ନୂଆଦିଲ୍ଲୀ: ଜନ ଜୀବନକୁ ଅସ୍ତବ୍ୟସ୍ତ କରିପକାଇଛି ମହାମାରୀ କୋରୋନା । ଏହାରି ଭିତରେ ଅନେକ ପଶୁପକ୍ଷୀ ମଧ୍ୟ ହୋଇଛନ୍ତି ପ୍ରଭାବିତ । ଦୋକାନ ବଜାର ବନ୍ଦ ଥିବାରୁ ଭୋକ ବିକଳରେ ଜୀବନ ବିତାଉଛନ୍ତି ବୁଲା ପଶୁ । ମାହାମାରୀ ସମୟରେ ଭୋକିଲା ପଶୁଙ୍କ ପ୍ରତି ଦୟା ଓ ସେବାଭାବ ଦେଖି ଜଣେ ଅବସର ପ୍ରାପ୍ତ ସେନା ଅଧିକାରୀ ପ୍ରମିଳା ସିଂଙ୍କୁ ପ୍ରଶଂସା କରିଛନ୍ତି ପ୍ରଧାନମନ୍ତ୍ରୀ ।
ପ୍ରମିଳା ଆର୍ମିରେ ମେଜର ପଦରେ କାର୍ଯ୍ୟତର ଥିଲେ । କୋରୋନା ସଂକ୍ରମଣ କାରଣରୁ ଲକଡାଉନ ଲାଗୁ ହୋଇଥିବା ସମୟରେ ପ୍ରମିଳା ତାଙ୍କ ବାପାଙ୍କ ସହିତ ମିଶି ଭୋକିଲା ପଶୁଙ୍କୁ ଖାଦ୍ୟ ଯୋଗାଇବା ସହ ସେମାନଙ୍କ ସେବା କରିଥିଲେ । ରାସ୍ତାରେ ବୁଲୁଥିବା ସମସ୍ତ ପଶୁଙ୍କ ପାଇଁ ପ୍ରମିଳା ଓ ତାଙ୍କ ବାପା ଖାଦ୍ୟର ବ୍ୟବସ୍ଥା କରିଥିଲେ । ଯାହାର ସମସ୍ତ ଖର୍ଚ୍ଚ ସେମାନେ ତାଙ୍କ ନିଜ ହାତରୁ ବହନ କରିଥିଲେ ।
ପ୍ରମିଳାଙ୍କ ପ୍ରଶଂସା କରି ପ୍ରଧାନମନ୍ତ୍ରୀ କହିଛନ୍ତି, ତାଙ୍କ ଉଦ୍ୟମ ସମାଜରେ ଅନେକଙ୍କ ପାଇଁ ପ୍ରେରଣା ସାଜିବ । ଚିଠିରେ ମୋଦି ଲେଖିଛନ୍ତି ଏହି ସଙ୍କଟ ସମୟରେ ଏଭଳି ଅନେକ ଉଦାହରଣ ଦେଖିବାକୁ ମିଳିଛି ଯାହା ଆମକୁ ମାନବିକତା ପାଇଁ ଗର୍ବ ଅନୁଭବ କରାଇଛି । ମେଜର ପ୍ରମିଲା ଏବଂ ତାଙ୍କ ବାପା ଆଗକୁ ସମାଜରେ ସଚେତନତା ସୃଷ୍ଟି କରି ଲୋକଙ୍କୁ ପ୍ରେରଣା ଯୋଗାଇବେ ବୋଲି ଆଶା ପ୍ରକଟ କରିଛନ୍ତି ପ୍ରଧାନମନ୍ତ୍ରୀ ।
ଲକଡାଉନ ସମୟରେ ପଶୁମାନଙ୍କ ସେବା କରିବା କାର୍ଯ୍ୟକ୍ରମ ଆରମ୍ଭ କରିଥିବା ନେଇ ଏହା ପୂର୍ବରୁ ମେଜର ପ୍ରମିଲା ସିଂ ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖି ଜଣାଇଥିଲେ । ବର୍ତ୍ତମାନ ବି ଏହା ଜାରି ରହିଛି । ଏହା ସହିତ ଅସହାୟ ପଶୁଙ୍କୁ ସାହାଯ୍ୟ କରିବା ପାଇଁ ଲୋକଙ୍କୁ ଆଗେଇ ଆସିବାକୁ ଆନୁରୋଧ କରିଛନ୍ତି ପ୍ରଧାନମନ୍ତ୍ରୀ ।
@ANI