ବେଙ୍ଗାଲୁରୁ: ପାଖେଇ ଆସୁଛି କର୍ଣ୍ଣାଟକ ବିଧାନସଭା ନିର୍ବାଚନ । ଦିନ ଯେତିକି ପାଖଉଛି ସେତିକି ସରଗରମ ହେଉଛି ପ୍ରଚାର ମଇଦାନ । ଦଳୀୟ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରୁଛନ୍ତି ହେଭିଓ୍ବେଟ ନେତା । ଭୋଟ ହାତେଇବାକୁ କର୍ଣ୍ଣାଟକରେ ପ୍ରଚାରକୁ ଜୋରଦାର କରିଛି ବିଜେପି । କିଛିଦିନ ତଳେ ଅମିତ ଶାହ ଦୁଇ ଦିନିଆ କର୍ଣ୍ଣାଟକ ଗସ୍ତରେ ଆସି ପ୍ରାର୍ଥୀଙ୍କ ପାଇଁ ଭୋଟ ଭିକ୍ଷା କରିଥିବା ବେଳେ ଆଜି ପ୍ରଚାର ମଇଦାନକୁ ଓହ୍ଲାଇବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଆଜିଠୁ ଦୁଇ ଦିନିଆ କର୍ଣ୍ଣାଟକ ଗସ୍ତରେ ଆସି ଦଳୀୟ ପ୍ରାର୍ଥୀଙ୍କ ପାଇଁ ଭୋଟ ମାଗିବେ ମୋଦି ।
ଦୁଇ ଦିନିଆ ଗସ୍ତରେ 6ଟି ସାଧାରଣ ସଭାକୁ ସମ୍ବୋଧିତ କରିବା ସହ ଦୁଇଟି ରୋଡ ସୋ’ କାର୍ଯ୍ୟକ୍ରମରେ ସାମିଲ ହେଲେ ପ୍ରଧାନମନ୍ତ୍ରୀ । ମୋଦିଙ୍କ ଗସ୍ତକୁ ଦୃଷ୍ଟିରେ ରଖି ପାର୍ଟି ତରଫରୁ ସମସ୍ତ ପ୍ରକାର ବ୍ୟବସ୍ଥା କରାଯାଇଛି । ବିଧାନସଭା ନିର୍ବାଚନକୁ ଦୃଷ୍ଟିରେ ରଖି ପ୍ରଧାନମନ୍ତ୍ରୀ ଦୁଇ ଦିନିଆ କର୍ଣ୍ଣାଟକ ଗସ୍ତ କରୁଛନ୍ତି । ଏଠାରେ ପହଞ୍ଚିବା ପରେ ଦଳୀୟ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିବେ ମୋଦି । ବିଦାର, ବିଜୟପୁର, କୁଦାଚି, କୋଲାର, କୋଲାର ଓ ଚନ୍ନାପାଟନାରେ ସାଧାରଣ ସଭାକୁ ସମ୍ବୋଧିତ କରିବେ ଏବଂ ବେଙ୍ଗାଲୁରୁ, ମହୀଶୂରରେ ରୋଡ୍ ସୋ କରିବେ ମୋଦି ।
ଆଜି କର୍ଣ୍ଣାଟକରେ ପହଞ୍ଚିବା ପରେ ପ୍ରଥମେ ବିଦାର ଜିଲ୍ଲାର ହୁମନାବାଦ ଅଞ୍ଚଳରେ ଏକ ସାଧାରଣ ସଭାରେ ସାମିଲ ହେବେ ପ୍ରଧାନମନ୍ତ୍ରୀ । ଏହାପରେ ବିଜୟପୁର ଅଭିମୁଖେ ଯାତ୍ରା କରି ସେଠାରେ ଦିନ 1ଟା ସମୟରେ ଏକ ଜନସମାବେଶକୁ ସମ୍ବୋଧିତ କରିବେ । ଏହା ପରେ 2ଟା 45 ମିନିଟ ସମୟରେ ବେଲାଗାଭି ଜିଲ୍ଲାର କୁଦାଚି ଗ୍ରାମରେ ଏକ ଜନସଭାକୁ ସମ୍ବୋଧିକ କରିବେ ମୋଦି । ସନ୍ଧ୍ୟା ସମୟରେ ବେଙ୍ଗାଲୁରୁ ଅଭିମୁଖେ ଯାତ୍ରା କରିବେ। ସେଠାରେ ରାଜ ଭବନରେ ରାତ୍ରି ଯାପନ ପରେ ରବିବାର ସକାଳ ସମୟରେ କୋଲାର ଅଭିମୁଖେ ବାହାରିବେ । ଦିନ 11ଟା 30 ମିନିଟ ସମୟରେ ପ୍ରଧାନମନ୍ତ୍ରୀ କୋଲାରରେ ରୋଡ ଶୋ କରିବାର କାର୍ଯ୍ୟକ୍ରମ ରହିଛି । କୋଲାର ପରେ ରାମନଗର ଜିଲ୍ଲାର ଚନ୍ନାପାଟନାକୁ ଗସ୍ତ କରି ସେଠାରେ ଏକ ସାଧାରଣ ସଭାରେ ସାମିଲ ହେବେ । ପରେ ହାସନ ଜିଲ୍ଲାର ବେଲୁର ସହରକୁ ଯାଇ ଅପରାହ୍ନ 3ଟା 45ରେ ଜନସଭାକୁ ସମ୍ବୋଧିତ କରିବେ ।
ସେହିପରି ସନ୍ଧ୍ୟା ସମୟରେ ମହୀଶୂର ଗସ୍ତ କରି ରୋଡ ସୋ କରିବେ ପ୍ରଧାନମନ୍ତ୍ରୀ । କାର୍ଯ୍ୟକ୍ରମ ଶେଷ ପରେ ଏକ ସ୍ବତନ୍ତ୍ର ବିମାନ ଯୋଗେ ମହୀଶୂରରୁ ଦିଲ୍ଲୀ ଅଭିମୁଖେ ଯାତ୍ରା କରିବେ । ଚଳିତ ବର୍ଷ ପ୍ରଧାନମନ୍ତ୍ରୀଙ୍କ ଏକ ନବମ କର୍ଣ୍ଣାଟକ ଗସ୍ତ । ବିଧାନସଭା ନିର୍ବାଚନକୁ ଦୃଷ୍ଟିରେ ରଖି ପ୍ରଧାନମନ୍ତ୍ରୀ ଦୁଇ ଦିନିଆ କର୍ଣ୍ଣାଟକ ଗସ୍ତ କରୁଛନ୍ତି।