ନୂଆଦିଲ୍ଲୀ: ମହାମାରୀ କୋରୋନାର ମୁକାବିଲା କରିବା ପାଇଁ ଜାନୁଆରୀ 16ରୁ ଦେଶରେ ଆରମ୍ଭ ହେବାକୁ ଯାଉଛି ଟିକାକରଣ ଅଭିଯାନ । ଏହି ଦିନ 11ଟାରେ ଟିକାକରଣ କାର୍ଯ୍ୟକ୍ରମର ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏହି ଅବସରରେ ପିଏମ ମୋଦି ଟିକାକରଣ ପାଇଁ ପ୍ରସ୍ତୁତ କୋୱିନ ଆପ୍କୁ ମଧ୍ୟ ଲଞ୍ଚ କରିବେ ।
ସରକାର ସେରମ ଇନଷ୍ଟିଚ୍ୟୁଟରୁ 1.1 କୋଟି ଡୋଜ ଓ ଭାରତ ବାୟୋଟେକରୁ 55 ଲକ୍ଷ ଡୋଜ କିଣିବା ନେଇ ଚୁକ୍ତି ଉପରେ ହସ୍ତାକ୍ଷର କରିଛନ୍ତି । ତେବେ ଆଗାମୀ 6ରୁ 8 ମାସ ମଧ୍ୟରେ ବିପଦ ସମ୍ପନ୍ନ ପରିସ୍ଥିତିରେ କାମ କରୁଥିବା 30 କୋଟିରୁ ଉର୍ଦ୍ଧ୍ବ ଜଣଙ୍କୁ ଟିକା ଦିଆଯିବା ନେଇ ଅଧିକାରୀ ମାନେ ଲକ୍ଷ ରଖିଛନ୍ତି ।
କୋରୋନା ଟିକାକରଣ ତିନୋଟି ପର୍ଯ୍ୟାୟରେ ହେବ । ପ୍ରଥମ ପର୍ଯ୍ୟାୟରେ ଆଗ ଧାଡିର କୋଭିଡ ଯୋଦ୍ଧା ତଥା ସ୍ବାସ୍ଥ୍ୟକର୍ମୀଙ୍କୁ ଏଥିରେ ସାମିଲ କରାଯିବ । ଏହା ପରେ ଜରୁରୀକାଳୀନ କର୍ମଚାରୀଙ୍କ ଟିକାକରଣ ହେବ । ତୃତୀୟ ପର୍ଯ୍ୟାୟରେ ଯେଉଁମାନେ କୌଣସି ରୋଗରେ ପୀଡିତ ଥାନ୍ତି, ତେବେ ସେମାନଙ୍କୁ ଟିକା ଦିଆଯିବ ।
କୋଭିଡ ଟିକାର ଦୁଇଟି ଡୋଜ 28 ଦିନ ବ୍ୟବଧାନରେ ଦିଆଯିବ । ଦ୍ବିତୀୟ ଡୋଜ ଦିଆଯିବାର 14 ଦିନ ପରେ ଆଣ୍ଟିବଡି ସୃଷ୍ଟି ହେବ । ଟିକାକରଣର ସମ୍ପୂର୍ଣ୍ଣ ପ୍ରଣାଳୀର ସୂଚନା ପାଇଁ କୋୱିନ ଲଞ୍ଚ କରାଯିବ । ଗତ ବର୍ଷ ଡିସେମ୍ବରରେ କେନ୍ଦ୍ର ସରକାର କୋୱିନ ଆପ ଲଞ୍ଚ ନେଇ ଘୋଷଣା କରିଥିଲେ । ଏଥିରୁ ଜନସାଧାରଣଙ୍କୁ ଭ୍ୟାକ୍ସିନର ବିତରଣରେ ଏଜେନ୍ସିଙ୍କୁ ସହାୟତା ମିଳିପାରିବ । ଖାସକରି ଜନସାଧାରଣଙ୍କୁ ଟିକାକରଣ ପ୍ରକ୍ରିୟାରେ ପଞ୍ଜିକୃତ କରାଇବା ପାଇଁ ଏହାକୁ ଡିଜାଇନ କରାଯାଇଛି ।