ଗାନ୍ଧୀନଗର: ଆଜି ୧୦୦ ବର୍ଷରେ ପାଦ ଥାପିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମାଆ । ଏହି ଅବସରରେ ନିଜ ମାଆ ହୀରା ବେନଙ୍କ ଉଦ୍ଦେଶ୍ୟରେ ଏକ ଭାବପୂର୍ଣ୍ଣ ବ୍ଲଗ୍ ଲେଖିଛନ୍ତି ପ୍ରଧାନମନ୍ତ୍ରୀ । ବ୍ଲଗ ମାଧ୍ୟମରେ ସେ ନିଜ ମାଆଙ୍କ ସଂଘର୍ଷ, ବଳିଦାନ ଓ ବ୍ୟକ୍ତିତ୍ବ ସମ୍ପର୍କରେ ଉଲ୍ଲେଖ କରିଛନ୍ତି ଏବଂ ନିଜ ପିଲାଦିନର କିଛି ସ୍ମୃତି ମନେ ପକାଇଛନ୍ତି । ସେ ଲିଖିଛନ୍ତି, ''ମାଆ କେବଳ ଏକ ଶବ୍ଦ ନୁହେଁ । ଏହା ଜୀବନର ଏମିତି ଏକ ଭାବନା ଯେଉଁଥିରେ ସ୍ନେହ, ଧୈର୍ଯ୍ୟ, ବିଶ୍ୱାସ, ଏମିତି କେତେ କ’ଣ ସମାହିତ ହୋଇ ରହିଛି । ଦୁନିଆର ଯେକୌଣସି ପ୍ରାନ୍ତ ହେଉ, ଯେକୌଣସି ଦେଶ ହେଉ, ପ୍ରତ୍ୟେକ ସନ୍ତାନର ମନରେ ସବୁଠୁ ଅମୂଲ୍ୟ ସ୍ନେହ ମାଆ ପାଇଁ ଲୁଚି ରହିଥାଏ । ମାଆ କେବଳ ଆମ ଶରୀରକୁ ରୂପ ଦିଏ ନାହିଁ, ବରଂ ଆମ ମନ, ଆମ ବ୍ୟକ୍ତିତ୍ୱ, ଆମ ଆତ୍ମବିଶ୍ୱାସର ମଧ୍ୟ ନିର୍ମାଣ କରିଥାଏ । ଆଉ ନିଜ ସନ୍ତାନ ପାଇଁ ଏତିକି କରିବା ଲାଗି ସେ ନିଜକୁ ସମର୍ପି ଦେଇଥାଏ, ନିଜକୁ ଭୁଲି ଯାଇଥାଏ । ମୋ ମାଆ ଆଜି ନିଜ ଜୀବନର ୧୦୦ତମ ବର୍ଷରେ ପ୍ରବେଶ କରୁଛନ୍ତି ।''
''ମୋ ମାଆ ଯେତିକି ସାଧାରଣ, ସେତିକି ଅସାଧାରଣ ମଧ୍ୟ । ଠିକ୍ ସେମିତି, ଯେମିତି ସବୁ ଘରେ ମା’ମାନେ ହୋଇଥାନ୍ତି । ଆଜି ଯେତେବେଳେ ମୁଁ ମୋ ମା’ଙ୍କ ବିଷୟରେ ଲେଖୁଛି, ଆପଣମାନେ ଏହାକୁ ପଢ଼ି ଭାବୁଥିବେ, ଆରେ ! ମୋ ମାଆ ବି ତ’ ଏମିତି । ମୋ ମା’ ମଧ୍ୟ ଏମିତି କରିଥାନ୍ତି । ମୋ ଲେଖା ପଢ଼ିବା ସମୟରେ ଆପଣ ନିଜ ମା’ଙ୍କ କଥା ଭାବୁଥିବେ । ମେହସାଣା ଜିଲ୍ଲାର ବିସନଗର ଠାରେ ମୋ ମା’ଙ୍କ ଜନ୍ମ ହୋଇଥିଲା । ବଡ଼ନଗର ଠାରୁ ଏ ସ୍ଥାନ ବେଶୀ ଦୂର ନୁହେଁ । ଦୁର୍ଭାଗ୍ୟବଶତଃ, ମାଆଙ୍କୁ ତାଙ୍କ ମାଆ ଅର୍ଥାତ୍ ମୋ ଆଈଙ୍କ ସ୍ନେହ ମିଳି ପାରିନଥିଲା । ଗୋଟିଏ ଶତାବ୍ଦୀ ପୂର୍ବରୁ ଆସିଥିବା ବିଶ୍ୱ ମହାମାରୀର ପ୍ରଭାବ ସେତେବେଳେ ଅନେକ ବର୍ଷ ପର୍ଯ୍ୟନ୍ତ ରହିଥିଲା । ସେହି ମହାମାରୀ ମୋ ମାଆ ଙ୍କ ଠାରୁ ଆଈଙ୍କୁ ଛଡ଼ାଇ ନେଇଥିଲା । ଆଈଙ୍କ ମୁହଁ, ତାଙ୍କର କୋଳ, ଏସବୁ କିଛି କଥା ମାଆଙ୍କର ମନେ ନାହିଁ । ମାଆ କେବେ ସ୍କୁଲ ମାଟି ମାଡ଼ିନଥିଲେ । ଘରେ କେବଳ ଦାରିଦ୍ର୍ୟ ଓ ଅଭାବ ଭିତରେ ତାଙ୍କର ଜୀବନ କଟିଥିଲା ।''
''ବଡ଼ନଗରରେ ଆମେ ଯେଉଁ ଘରେ ରହୁଥିଲୁ ତାହା ଖୁବ୍ ଛୋଟ ଥିଲା । ସେ ଘରେ ଝରକା ସୁଦ୍ଧା ନଥିଲା, ଶୌଚାଳୟ କିମ୍ବା ବାଥରୁମ୍ ନଥିଲା । ମୋଟ ଉପରେ ଦେଖିବାକୁ ଗଲେ ମାଟି କାନ୍ଥ ଓ ଟାଇଲ ଛପରରେ ତିଆରି ଗୋଟିଏ-ଦେଢ଼ କୋଠରୀ ବିଶିଷ୍ଟ ସେହି ଢାଞ୍ଚା ହିଁ ଆମ ଘର ଥିଲା । ସେହି ଘରେ ମା’-ବାପା, ଆମେ ସମସ୍ତେ ଭାଇ-ଭଉଣୀ ରହୁଥିଲୁ । ସେହି ଛୋଟ ଘରେ ମା’ଙ୍କ ରୋଷେଇ ସୁବିଧା ପାଇଁ ବାପା ବାଉଁଶ ଖୁଣ୍ଟ ଏବଂ କାଠ ପଟା ସହାୟତାରେ ଏକ ମଞ୍ଚା ଭଳି ଢାଞ୍ଚା ତିଆରି କରିଥିଲେ । ସେହି ମଞ୍ଚା ହିଁ ଆମ ଘରର ରୋଷେଇ ଘର ଥିଲା । ମାଆ ତା’ ଉପରେ ଚଢ଼ି ଖାଇବା ପ୍ରସ୍ତୁତ କରୁଥିଲେ ଏବଂ ଆମେ ସମସ୍ତେ ତା’ ଉପରେ ବସି ଖାଉଥିଲୁ । ସାଧାରଣତଃ ଯେଉଁଠି ଅଭାବ ରହିଥାଏ, ସେଠି ଅଶାନ୍ତି ରହିଥାଏ । କିନ୍ତୁ ମୋ ବାପା-ମାଆଙ୍କର ବିଶେଷତ୍ୱ ହେଉଛି ଅଭାବ ସତ୍ତ୍ୱେ ସେମାନେ ଘରେ କେବେ ମଧ୍ୟ ଅଶାନ୍ତିର ବାତାବରଣ ସୃଷ୍ଟି ହେବାକୁ ଦେଉନଥିଲେ ।''
''ମାଆଙ୍କର ଘର ସଜେଇବା, ଘରକୁ ସୁନ୍ଦର ରଖିବାର ଭାରି ସଉକ ଥିଲା । ଘର କେମିତି ସୁନ୍ଦର ଦେଖାଯିବ, ସଫା ଦେଖାଯିବ, ସେଥିପାଇଁ ସେ ସାରା ଦିନ କାମ କରୁଥିଲେ । ଘର ଚଟାଣକୁ ସେ ଗୋବରରେ ଲିପୁଥିଲେ । ପୁରୁଣା ଜିନିଷକୁ ରିସାଇକିଲ କରିବାର ଯେଉଁ ଅଭ୍ୟାସ ଆମ ଭାରତୀୟମାନଙ୍କର ରହିଛି, ସେଥିରେ ମାଆ ମଧ୍ୟ ଚାମ୍ପିଅନ ଥିଲେ । ଆମ ଘର ପାଖରେ ଥିବା ବୁଲା କୁକୁର ଯେମିତି ଭୋକରେ ନରହିବେ ସେଥିପ୍ରତି ମଧ୍ୟ ମାଆ ଧ୍ୟାନ ଦେଉଥିଲେ । ଗୋଟିଏ ଅନ୍ନ କଣିକା ଯେମିତି ନଷ୍ଟ ନହୁଏ ସେଥିପ୍ରତି ମାଆ ସବୁବେଳେ ଧ୍ୟାନ ଦେଉଥିଲେ। ମୋ ମାଆ କେବେ ବି କୌଣସି ସରକାରୀ କିମ୍ବା ସାର୍ବଜନୀନ କାର୍ଯ୍ୟକ୍ରମରେ ମୋ ସହ ଯାଇନଥାନ୍ତି । ବର୍ତ୍ତମାନ ସୁଦ୍ଧା ଏମିତି ଦୁଇ ଥର ହୋଇଛି ଯେତେବେଳେ ସେ କୌଣସି ସାର୍ବଜନୀନ କାର୍ଯ୍ୟକ୍ରମରେ ମୋ ସହ ଉପସ୍ଥିତ ରହିଛନ୍ତି । ଥରେ ମୁଁ ଯେତେବେଳେ ଏକତା ଯାତ୍ରା ପରେ ଶ୍ରୀନଗର ଲାଲ ଚୌକରେ ତ୍ରିରଙ୍ଗା ଉଡ଼ାଇ ଫେରିଥିଲି, ଅହମ୍ମଦାବାଦରେ ଆୟୋଜିତ ନାଗରିକ ସମ୍ମାନ କାର୍ଯ୍ୟକ୍ରମରେ ମାଆ ମଞ୍ଚ ଉପରକୁ ଆସି ମୋତେ ଟିକା ଲଗାଇ ଦେଇଥିଲେ ।''
''ଅକ୍ଷର ଜ୍ଞାନ ନଥାଇ ସୁଦ୍ଧା ଜଣେ କିଭଳି ଶିକ୍ଷିତ ହୋଇପାରନ୍ତି, ସେ କଥା ମୁଁ ସବୁବେଳେ ମୋ ମାଆଙ୍କ ଠାରେ ଦେଖିଛି । ତାଙ୍କର ଚିନ୍ତାଧାରା, ତାଙ୍କ ଦୂରଦୃଷ୍ଟି, ମୋତେ ଅନେକ ସମୟରେ ଆଚମ୍ବିତ କରିଥାଏ । ନିଜ ନାଗରିକ କର୍ତ୍ତବ୍ୟ ପ୍ରତି ମାଆ ସବୁବେଳେ ସମ୍ପୂର୍ଣ୍ଣ ସଚେତନ ରହିଥାନ୍ତି । ଯେବେଠାରୁ ନିର୍ବାଚନ ଆରମ୍ଭ ହୋଇଛି, ପଞ୍ଚାୟତ ଠାରୁ ଆରମ୍ଭ କରି ପାର୍ଲାମେଣ୍ଟ ପର୍ଯ୍ୟନ୍ତ ସବୁ ନିର୍ବାଚନରେ ସେ ମତଦାନ ଅଧିକାର ସାବ୍ୟସ୍ତ କରିଛନ୍ତି । ତାଙ୍କୁ ସୁନା-ଅଳଙ୍କାରର କୌଣସି ଲୋଭ ନାହିଁ । ସେ ପୂର୍ବରୁ ମଧ୍ୟ ସରଳ ଜୀବନ ବିତାଉଥିଲେ ଏବଂ ଆଜି ମଧ୍ୟ ସେ ସେହିଭଳି ଭାବରେ ନିଜ ଛୋଟ କୋଠରୀରେ ସମ୍ପୂର୍ଣ୍ଣ ସରଳତାର ସହ ରହୁଛନ୍ତି ।''
''ଦିଲ୍ଲୀ ଆସିବା ପରେ ମାଆଙ୍କ ସହ ସାକ୍ଷାତ ଆହୁରି କମ୍ ହୋଇଯାଇଛି । ଯେତେବେଳେ ମୁଁ ଗାନ୍ଧୀନଗରକୁ ଯାଇଥାଏ, ସେତେବେଳେ ମାଆ ଙ୍କୁ ଭେଟିବା ହୋଇଥାଏ ମାତ୍ର ଅଳ୍ପ କିଛିକ୍ଷଣ ପାଇଁ । କିନ୍ତୁ ଆଜି ପର୍ଯ୍ୟନ୍ତ ମୋ ମାଆ ମନରେ କୌଣସି ଅସନ୍ତୋଷ କିମ୍ବା ଦୁଃଖର ଭାବନା ମୁଁ ଅନୁଭବ କରିନାହିଁ । ମାଆଙ୍କ ସହିତ ଯେତେବେଳେ ମଧ୍ୟ ଫୋନରେ କଥା ହୋଇଥାଏ । ସେ ଏହା କହିଥାନ୍ତି ଯେ, ଦେଖ କୌଣସି ଭୁଲ କରିବ ନାହିଁ, ଖରାପ କାମ କରିବ ନାହିଁ, ଗରିବଙ୍କ ପାଇଁ କାମ କରିବ । ମୁଁ ନିଜ ମାଆଙ୍କର ଏହି ଜୀବନ ଯାତ୍ରାରେ ଦେଶର ସମଗ୍ର ମାତୃଶକ୍ତିର ଦୃଢତା, ବଳିଦାନ ଏବଂ ଅବଦାନକୁ ଦେଖିଛି ।" ଶେଷର ମାଆ ତୁମକୁ ଜନ୍ମ ଦିନର ବହୁତ ବହୁତ ଶୁଭକାମନା ବୋଲି ଲେଖିଛନ୍ତି ମୋଦି ।