ନୂଆଦିଲ୍ଲୀ: ଆଜି ଭୋପାଳରେ ଗଡିବ ଦେଶର 11ତମ ବନ୍ଦେ ଭାରତ ଏକ୍ସପ୍ରେସ । ମଧ୍ୟପ୍ରଦେଶ ଗସ୍ତରେ ଯାଇ ସବୁଜ ପତାକା ଦେଖାଇ ଏହାକୁ ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏନେଇ ଟ୍ବିଟ କରି ସୂଚନା ଦେଇଛନ୍ତି ମୋଦି ।
''ଆଜି ମୁଁ ଭୋପାଳ ଗସ୍ତରେ ଯିବି । ସେଠାରେ ପହଞ୍ଚିବା ପରେ ମିଳିତ କମାଣ୍ଡର ସମ୍ମିଳନୀରେ ଅଂଶଗ୍ରହଣ କରିବି । ଏହାପରେ ଭୋପାଳ ଏବଂ ନୂଆଦିଲ୍ଲୀ ମଧ୍ୟରେ ବନ୍ଦେ ଭାରତ ଏକ୍ସପ୍ରେସକୁ ଫ୍ଲାଗ ଦେଖାଇ ଶୁଭାରମ୍ଭ କରିବି । ଏହି ଟ୍ରେନ୍ ମଧ୍ୟପ୍ରଦେଶ ଏବଂ ଦିଲ୍ଲୀ ମଧ୍ୟରେ ଯାତାୟତକୁ ସହଜ କରିବ ବୋଲି ଆଜି ପ୍ରଧାନମନ୍ତ୍ରୀ ମୋଦି ଟ୍ୱିଟ୍ କରି କହିଛନ୍ତି । ''
ପ୍ରଧାନମନ୍ତ୍ରୀ ସକାଳ ପ୍ରାୟ 10 ଟା ସମୟରେ ଭୋପାଳରେ ପହଞ୍ଚିବେ । ଏହାପରେ କୁଶାଭାଉ ଠାକରେ ହଲରେ ମିଳିତ କମାଣ୍ଡର୍ସ ସମ୍ମିଳନୀରେ ଯୋଗଦେବେ । ଗତ ମାର୍ଚ୍ଚ 30ରୁ ତିନି ଦିନିଆ ସାମରିକ କମାଣ୍ଡରଙ୍କ ସମ୍ମିଳନୀ ଅନୁଷ୍ଠିତ ହୋଇଛି । 'ପ୍ରସ୍ତୁତ, ପୁନର୍ଜୀବିତ, ପ୍ରାସଙ୍ଗିକ' ବିଷୟବସ୍ତୁକୁ ନେଇ ଏହା ଅନୁଷ୍ଠିତ ହୋଇଯାଇଛି । ଯାହାର ଆଜି ଶେଷ ଦିନ ରହିଛି । ଏହି ସମ୍ମିଳନୀରେ ତିନି ସେନାରେ କମାଣ୍ଡର ଏବଂ ପ୍ରତିରକ୍ଷା ମନ୍ତ୍ରଣାଳୟର ବରିଷ୍ଠ ଅଧିକାରୀ ଅଂଶଗ୍ରହଣ କରିବାର କାର୍ଯ୍ୟକ୍ରମ ରହିଛି ।
ଏହା ପୂର୍ବରୁ ଫେବୃଆରୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମହାରାଷ୍ଟ୍ର ରାଜ୍ୟରେ 2ଟି ବନ୍ଦେ ଭାରତ ଏକ୍ସପ୍ରେସର ଶୁଭାରମ୍ଭ କରିଥିଲେ । ମୁମ୍ବାଇ-ସୋଲାପୁର ଓ ମୁମ୍ବାଇ-ସାଇନଗର ସିରିଡି ବନ୍ଦେ ଭାରତ ଟ୍ରେନକୁ ସବୁଜ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ ପ୍ରଧାନମନ୍ତ୍ରୀ । ଏହି ସମୟରେ ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ, ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦ ଉପସ୍ଥିତ ଥିଲେ । ଏହି ଦୁଇଟି ଟ୍ରେନକୁ ମିଶାଇ ମୁମ୍ବାଇରେ ବନ୍ଦେ ଭାରତ ଏକ୍ସପ୍ରେସ ସଂଖ୍ୟା 3 ଏବଂ ଦେଶରେ 10କୁ ବୃଦ୍ଧି ପାଇଥିଲା ।
ଏହା ମଧ୍ୟ ପଢନ୍ତୁ-Stress Awareness Month: ଚାପ ଏକ ରୋଗ ନହେଲେ ବି ନେଇଯାଏ ଜୀବନ !
ସେହିପରି ଜାନୁଆରୀ ମାସରେ ଦେଶର ଅଷ୍ଟମ ବନ୍ଦେ ଭାରତ ଏକ୍ସପ୍ରେସକୁ ସିକନ୍ଦରାବାଦରେ ଉଦଘାଟନ କରିଥିଲେ ପ୍ରଧାନମନ୍ତ୍ରୀ । ଯାହା ସିକନ୍ଦରାବାଦ ଓ ବିଶାଖାପାଟଣା ମଧ୍ୟରେ ଚଳାଚଳ କରୁଛି । ଭିସି ଜରିଆରେ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ୱାରଙ୍ଗଲ, ଖମାମ, ବିଜୟୱାଡା, ଓ ରାଜମୁଣ୍ଡ୍ରୀରେ ଏହାର ଷ୍ଟପେଜ ରହିଛି । ଏହି ଟ୍ରେନରେ ଯାତ୍ରୀମାନଙ୍କ ପାଇଁ ଅତ୍ୟାଧୁନିକ ବ୍ୟବସ୍ଥା ମଧ୍ୟ ଉପଲବ୍ଧି । ଗତ ବର୍ଷ ଡିସେମ୍ବର ମାସରେ ଦେଶର ଷଷ୍ଠ ବନ୍ଦେ ଭାରତ ଏକ୍ସପ୍ରେସକୁ ନାଗପୁରରେ ଶୁଭାରମ୍ଭ କରାଯାଇଥିଲା । ମହାରାଷ୍ଟ୍ର ନାଗପୁର ଓ ଛତିଶଗଡର ବିଳାସପୁର ମଧ୍ୟରେ ଏହି ଏକ୍ସପ୍ରେସ ଯାତାୟତ କରୁଛି ।