ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀଙ୍କ ନାମରେ ବିଶ୍ବର ସବୁଠାରୁ ବଡ ଷ୍ଟାଡିୟମର ନାମକରଣ କରାଯାଇଛି । ତେବେ ପ୍ରଧାନମନ୍ତ୍ରୀଙ୍କ ଲକ୍ଷ୍ୟ ପୂରଣ ଏବଂ ବିଚାରଧାରାକୁ ସମ୍ମାନିତ କରିବା ପାଇଁ ଏହା ଏକ ପ୍ରୟାସ ବୋଲି ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା କହିଛନ୍ତି ।
ପ୍ରଧାନମନ୍ତ୍ରୀଙ୍କ ଉଦ୍ୟମ ଓ ନୀତି ଦ୍ବାରା ଭାରତ ବର୍ତ୍ତମାନ କ୍ରୀଡା କ୍ଷେତ୍ରରେ ଏକ ଉତ୍ତମ ସ୍ଥିତି ବଜାୟ ରଖିବାରେ ସକ୍ଷମ ହୋଇଛି । ଏଣୁ ବିଶ୍ବର ସର୍ବବୃହତ ଷ୍ଟାଡିୟମର ନାମକୁ ପ୍ରଧାନମନ୍ତ୍ରୀଙ୍କ ନାମରେ ନାମକରଣ କରିବା ଦ୍ବାରା ପ୍ରଧାନମନ୍ତ୍ରୀଙ୍କ ଚିନ୍ତାଧାରାକୁ ସମ୍ମାନିତ କରାଯାଇଛି ବୋଲି ନଡ୍ଡା ଟ୍ବିଟ ମାଧ୍ୟମରେ କହିଛନ୍ତି ।
ଭାରତ ଓ ଇଂଲଣ୍ଡ ମଧ୍ୟରେ ଚାଲିଥିବା ପିଙ୍କ ଟେଷ୍ଟ ବଲ ମ୍ୟାଚ ଗୁଜୁରାଟର ମୋଟେରା ଷ୍ଟାଡିୟମରେ ଚାଲିଛି । ତେବେ ଏହି ନୂତନ ନିର୍ମିତ ଷ୍ଟାଡିୟମକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନାମରେ ନାମିତ କରାଯାଇ ବର୍ତ୍ତମାନ ନରେନ୍ଦ୍ର ମୋଦି ଷ୍ଟାଡିୟମ ରଖାଯାଇଛି ।
ତେବେ ଏହି ଷ୍ଟାଡିୟମ ବିଶ୍ବର ସର୍ବବୃହତ ଷ୍ଟାଡିୟମ ହୋଇଥିବା ବେଳେ ଏଥିରେ 1 ଲକ୍ଷ 32 ହଜାର ଦର୍ଶକ ବସି ମ୍ୟାଚ ଦେଖିପାରିବେ ଏବଂ ଏଥିରେ ଖେଳାଳି ଓ ଦର୍ଶକଙ୍କ ପାଇଁ ସମସ୍ତ ଅତ୍ୟାଧୁନିକ ସୁବିଧା ଉପଲବ୍ଧ ବୋଲି ଜଣାପଡିଛି ।
@ANI