ଲକ୍ଷ୍ନୌ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି (ରବିବାର) ଉତ୍ତର ପ୍ରଦେଶର ମିରଟରେ କିମ୍ବଦନ୍ତୀ ହକି ତାରକା ମେଜର ଧ୍ୟାନଚାନ୍ଦଙ୍କ ନାମରେ ପ୍ରତିଷ୍ଠା ହେବାକୁ ଥିବା କ୍ରୀଡ଼ା ବିଶ୍ୱବିଦ୍ୟାଳୟର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି । ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ଦ୍ବାରା ଜାରି ଏକ ସରକାରୀ ବିବୃତ୍ତି ଅନୁଯାୟୀ, ମିରଟର ସାଲାୱା ନିକଟରେ ଏହି ଅତ୍ୟାଧୁନିକ କ୍ରୀଡା ବିଶ୍ବବିଦ୍ୟାଳୟ ପ୍ରତିଷ୍ଠା ପାଇଁ 700 କୋଟି ଟଙ୍କା ବ୍ୟୟ ବରାଦ କରାଯାଇଛି ।
PMO କହିଛି , ପ୍ରଧାନମନ୍ତ୍ରୀ ସର୍ବଦା କ୍ରୀଡା ଓ ସଂସ୍କୃତି କ୍ଷେତ୍ରକୁ ବିଶେଷ ପ୍ରାଧ୍ୟାନ୍ୟ ଦେଇ ଆସିଛନ୍ତି । ସେହି କ୍ରମରେ ଦେଶର ସମସ୍ତ ଭାଗରେ ବିଶ୍ୱ ସ୍ତରୀୟ କ୍ରୀଡା ଭିତ୍ତିଭୂମିର ବିକାଶ ନେଇ ଏକାଧିକ କାର୍ଯ୍ୟକ୍ରମ ହାତକୁ ନେଇଛନ୍ତି କେନ୍ଦ୍ର ସରକାର । ଉତ୍ତର ପ୍ରଦେଶର ମିରଟରେ ବିଶ୍ବସ୍ତରୀୟ ମେଜର ଧ୍ୟାନଚାନ୍ଦ କ୍ରୀଡ଼ା ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠ ଏକ ପ୍ରମୁଖ ପଦକ୍ଷେପ ହେବ ବୋଲି PMO କହିଛି ।
ପ୍ରତିଷ୍ଠା ହେବାକୁ ଥିବା ଏହି ଅତ୍ଯାଧୁନିକ କ୍ରୀଡା ବିଶ୍ବବିଦ୍ୟାଳୟରେ, ସିନ୍ଥେଟିକ୍ ହକି ଗ୍ରାଉଣ୍ଡ, ଫୁଟବଲ୍ ଗ୍ରାଉଣ୍ଡ, ବାସ୍କେଟବଲ୍, ଭଲିବଲ୍, ହ୍ୟାଣ୍ଡବଲ୍, କବାଡି ଗ୍ରାଉଣ୍ଡ, ଲନ୍ ଟେନିସ୍ କୋର୍ଟ, ଜିମ୍ନାସିୟମ୍ ହଲ୍, ସୁଇମିଂ ପୁଲ୍, ମଲ୍ଟିପର୍ପୋଜ୍ ହଲ ସହିତ ଅନ୍ୟାନ୍ୟ ଅତ୍ୟାଧୁନିକ କ୍ରୀଡା ଭିତ୍ତିଭୂମି ମଧ୍ୟ ବିକଶିତ କରାଯିବ ।
ଏଥିରେ ସୁଟିଙ୍ଗ୍, ଜିମ୍ନାଷ୍ଟିକ୍, ଭାରୋତ୍ତୋଳନ, ତୀରନ୍ଦାଜ, କାନୋଇଙ୍ଗ, ଏବଂ କାୟାକିଂ ଆଦି ବର୍ଗରେ 540 ମହିଳା ଏବଂ 540 ପୁରୁଷ କ୍ରୀଡ଼ାବିତଙ୍କ ସହ ଏକାକଳୀନ ମୋଟ 1080 କ୍ରୀଡ଼ାବିତଙ୍କୁ ପ୍ରଶିକ୍ଷଣ ପ୍ରଦାନ କରାଯିବା ପାଇଁ ସମସ୍ତ ଆବଶ୍ୟକୀୟ ବ୍ୟବସ୍ଥା ରହିବ ।
ଶିଳାନ୍ୟାସ କାର୍ଯ୍ୟକ୍ରମ ପୂର୍ବରୁ ପ୍ରଧାନମନ୍ତ୍ରୀ ମୋଦି ଅଗରୁନାଥ ମନ୍ଦିରରେ ପୂଜାର୍ଚ୍ଚନା କରିଥିଲେ । ପରେ ଶହୀଦ ସ୍ମାରକରେ ପୁଷ୍ପମାଲ୍ୟ ମଧ୍ୟ ଅର୍ପଣ କରିଥିଲେ ପ୍ରଧାନମନ୍ତ୍ରୀ । ଏହି କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀଙ୍କ ସହ ଉତ୍ତର ପ୍ରଦେଶର ରାଜ୍ୟପାଳ ଆନନ୍ଦିବେନ ପଟେଲ ଏବଂ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ମଧ୍ୟ ଯୋଗ ଦେଇଥିଲେ ।
ଚଳିତ ବର୍ଷ ପ୍ରାରମ୍ଭରେ ଉତ୍ତରପ୍ରଦେଶରେ ବିଧାନସଭା ନିର୍ବାଚନ ହେବାକୁ ଥିବାବେଳେ ନିର୍ବାଚନୀ ରାଜନୀତି ମଧ୍ୟ ଜୋର ଧରିବାରେ ଲାଗିଛି । ପ୍ରଧାନମନ୍ତ୍ରୀ ମୋଦି ଗତ ପ୍ରାୟ ୧ ମାସ ମଧ୍ୟରେ ଏକାଧିକ ଥର ଉତ୍ତରପ୍ରଦେଶ ଗସ୍ତ କରିବା ସହ ଏକାଧିକ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ ଓ ଲୋକାର୍ପଣ କରିସାରିଲେଣି ।
ANI