ନୂଆଦିଲ୍ଲୀ: ଆଜି(ରବିବାର) ମୁଖ୍ୟମନ୍ତ୍ରୀ ନିଜ ମାସିକିଆ କାର୍ଯ୍ୟକ୍ରମ 'ମନ୍ କି ବାତ୍' ମାଧ୍ୟମରେ ଦେଶବାସୀଙ୍କୁ ସମ୍ବୋଧିତ କରିଛନ୍ତି । ଏହି ସମୟରେ ସ୍ବଚ୍ଛ ଭାରତ ମିଶନ ଅଭିଯାନରେ ଲୋକଙ୍କ ସହଯୋଗିତାକୁ ମୋଦି ପ୍ରଶଂସା କରିଛନ୍ତି । ପଲିଥିନ ବଦଳରେ ଦେଶର ଅନେକ ସହରରେ କପଡ଼ା ବ୍ୟାଗ ବ୍ୟବହାର ମାଧ୍ୟମରେ ଦେଶବାସୀଙ୍କ ସମୂହ ଉଦ୍ୟମ ଦେଶରେ ସ୍ବଚ୍ଛ ଭାରତ ମିଶନକୁ ଆହୁରି ଶକ୍ତିଶାଳୀ କରିଛି ବୋଲି କହିଛନ୍ତି ମୋଦି ।
ମନ୍ କି ବାତ୍ କାର୍ଯ୍ୟକ୍ରମର ୮୬ତମ ସଂସ୍କରଣରେ ରାଜସ୍ଥାନର 'ମିଶନ ବିଟ୍ ପ୍ଲାଷ୍ଟିକ' ନାମରେ ଅଭିଯାନ ଆରମ୍ଭ କରିଥିବା କିଛି ଯୁବଗୋଷ୍ଠୀଙ୍କୁ ମୋଦି ପ୍ରଶଂସା କରିଛନ୍ତି । ସେମାନେ ରାନ୍ଥାମ୍ବୋରରେ ଥିବା ଜଙ୍ଗଲରୁ ସମସ୍ତ ପ୍ଲାଷ୍ଟିକ ଓ ପଲିଥିନକୁ ହଟାଇଛନ୍ତି । ଏଭଳି ମହାନ କାର୍ଯ୍ୟକୁ ପ୍ରଧାନମନ୍ତ୍ରୀ ପ୍ରଶଂସା କରିଛନ୍ତି । ସ୍ବଚ୍ଛ ଭାରତ ଅଭିଯାନରେ ଲୋକମାନେ ଅଂଶଗ୍ରହଣ କରିବା ଦ୍ବାରା ଆମେ ବଡ଼ ବଡ଼ କାର୍ଯ୍ୟକୁ ପୂରଣ କରିବାରେ ସଫଳ ହୋଇପାରିବା ବୋଲି ମୋଦି କହିଛନ୍ତି । ସେପଟେ ବିଶାଖାପାଟଣାରେ ପରିବେଶକୁ ସ୍ବଚ୍ଛ ରଖିବା ପାଇଁ ଗୋଟିଏ ମାତ୍ର ପ୍ଲାଷ୍ଟିକର ବ୍ୟବହାର ହେଉନାହିଁ । ଏହାକୁ ମଧ୍ୟ ମୋଦି ପ୍ରଶଂସା କରିଛନ୍ତି ।
ଏହାସହିତ ମୁମ୍ବାଇ ସୋମେୟା ମହାବିଦ୍ୟାଳୟର ଛାତ୍ରଛାତ୍ରୀ କଲ୍ୟାଣ ରେଳ ଷ୍ଟେସନ କାନ୍ଥରେ ଚିତ୍ର ଆଙ୍କି ଏହାର ସୌନ୍ଦର୍ଯ୍ୟ ବଢାଇଛନ୍ତି । ଏଥିଲାଗି ମୋଦି ସେମାନଙ୍କୁ ଭୂୟସୀ ପ୍ରଶଂସା କରିଛନ୍ତି । ଜମ୍ମୁକାଶ୍ମୀର ଶ୍ରୀନଗରରେ 'ଜଲ୍ ଥଲ୍' ମିଶନକୁ ମଧ୍ୟ ମୋଦି ପ୍ରଶଂସା କରିଛନ୍ତି । ଏଭଳି ଦେଶବାସୀଙ୍କ ପ୍ରଶଂସନୀୟ କାର୍ଯ୍ୟ ଦ୍ବାରା ଭାରତରେ ଅନେକ ପରିବର୍ତ୍ତନ ଆସିଛି ବୋଲି କହିଛନ୍ତି ମୋଦି । ଜଲ୍ ଥଲ୍ ମିଶନ ଦ୍ବାରା ଶ୍ରୀନଗରରେ ଜଳର ପୁନଃ ବ୍ୟବହାର ହୋଇପାରୁଛି ।
ଆଗକୁ ଜଳର ପୁନଃସଂରକ୍ଷଣ ପାଇଁ ସ୍ଥାନୀୟ ଅଞ୍ଚଳରେ କିଛି ଯୁବଗୋଷ୍ଠୀଙ୍କୁ ନେଇ 'water ambassadors' ଗଠନ ହେବ । ଏମାନେ ଜଳର ସ୍ବଚ୍ଛତା ସହ ଏହାର ପୁନଃ ସଂରକ୍ଷଣ ଉପରେ କାର୍ଯ୍ୟ କରିବେ । ଏଭଳି ଦେଶରେ ସ୍ବଚ୍ଛତା ଦିଗରେ କାର୍ଯ୍ୟ କରୁଥିବା ଅନେକ ଲୋକଙ୍କୁ ଏହି ମାସିକିଆ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ପ୍ରଶଂସା କରିଛନ୍ତି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ