ପାଣାଜୀ: ଗୋଆର ଲିବେରସନ ଡେ (Goa liberation Day 2021)ରେ ସାମିଲ ହେବା ଅବସରରେ ପ୍ରଧାନମନ୍ତ୍ରୀ ମୋଦି ଗୋଆରେ ଏକାଧିକ ପ୍ରକଳ୍ପର ଶୁଭାରମ୍ଭ କିରଛନ୍ତି । ଆଜି (ରବିବାର) ଗୋଆର ଶ୍ୟାମା ପ୍ରସାଦ ମୁଖାର୍ଜୀ ଷ୍ଟାଡିୟମରେ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗ ଦେଇ ପ୍ରଧାନମନ୍ତ୍ରୀ ଜନସଭାକୁ ସମ୍ବୋଧିତ କରିବା ସହ ଏକାଧିକ ପ୍ରକଳ୍ପର ଶୁଭାରମ୍ଭ କରିଛନ୍ତି । ଆଜି ଏହି ଅବସରରେ ପ୍ରଧାନମନ୍ତ୍ରୀ ଶହୀଦ ଯବାନଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇବା ସହ ପରେଡରେ ମଧ୍ୟ ଅଭିବାଦନ ଗ୍ରହଣ କରିଥିଲେ ।
ଆଜି ପ୍ରଧାନମନ୍ତ୍ରୀ ଶୁଭାରମ୍ଭ କରିଥିବା ଏକାଧିକ ପ୍ରକଳ୍ପ ମଧ୍ୟରେ ଫୋର୍ଟ ଆଗୁଆଡା ଜେଲ ସଂଗ୍ରହାଳୟ, ଗୋଆ ମେଡିକାଲ କଲେଜରେ ସୁପର ସ୍ପେସିଆଲିଟି ବ୍ଲକ, ନୂତନ ଦକ୍ଷିଣ ଗୋଆ ଜିଲ୍ଲା ହସ୍ପିଟାଲ, ମୋପା ବିମାନବନ୍ଦରରେ ବିମାନ ଚଳାଚଳ ଦକ୍ଷତା ବିକାଶ କେନ୍ଦ୍ର ଏବଂ ମାରଗାଓଁର ଡାବୋଲିମ-ନାଭେଲିମରେ ଗ୍ୟାସ ଇନସୁଲେଟେଡ୍ ସବଷ୍ଟେସନ ସମେତ ଏକାଧିକ ବିକାଶମୂଳକ ପ୍ରକଳ୍ପ ରହିଛି ।
ସେହିପରି ସେ ଗୋଆରେ ଇଣ୍ଡିଆ ଇଣ୍ଟରନ୍ୟାସନାଲ ୟୁନିଭର୍ସିଟି ଅଫ୍ ଲିଗାଲ୍ ଏଜୁକେସନ୍ ଏବଂ ବାର୍ କାଉନସିଲ୍ ଅଫ୍ ଇଣ୍ଡିଆ ଟ୍ରଷ୍ଟର ଗବେଷଣା ପାଇଁ ଭିତ୍ତିପ୍ରସ୍ତର ମଧ୍ୟ ସ୍ଥାପନ କରିଛନ୍ତି ପ୍ରଧାନମନ୍ତ୍ରୀ । ପର୍ତ୍ତୁଗୀଜ୍ ଶାସନରୁ ଗୋଆକୁ ମୁକ୍ତ କରୁଥିବା ଭାରତୀୟ ସଶସ୍ତ୍ର ବାହିନୀର ସ୍ମୃତିକୁ ମଧ୍ୟ ମନେ ପକାଇଛନ୍ତି ପ୍ରଧାନମନ୍ତ୍ରୀ । ଗୋଆ ମୁକ୍ତି ଆନ୍ଦୋଳନର ଶହୀଦମାନଙ୍କ ବଳିଦାନକୁ ମନେ ପକାଇ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି ।
ଗୋଆ ମୁକ୍ତି ଦିବସ ପାଳନ ଅବସରରେ ଏଠାରେ ଡ. ଶ୍ୟାମା ପ୍ରସାଦ ମୁଖାର୍ଜୀ ଷ୍ଟାଡିୟମରେ ଏକ ସମାବେଶକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି, ଭାରତ ଏକ ଧାରଣା, ଏକ ପରିବାର ଯାହା ବିଶ୍ବରେ ମାନବିକତାର ସ୍ବାର୍ଥ ରକ୍ଷା ପାଇଁ ଛିଡା ହୋଇଛି ।
ଭାରତ ଏପରି ଏକ ଆତ୍ମା , ଯେଉଁଠାରେ ସ୍ବାର୍ଥ ଠାରୁ ଦେଶ ପ୍ରଥମ ବୋଲି ବିଚାର ସମସ୍ତ ଭାରତୀୟଙ୍କ ମନରେ ଥାଏ । ଏଠାରେ କେବଳ ଏକ ମନ୍ତ୍ର ପ୍ରତିଧ୍ବନିତ ହୁଏ ‘ଦେଶ ପ୍ରଥମ’। ଏଠି କେବଳ କେବଳ ଗୋଟିଏ ସଂକଳ୍ପ ଅଛି ‘ଏକ ଭାରତ, ଶ୍ରେଷ୍ଠ ଭାରତ’। ଗୋଆର ଭୂମି, ଗୋଆର ବାୟୁ, ଗୋଆର ସମୁଦ୍ର, ପ୍ରକୃତିର ଏକ ଅଦ୍ଭୁତ ଉପହାର ଓ ଆଶୀର୍ବାଦ ସହ ପ୍ରାପ୍ତ ହୋଇଥିବା କହିଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ସେହିପରି ଆଜି ପରି ଏକ ବିଶେଷ ଗୁରୁତ୍ବ ବହନ କରୁଥିବା ଦିବସରେ ସେ ଗୋଆ ଆସିବାର ସୁଯୋଗ ପାଇଥିବାରୁ ଏହା ତାଙ୍କ ପାଇଁ ଏକ ସୌଭାଗ୍ୟ ବୋଲି ମଧ୍ୟ କହିଛନ୍ତି ପ୍ରଧାନମନ୍ତ୍ରୀ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ