ୍ଷିଣ ଉପକୂଳ ରାଜ୍ୟ ଗୋଆରେ ଚଳିତଥର ଝୁଲା ସରକାର ହେବା ନେଇ ଆକଳନ ପ୍ରକାଶ ପାଇଛି । ଏପରି ଆକଳନ ପରେ ରାଜନୈତିକ ଦଳମାନେ ମଧ୍ୟ ମେଣ୍ଟରେ ସରକାର କରିବା ନେଇ କସରତ ଆରମ୍ଭ କରିଦେଲେଣି ।
ଗତକାଲି ମୁଖ୍ଯମନ୍ତ୍ରୀ ପ୍ରମୋଦ ସାଓ୍ବନ୍ତ ଦିଲ୍ଲୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସାକ୍ଷାତ କରିଥିବା ବେଳେ ବରିଷ୍ଠ କଂଗ୍ରେସ ନେତା ପ ଚିଦାମ୍ବରମ ମଧ୍ୟ ଗୋଆ ଗସ୍ତ କରି ପାର୍ଟି କର୍ମକର୍ତ୍ତାଙ୍କ ସହ ଆଲୋଚନା କରିଛନ୍ତି । ସେହିପରି କଂଗ୍ରେସର ଅନ୍ୟ ବରିଷ୍ଠ ନେତା ଡି.କେ ଶିବକୁମାର ମଧ୍ୟ ଆକ୍ସନ ମୋଡକୁ ଆସିଥିବା ଦେଖିବାକୁ ମିଳିଛି । ଅନ୍ୟପଟେ ସରକାରୀ କଳରେ ବିଜେପି ସେଠାରେ ରାଜନୀତି କରୁଛି ବୋଲି ଅଭିଯୋଗ କରିଛନ୍ତି ଶିବସେନାର ବରିଷ୍ଠ ନେତା ସଞ୍ଜୟ ରାଓ୍ବତ ।
ବରିଷ୍ଠ କଂଗ୍ରେସ ନେତା ପି.ଚିଦାମ୍ବରମ ମଧ୍ୟ ସୂଚନା ଦେଇଛନ୍ତି ଯେ, ପାର୍ଟି କର୍ମକର୍ତ୍ତା ଓ ଅନ୍ୟ କିଛି ଦଳର ନେତାଙ୍କ ସହ ଆଲୋଚନା ଜାରି ରହିଛି । ତେବେ ଫଳାଫଳ ପୂର୍ବରୁ କଂଗ୍ରେସ ମେଣ୍ଟ ମାଧ୍ୟମରେ କ୍ଷମତା ହାତେଇବାର କୌଣସି ଅବସର ଛାଡିବା ପରି ଅବସ୍ଥାରେ ନଥିବା ଦେଖିବାକୁ ମିଳିଛି । ତେବେ କଂଗ୍ରେସ ତାର ବିଧାୟକ ପ୍ରାର୍ଥୀଙ୍କୁ ଗୋଆରେ ଏକ ରିସୋର୍ଟରେ ରଖିଛି । ଗୋଆ କଂଗ୍ରେସ ପ୍ରଭାରୀ କହିଛନ୍ତି ଆସିଥିବା ପୂର୍ବାନୁମାନ ମଧ୍ୟ ଭୁଲ ପ୍ରମାଣିତ ହୋଇପାରେ । ସେମାନେ ଗାଆରେ ତୃଣମୂଳ ସ୍ତରରୁ ମିଳିଥିବା ସୂଚନା ଆଧାରରେ ଏକକ ତଥା ସ୍ପଷ୍ଟ ବହୁମତ ପାଇବେ ଓ ଗୋଆ ଫରଓ୍ବାର୍ଡ ପାର୍ଟି ସହ ସରକାର ଗଠନ କରିବେ ବୋଲି ମଧ୍ୟ ସେ ମତ ପ୍ରକାଶ କରିଛନ୍ତି ।
ଭୋଟ୍ ପ୍ରତିଶତ:-
ଚଳିତଥର ଗୋଆ ଭଲ ପ୍ରତିଶତ ଭୋଟିଂ ରେକର୍ଡ କରିଛି । ରାଜ୍ୟରେ ୪୦ ବିଧାନସଭା ଆସନରେ ସାମଗ୍ରିକ 78.94 ପ୍ରତିଶତ ଭୋଟିଂ ହୋଇଛି । ଉତ୍ତର ଗୋଆର ସାନଖାଲିମ୍ ନିର୍ବାଚନ ମଣ୍ଡଳୀରେ ସର୍ବାଧିକ 89.61 ପ୍ରତିଶତ ପଞ୍ଜିକୃତ ହୋଇଥିବାବେଳେ ଦକ୍ଷିଣ ଗୋଆର ବେନାଲିମରେ ସର୍ବନିମ୍ନ 70.20 ପ୍ରତିଶତ ଭୋଟିଂ ହୋଇଥିଲା । ତେବେ ଏକାଧିକ ଏକଜିଟ ପୋଲର ପୂର୍ବାନୂମାନରେ କୌଣସି ପାର୍ଟିକୁ ଏକକ ବହୁମତ ମିଳିନାହିଁ । ତେଣୁ ଝୁଲା ସରକାର ଗଠନ ହେବାର ସମ୍ଭାବ୍ୟ ଚିତ୍ରକୁ ନେଇ ରାଜନୈତିକ ଦଳମାନେ କସରତ କରିବା ଆରମ୍ଭ କରିବାରେ ଲାଗିଛନ୍ତି । ଏଥର ନିର୍ବାଚନରେ ମୋଟ 301 ଜଣ ପ୍ରାର୍ଥୀ ମଇଦାନକୁ ଓହ୍ଲାଇ ଥିଲେ।
ପ୍ରାର୍ଥୀ ତାଲିକା:-
କଂଗ୍ରେସ 37 ଜଣ ପ୍ରାର୍ଥୀ ଏବଂ ଏହାର ସହଯୋଗୀ ଜିଏଫପି (ଗୋଆ ଫରୱାର୍ଡ ପାର୍ଟି) 3 ଟି ଆସନରେ ନିର୍ବାଚନ ଲଢିଥିବା ବେଳେ ବିଜେପି ସମସ୍ତ 40 ଟି ଆସନରେ ପ୍ରତିଦ୍ୱନ୍ଦ୍ୱିତା କରିଛି । AAP 39 ଟି ଆସନରେ ପ୍ରତିଦ୍ୱନ୍ଦ୍ୱିତା କରିଛି । ମମତାଙ୍କ ଟିଏମସି 26 ଟି ସିଟରେ ପ୍ରାର୍ଥୀ ଦେଇଥିବା ବେଳେ MGP (ମହାରାଷ୍ଟ୍ରବାଦୀ ଗୋମନ୍ତକ ପାର୍ଟି) 13 ଟି ସିଟରେ ପ୍ରତିଦ୍ୱନ୍ଦ୍ୱିତା କରିଛି । ସେହିପରି ମୋଟ 68 ସ୍ୱାଧୀନ ପ୍ରାର୍ଥୀ ମଧ୍ୟ ମୈଦାନରେ ରହିଛନ୍ତି ।
ପ୍ରମୁଖ ପ୍ରତିଦ୍ବନ୍ଦୀ:-
ପ୍ରମୋଦ ସାଓ୍ବାନ୍ତ: ବିଜେପି, ବିଧାନସଭା ନିର୍ବାଚନ- ସାନଖାଲିମ୍
ଦିଗମ୍ବର କାମାଥ: କଂଗ୍ରେସ, ମାରଗାଓ
ଲକ୍ଷ୍ମୀକାନ୍ତ ପାର୍ସେକର: ସ୍ବାଧୀନ, ମାଣ୍ଡ୍ରେମ
ଉତ୍କଳ ପାରିକର: ସ୍ବାଧୀନ, ପାନଜୀ
ମାଇକେଲ ଲୋବୋ: କଂଗ୍ରେସ କାଲାଙ୍ଗୁଟ୍
ଦିନାନନ୍ଦ ମାଣ୍ଡ୍ରେକର: ବିଜେପି, ସିଓଲିମ୍
ଚର୍ଚ୍ଚିଲ ଆଲେମାଓ: ଟିଏମସି, ବେନାଲିମ୍
ବିଜୟ ସର୍ଦ୍ଦାରାଇ: ଜିଏଫପି ଫାଟର୍ଡା
ଅଟାନାସିଓ ମାନସରେଟ୍: ବିଜେପି, ବିଧାନସଭା- ପାନଜୀ
ବିଶ୍ୱଜିତ ରାଣେ: ବିଜେପି,ଭାଲପୋଇ
ଅମିତ ପାଲେକର: AAP, ସେଣ୍ଟ କ୍ରୁଜ
ମନୋହର ଅଜଗାଓଁକର: ବିଜେପି, ମାରଗାଓ
ମିଲିନ୍ଦ ନାୟକ: ବିଜେପି, ବିଧାନସଭା ମର୍ମୁଗାଓ
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ