ଲକ୍ଷ୍ନୌ: ସରକାରୀ କାର୍ଯ୍ୟାଳୟରେ ସ୍ବାଧୀନତା ସଂଗ୍ରାମୀ, ଦେଶର ଜନନାୟକ ଓ ବିଭିନ୍ନ ବିଶିଷ୍ଟ ବ୍ୟକ୍ତିବିଶେଷଙ୍କ ଫଟୋଚିତ୍ର ଲାଗିବା ଏକ ସ୍ବାଭାବିକ କଥା । ହେଲେ ଜିଲ୍ଲା ବିଜୁଳି ବିଭାଗ କାର୍ଯ୍ୟାଳୟ କାନ୍ଥରେ ଲାଗିଛି କୁଖ୍ୟାତ ଆତଙ୍କବାଦୀ ଓସାମା ବିନ ଲାଡେନଙ୍କ ଫଟୋ । ଏପରି ଏକ ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି । କାର୍ଯ୍ୟାଳୟଟି ଉତ୍ତରପ୍ରଦେଶ ଫାରୁକାବାଦ ଜିଲ୍ଲାର ବିଜୁଳି ବିଭାଗର ବୋଲି ଭିଡିଓରେ ଦର୍ଶାଯାଇଛି । ତେବେ ଭାଇରାଲ ଭିଡିଓ ନେଇ ଘଟଣାର ସତ୍ୟତା ନେଇ କିଛି ସ୍ପଷ୍ଟ ହୋଇପାରିନାହିଁ ।
ଭିଡିଓରେ ଏହି କାର୍ଯ୍ୟାଳୟଟି ଜିଲ୍ଲାର ନବାବଗଞ୍ଜ ବିଦ୍ୟୁତ ବିଭାଗର ବୋଲି କୁହାଯାଉଛି । ଭିଡିଓରେ କାର୍ଯ୍ୟାଳୟର SDOଙ୍କ ପ୍ରକୋଷ୍ଠ ବାହାରେ ଅଲକାଏଦା ମୁଖ୍ୟ ଆତଙ୍କବାଦୀ ଓସାମା ବିନ ଲାଡେନର ଫଟୋ ଲାଗିଛି । ଫଟୋ ତଳେ କିଛି ବିବୃତ୍ତି ମଧ୍ୟ ଉଲ୍ଲେଖ ରହିଛି, ଯେଉଁଥିରେ ଲାଡେନଙ୍କୁ ଏକ ମହାନ ଇଞ୍ଜିନିୟର ଭାବେ ଉଲ୍ଲେଖ କରାଯାଇଛି । ଏହା ତଳକୁ ରବିନ୍ଦ୍ର ପ୍ରକାଶ ଗୌତମ ବୋଲି ମଧ୍ୟ ଲେଖାଯାଇଛି ।
ସୋସିଆଲ ମିଡିଆରେ ଏହି ଭିଡିଓ ଭାଇରାଲ ହେବା ପରେ ବିଭିନ୍ନ ଚର୍ଚ୍ଚା ଜାରି ରହିଥିବାବେଳେ ଏହା ସମ୍ପର୍କରେ ବିଭାଗୀୟ ପ୍ରତିକ୍ରିୟା ମଧ୍ୟ ସାମ୍ନାକୁ ଆସିନାହିଁ । ତେବେ ନିର୍ଦ୍ଦିଷ୍ଟ ଭାବେ କେଉଁ ବିଭାଗ ଓ କିଏ ଏପରି କରିଛି ତାହା ସ୍ପଷ୍ଟ ହୋଇପାରିନାହିଁ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ