ନୂଆଦିଲ୍ଲୀ: ଲକଡାଉନ ପରେ ପ୍ରଥମ ଥର ନିଜ ସଂସଦୀୟ କ୍ଷେତ୍ର ବାରାଣାସୀ ଗସ୍ତ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଶେଷ ଥର ପାଇଁ ଫେବୃଆରୀରେ ବାରାଣାସୀ ଗସ୍ତ କରିଥିଲେ ପ୍ରଧାନମନ୍ତ୍ରୀ । ଏହାକୁ ମିଶାଇ 23 ଥର ବାରାଣାସୀ ଗସ୍ତ କରିବେ । ଏହି ଅବସରରେ ସେ ଏଠାରେ 2ଟି ଜନସଭାକୁ ସମ୍ବୋଧନ କରିବେ ବୋଲି ଜଣାପଡିଛି ।
ବାରାଣାସୀରେ ମୋଦି ଦେବଦୀପାବଳୀ ମହୋତ୍ସବରେ ଭାଗ ନେବେ । ଏହା ସହ ସେ ମିର୍ଜାମୁରାଦର ଖଜୁରୀରେ ବାରାଣାସୀ-ଇଣ୍ଡିଆ 6 ଲେନ ସଡକର ଲୋକାର୍ପଣ ମଧ୍ୟ କରିବେ । ଖଜୁରୀରୁ ପ୍ରଧାନମନ୍ତ୍ରୀ ଡୋମରୀ ହ୍ୟାଲେପେଡରେ ପହଞ୍ଚି ସେଠାରୁ ସଡକ ମାର୍ଗରେ ଭଗବାନ ଅବଧୁତ ରାମ ଘାଟ ଯାଇ କ୍ରୁଜରେ ପରିଭ୍ରମଣ କରିବେ ।
କ୍ରୁଜରେ ବସି ମୋଦି ସିଧା ଲଳିତା ଘାଟ ଯିବେ, ଯେଉଁଠାରେ ସେ ବିଶ୍ବନାଥ ମନ୍ଦିର ଯାଇ ପୂଜାର୍ଚ୍ଚନା କରିବା ପରେ ଏହାର ନିର୍ମାଣର ଅଗ୍ରଗତିର ତଦାରଖ କରିବେ । ବିଶ୍ୱନାଥ ମନ୍ଦିରରୁ ପ୍ରଧାନମନ୍ତ୍ରୀ ପୁଣି ଲଲିତା ଘାଟକୁ ଆସି ଆଲାକାନନ୍ଦ କ୍ରୁଜରେ ରାଜଘାଟକୁ ଯିବେ, ଯେଉଁଠାରେ ଦେବଦୀପାବଳି ନେଇ ଦୀପ ପ୍ରଜ୍ବଳନ କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି ।
ଦେବଦୀପବାଳିର ଦୀପ ଜାଳିବା ପରେ ଏଠାରେ ପର୍ଯ୍ୟଟନ ବିଭାଗ ଦ୍ବାରା ପ୍ରସ୍ତୁତ ଏକ ୱେବସାଇଟ୍ ମଧ୍ୟ ଉଦଘାଟନ କରିବେ ମୋଦି | ରାଜଘାଟରେ ପ୍ରଧାନମନ୍ତ୍ରୀ 5000 ବିଜେପି କର୍ମୀ ଏବଂ ବାରାଣାସୀର ଜନସାଧାରଣଙ୍କୁ ସମ୍ବୋଧନ କରିବେ ।
ରାଜଘାଟରୁ ଅପରାହ୍ନ 5ଟା 45ରେ ପ୍ରଧାନମନ୍ତ୍ରୀ ଏକ କ୍ରୁଜରେ ରବିଦାସ ଘାଟ ଅଭିମୁଖେ ଯାତ୍ରା କରିବେ । ମଝିରେ ପ୍ରଧାନମନ୍ତ୍ରୀ ଚେତ ସିଂ ଘାଟରେ 10 ମିନିଟ୍ ଅଟକି ଲେଜର ସୋ ଯାଞ୍ଚ କରିବେ ।
ଲେଜର ସୋ ଦେଖିବା ପରେ ପ୍ରଧାନମନ୍ତ୍ରୀ ସଂଧ୍ୟା 6ଟା 45 ରେ ରବିଦାସ ଘାଟରେ ପହଞ୍ଚି ସାରନାଥକୁ ଯିବେ । ସନ୍ଧ୍ୟା 7ଟା 30ରେ ପ୍ରଧାନମନ୍ତ୍ରୀ ସରନାଥରେ ପହଞ୍ଚି ଲାଇଟ୍ ଏବଂ ସାଉଣ୍ଡ୍ ସୋ ଦେଖିବେ ।
ଏହା ପରେ ରାତି 8ଟା 15ରେ ପ୍ରଧାନମନ୍ତ୍ରୀ ବାବାତପୁର ବିମାନବନ୍ଦର ଅଭିମୁଖେ ଯାତ୍ରା କରିବେ । ସେଠାରୁ ସେ ରାତି 8ଟା 50 ରେ ଏକ ସ୍ବତନ୍ତ୍ର ବିମାନରେ ଦିଲ୍ଲୀ ପ୍ରତ୍ୟାବର୍ତ୍ତନ କରିବାର କାର୍ଯ୍ୟକ୍ରମ ରହିଛି ।