ନୂଆଦିଲ୍ଲୀ: ଜୁଲାଇ 2 ତାରିଖରୁ ଦୁଇ ଦିନିଆ ହାଇଦ୍ରାବାଦ ଗସ୍ତରେ ଯିବେ ପ୍ରଧାନମନ୍ତ୍ରୀ ମୋଦି । ହାଇଦ୍ରାବାଦରେ ଆୟୋଜିତ ହେବାକୁ ଥିବା ବିଜେପିର ଦୁଇ ଦିନିଆ କାର୍ଯ୍ୟକାରିଣୀ ବୈଠକରେ ଯୋଗ ଦେବାସହ ଏକ ଜନସମାରୋହକୁ ମୋଦି ସମ୍ବୋଧିତ କରିବେ । ଏନେଇ ଶନିବାର ତେଲେଙ୍ଗାନାର ବିଜେପି ସାଧାରଣ ସମ୍ପାଦକ ତରୁଣ ଚୁଘ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ।
ତରୁଣ ଚୁଘ କହିଛନ୍ତି, ଜୁଲାଇ 2 ତାରିଖ ସନ୍ଧ୍ୟାରେ ବିଜେପି ଜାତୀୟ କାର୍ଯ୍ୟକାରିଣୀ ବୈଠକରେ ମୋଦି ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି । ଏହାପରେ 3 ତାରିଖ ସନ୍ଧ୍ୟାରେ ହାଇଦ୍ରାବାଦର ସିକନ୍ଦରାବାଦ ପ୍ୟାରେଡ ଗ୍ରାଉଣ୍ଡରେ ଏକ ବିଶାଳ ସମାବେଶର ଆୟୋଜନ ହେବ । ଏହି ଅବସରରେ ପ୍ରଧାନମନ୍ତ୍ରୀ ମୋଦି ଏହାକୁ ସମ୍ବୋଧିତ କରିବେ । ମୋଦିଙ୍କ ଅଭିଭାଷଣ ତେଲେଙ୍ଗାନାରେ ବିଜେପି ସରକାର ଗଠନ ଏବଂ ପରିବର୍ତ୍ତନର ଏକ ନୂତନ ଆରମ୍ଭ ବୋଲି ସେ କହିଛନ୍ତି । ଏହି କାର୍ଯ୍ୟକ୍ରମରେ ରାଜ୍ୟର ସମସ୍ତ ବିଜେପି କର୍ମୀମାନେ ଯୋଗ ଦେବେ ।
ସୂଚନା ଥାଉକି, ଜୁଲାଇ 1ରେ ହାଇଦ୍ରାବାଦରେ ଜାତୀୟ କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହେବ । ଦଳକୁ ସୁଦୃଢ କରିବା ନେଇ ବୈଠକରେ ଆଲୋଚନା ହେବ । ବିଜେପି ଜାତୀୟ କାର୍ଯ୍ୟାଳୟର ଅଧିକାରୀ ତଥା ରାଜ୍ୟ ୟୁନିଟ୍ ସଭାପତିମାନେ ଜୁଲାଇରେ ଦଳ ତଥା ଦେଶକୁ ମଜବୁତ କରିବା ଉପରେ ଆଲୋଚନା କରିବେ। ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ଅନୁଷ୍ଠିତ ହେବ।