ନୂଆଦିଲ୍ଲୀ: ବିବାହ ହେଉ କି ବଡ଼ ବଡ଼ ଉତ୍ସବ ଏହାକୁ ଧୁମଧାମରେ ପାଳନ କରିବା ପାଇଁ ଆଜିକାଲି DJ ବାଦ୍ୟ ଲୋକଙ୍କ ପ୍ରଥମ ପସନ୍ଦ । ଡିଜେ ତାଳେ ତାଳେ ନାଚି ନାଚି ଝୁମି ଝୁମି ବରଯାତ୍ରୀମାନେ ବିବାହରେ ଖୁବ ମସ୍ତି କରିବା ସହ କନ୍ୟା ଘରେ ପହଛନ୍ତି । ହେଲେ ଏଠାରେ ସେହି ଡିଜେ ବାଦ୍ୟ ବିବାହରେ ସାଜିଲା ପ୍ରତିବନ୍ଧକ । ଆଉ ବର ମଣ୍ଡପ ପରିବର୍ତ୍ତେ ପହଞ୍ଚିଲା ଥାନାରେ । ରାଜଧାନୀ ଦିଲ୍ଲୀର ନୋଏଡା ଅଞ୍ଚଳରେ ଏଭଳି ଏକ ଘଟଣା ଘଟିଛି । ଯେଉଁଠି ପୋଲିସ ୧୭ ଡିଜେକୁ ଜବତ କରିବା ପରେ ବର ବିବାହ ବେଦି ଛାଡି ସେମାନଙ୍କୁ ମୁକ୍ତ କରିବା ପାଇଁ ଥାନାରେ ପହଞ୍ଚିଛି ।
ହାଇକୋର୍ଟ ଓ ଉତ୍ତରପ୍ରଦେଶ ଶାସକଙ୍କ ନିର୍ଦ୍ଦେଶ ଅନୁସାରେ ଗୌତମ ବୁଦ୍ଧ ନଗରର ଡିଜେ ପରିଚାଳକଙ୍କୁ ନୋଟିସ ଜାରି କରାଯାଇଥିଲା । ନୋଟିସ ଜାରି କରିବା ପରେ ମଧ୍ୟ ସେମାନେ ଉଚ୍ଚ ସ୍ବରରେ ଡିଜେ ବଜାଉଥିଲେ । ଏହାପରେ ସ୍ଥାନୀୟ ପୋଲିସ ଉକ୍ତ ଡିଜେ ପରିଚାଳକଙ୍କ ମଧ୍ୟରେ ବଡ ଧରଣର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି । ଗ୍ରେଟର ନୋଏଡାର ୧୭ ଡିଜେକୁ ପୋଲିସ ଜବତ କରିଥିଲା । ନୋଏଡାର ସେକ୍ଟର-୪୫ରେ ଉଚ୍ଚ ସ୍ବରରେ ଡିଜେ ବାଜିବା ପରେ ପୋଲିସ ଉକ୍ତ ଡିଜେକୁ ଜବତ କରିଥିଲା ।
ଉଚ୍ଚ ନ୍ୟାୟାଳୟ ପକ୍ଷରୁ ଧ୍ବନି ସମ୍ବନ୍ଧିତ ନିର୍ଦ୍ଦେଶ ଦିଆଯାଇଛି । ଏହା ଉପରେ ଉତ୍ତରପ୍ରଦେଶ ସରକାର ମଧ୍ୟ ହାଇକୋର୍ଟ ନିର୍ଦ୍ଦେଶର ଅନୁପାଳନ କରୁଛନ୍ତି । ଏହାପେର ହିଁ ଜିଲ୍ଲାର ଧାର୍ମିକ ଅନୁଷ୍ଠାନ ଓ ଡିଜେ ସଞ୍ଚାଳକଙ୍କୁ ନୋଟିସ୍ ଜାରି କରାଯାଇଥିଲା । ଗତ ଗୁରୁବାର ବିଳମ୍ବିତ ରାତିରେ ପୋଲିସ ଟିମ ପାଟ୍ରୋଲିଂ କରିବା ସମୟରେ ଉଚ୍ଚ ଶବ୍ଦ ଶୁଣି ଘଟଣାସ୍ଥଳରେ ପହଞ୍ଚିଥିଲା । ନିର୍ଦ୍ଧାରିତ ଡେସିବେଲ ଠାରୁ ଡିଜେର ଶବ୍ଦର ଡେସିବେଲ ଅଧିକ ଥିବାରୁ ଏହାକୁ ଜବତ କରାଯାଇଥିଲା । ଉଚ୍ଚ ଭଲ୍ୟୁମରେ ଗୀତ ବାଜିବା ଦ୍ବାରା ଶବ୍ଦ ପ୍ରଦୂଷଣ(Noise Pollution) ହେଉଥିବା ପୋଲିସ କହିଥିଲା ।
ନୋଏଡାର ସେକ୍ଟର-୩୯ରେ ୫ଟି ଡିଜେ, ଦାଦରିରେ ୫ଟି ଡିଜେ, ବିଟା-୨ରେ ଦୁଇଟି ଡିଜେ, ଦନକୌରରେ ୪ଟି ଡିଜେ, ଇକୋଟେକ-୩ରେ ଗୋଟିଏ ଡିଜେ ଏବଂ ଜୈୱରରେ ଗୋଟିଏ ଡିଜେ ଜବତ କରିଛି ପୋଲିସ । ଏହି ସମସ୍ତ ଡିଜେ ଜୋରରେ ବାଜୁଥିଲା । ପୋଲିସ କମିଶନର ଲଭ କୁମାର କହିଛନ୍ତି ଯେ ସମସ୍ତ ଡିସିପିଙ୍କ ନେତୃତ୍ବରେ ସମସ୍ତ ଥାନା ଅଞ୍ଚଳରେ ଶବ୍ଦ ପ୍ରଦୂଷଣ ଯାଞ୍ଚ ଅଭିଯାନ ଜାରି ରହିଛି । ଯେଉଁମାନେ ନିୟମ ପାଳନ କରୁନାହାଁନ୍ତି ସେମାନଙ୍କ ବିରୋଧରେ ଆବଶ୍ୟକ ଅନୁଯାୟୀ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି । ଭବିଷ୍ୟତରେ ମଧ୍ୟ ଏହି ପ୍ରକାରର କାର୍ଯ୍ୟ ଜାରି ରହିବ ବୋଲି ସେ କହିଛନ୍ତି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ