ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତା ମେ 1ରୁ ଦୁଇ ଦିନିଆ ଜର୍ମାନୀ ଗସ୍ତ କରିବେ । ଜର୍ମାନୀରେ ଅନୁଷ୍ଠିତ ଦ୍ବିପାକ୍ଷିକ ଆଲୋଚନାରେ ସାମିଲ ହେବେ । ଦୁଇ ଦିନିଆ ଗସ୍ତରେ ସେ ଡେନମାର୍କର ରାଜଧାନୀ କୋପେନହାଗେନକୁ ଯିବେ । ଆସନ୍ତା ଏପ୍ରିଲ 24 ତାରିଖରେ ଫ୍ରାନ୍ସରେ ରାଷ୍ଟ୍ରପତି ଚୟନ କାର୍ଯ୍ୟକ୍ରମ ରହିଛି । ଏହି ପରିପ୍ରେକ୍ଷୀରେ ମୋଦି ଫ୍ରାନ୍ସ ଗସ୍ତରେ ମଧ୍ୟ ଯାଇପାରନ୍ତି ।
ପ୍ରଧାନମନ୍ତ୍ରୀ ମୋଦିଙ୍କ ତିନି ୟୁରୋପୀୟ ଦେଶ ଗସ୍ତର ସୂଚନା ପ୍ରକାଶ ପାଇଛି । ୟୁକ୍ରେନ ଉପରେ ଋଷର ଆକ୍ରମଣ ପରେ ଜର୍ମାନୀ ଏବଂ ଫ୍ରାନ୍ସ କଠୋର ଆଭିମୁଖ୍ୟ ଗ୍ରହଣ କରିବା ସହ ବିଭିନ୍ନ କ୍ଷେତ୍ରରେ ପ୍ରତିବନ୍ଧକ ଲଗାଇଛି । ଦେଶର ସାର୍ବଭୌମତ୍ବକୁ ସମ୍ମାନ ଦେବା ପାଇଁ ଏଯାଏ ଭାରତ ନିରପେକ୍ଷ ରହିଛି । ତେଣୁ ଦୁଇ ଦେଶ ମଧ୍ୟରେ ଯୁଦ୍ଧକୁ ବନ୍ଦ କରିବା ପାଇଁ ଜର୍ମାନୀରେ ଦ୍ବିପାକ୍ଷିକ ଆଲୋଚନାରେ ମୋଦି ସାମିଲ ହେବେ । ଅନ୍ୟପଟେ ୟୁକ୍ରେନ ପାଇଁ ସାମରିକ ଓ ଆର୍ଥନୈତିକ ସହାୟତା ଘୋଷଣା କରିଛି ଜର୍ମାନୀ । ଭାରତ ମଧ୍ୟ କିଭକୁ ମାନବିକ ସହାୟତା ପଠାଇଛି।
ଗତ ଦୁଇ ସପ୍ତାହ ମଧ୍ୟରେ, ଅନେକ ଦେଶର ନେତାମାନେ ଋଷ ଉପରେ ଲାଗିଥିବା ପ୍ରତିବନ୍ଧକକୁ ନେଇ ଭାରତ ଗସ୍ତ କରିଛନ୍ତି । ଗତ ସପ୍ତାହରେ ପ୍ରଧାନମନ୍ତ୍ରୀ ମୋଦି ଆମେରିକା ରାଷ୍ଟ୍ରପତି ବାଇଡେନଙ୍କ ସହ ଭର୍ଚ୍ଚୁଆଲରେ ଦ୍ବିପାକ୍ଷିକ ଚୁକ୍ତି ସମ୍ପର୍କରେ ଆଲୋଚନା କରିଥିଲେ । ବ୍ରିଟେନ ପ୍ରଧାନମନ୍ତ୍ରୀ ବୋରିସ ଜନସନ ମଧ୍ୟ ଦୁଇ ଦିନିଆ ଭାରତ ଗସ୍ତରେ ଅଛନ୍ତି ।