ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ମୋଦି ଶନିବାର ଦିନ 11ଟାରେ ଭାରତ ଖେଳଣା ମେଳା 2021କୁ ଭିଡ଼ିଓ କନଫରେନ୍ସିଂ ଜରିଆରେ ଉଦଘାଟନ କରିବେ । ଏହି ମେଳା ଫେବୃଆରୀ 27 ତାରିଖ ଠାରୁ ମାର୍ଚ୍ଚ 2 ତାରିଖ ପର୍ଯ୍ୟନ୍ତ ଚାଲିବ ବୋଲି ସୂଚନା ମିଳିଛି ।
ଖେଳନା ଶିଶୁଙ୍କ ମାନସିକ ବିକାଶରେ ଏକ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିବା ସହିତ ସାଇକୋମୋଟର୍ ଏବଂ ଜ୍ଞାନଗତ କୌଶଳରେ ବିକାଶରେ ମଧ୍ୟ ସାହାଯ୍ୟ କରିଥାଏ । ଗତବର୍ଷ ଅଗଷ୍ଟ ମାସର ମନ କି ବାତ୍ କାର୍ଯ୍ୟକ୍ରମରେ ମୋଦି କହିଥିଲେ ଯେ ଶିଶୁଙ୍କ କାର୍ଯ୍ୟକଳାପ ବୃଦ୍ଧି କରିବା ସହିତ ସେମାନଙ୍କ ଆଶା ଆକାଂକ୍ଷା ସହିତ ଲଢିବାରେ ସାହାଯ୍ୟ କରିଥାଏ ।
ଛୋଟ ପିଲାଙ୍କ ମାନସିକ ବିକାଶରେ ଖେଳଣାର ଏକ ବଡ ଭୂମିକା ରହିଥିବାରୁ ଦେଶରେ ଖେଳଣା ଉତ୍ପାଦନର ପରିମାଣକୁ ବୃଦ୍ଧି କରିବା ପାଇଁ ମୋଦି ଖେଳଣା ନିର୍ମାଣକାରୀ ସଂସ୍ଥାକୁ ଆହ୍ବାନ ଦେଇଥିଲେ । ପ୍ରଧାନମନ୍ତ୍ରୀଙ୍କ ଏହି ଚିନ୍ତାଧାରା ସହିତ ଚଳିତ ବର୍ଷର ଇଣ୍ଡିଆ ଟଏ ଫେୟାର ବା ଭାରତ ଖେଳନା ମେଳା 2021 ଉଦଘାଟିତ ହେବାକୁ ଯାଉଛି ।
ଏହି ମେଳା ଫେବୃଆରୀ 27 ତାରିଖଠାରୁ ମାର୍ଚ୍ଚ 2 ତାରିଖ ପର୍ଯ୍ୟନ୍ତ ହେବାକୁ ଥିବା ବେଳେ ସମସ୍ତ ଷ୍ଟେକହୋଲ୍ଡର ଯଥା କ୍ରେତା, ବିକ୍ରେତା, ଛାତ୍ର, ଶିକ୍ଷକ, ଡିଜାଇନରଙ୍କୁ ଏକତ୍ର କରାଯିବାକୁ ଯୋଜନା କରାଯାଇଛି । ଭାରତରେ ଏହି ଖେଳଣା କ୍ଷେତ୍ରର ସାମୁଦାୟିକ ବିକାଶ ପାଇଁ ସମସ୍ତଙ୍କ ମଧ୍ୟରେ ସମନ୍ବୟ ଓ ସଂଯୋଗ ସ୍ଥାପନ କରିବା ପାଇଁ ଭର୍ଚ୍ଚୁଆଲ ମାଧ୍ୟମରେ ମେଳାରୁ ଉଦଘାଟନ କରାଯିବ ।
ଏହି ମେଳାରେ 30ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରୁ 1000ଟି ପ୍ରଦର୍ଶନକାରୀ ଭର୍ଚ୍ଚୁଆଲ ସ୍ତରରେ ନିଜ ଖେଳଣା ସାମଗ୍ରୀର ପ୍ରଦର୍ଶନ କରିବେ । ଏଥିରେ ପାରମ୍ପରିକ ଭାରତୀୟ ଖେଳଣା ସମେତ ଅତ୍ୟାଧୁନିକ ଖେଳନା ଯଥା ବୈଦ୍ୟୁତିକ, ପ୍ସସ ଟଏଜ, ପଜଲ୍ସ ଆଦିର ପ୍ରଦର୍ଶନୀ କରାଯିବ ।
ଏହି ମେଳାରେ ଖେଳନା ଡିଜାଇନ୍ ଏବଂ ଉତ୍ପାଦନରେ ପ୍ରମାଣିତ କ୍ଷମତା ବିଶିଷ୍ଟ ଭାରତୀୟ ତଥା ଆନ୍ତର୍ଜାତୀୟ ବକ୍ତାମାନଙ୍କ ସହିତ ବହୁ ୱେବିନାର୍ ଏବଂ ପ୍ୟାନେଲ୍ ଆଲୋଚନା ମଧ୍ୟ ଆୟୋଜିତ ହେବ । ପିଲାମାନଙ୍କ ପାଇଁ ପାରମ୍ପାରିକ ଖେଳନା ତିଆରି ଉପରେ ହସ୍ତଶିଳ୍ପ ପ୍ରଦର୍ଶନ ଏବଂ ଖେଳନା ସଂଗ୍ରହାଳୟ ଏବଂ କାରଖାନାଗୁଡ଼ିକୁ ଭର୍ଚ୍ଚୁଆଲ୍ ପରିଦର୍ଶନ ସହିତ ବହୁ କାର୍ଯ୍ୟକଳାପରେ ଅଂଶଗ୍ରହଣ କରିବାର ଏକ ସୁଯୋଗ ସୃଷ୍ଟି କରିଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ