ନୂଆଦିଲ୍ଲୀ: କୋରୋନା ସଂକ୍ରମିତଙ୍କ ଚିକିତ୍ସାରେ ସର୍ବାଧିକ ଉପଯୋଗୀ ସାବ୍ୟସ୍ତ ରେମ୍ଡେସିଭିର୍ ଇଞ୍ଜେକସନ୍ର ମୂଲ୍ୟ ହ୍ରାସ କଲେ କେନ୍ଦ୍ର ସରକାର । ଏନେଇ ବିଭିନ୍ନ ମହଲରୁ ଦାବି ହେଉଥିଲା । ତେବେ କେନ୍ଦ୍ର ସରକାରଙ୍କ ହସ୍ତକ୍ଷେପ ପରେ ରେମଡେସିଭର୍ ଇଞ୍ଜେକ୍ସନର ମୂଲ୍ୟ ହ୍ରାସ କରାଯାଇଥିବା ନ୍ୟାସନାଲ ଫାର୍ମାସ୍ୟୁଟିକାଲ୍ ପ୍ରାଇସିଂ ଅଥରିଟି କହିଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଶନିବାର ଅନୁଷ୍ଠିତ ଉଚ୍ଚସ୍ତରୀୟ ବୈଠକର ନିଷ୍ପତ୍ତି ଅନୁସାରେ ରେମଡେସିଭିରର ମୂଲ୍ୟ ୫୪୦୦ ଟଙ୍କାରୁ ୩୫୦୦ ଟଙ୍କାକୁ ହ୍ରାସ କରାଯାଇଛି । ଏଥିସହିତ କ୍ୟାଡିଲା ହେଲ୍ଥକେୟାର ଲିମିଟେଡ୍ ଦ୍ବାରା ପ୍ରସ୍ତୁତ ରେମ୍ଡାକ୍ର ମୂଲ୍ୟ ୨୮୦୦ ଟଙ୍କାରୁ କମା ଯାଇ ୮୯୯ ଟଙ୍କା ଧାର୍ଯ୍ୟ କରାଯାଇଛି ।
ସିଞ୍ଜେନ ଇଣ୍ଟରନ୍ୟାସନାଲ୍ ଲିମିଟେଡ୍ ପ୍ରସ୍ତୁତ ରେମ୍ୱିନ୍ର ମୂଲ୍ୟ ୩୯୫୦ ଟଙ୍କା ଥିଲାବେଳେ ଏହାକୁ ହ୍ରାସ କରାଯାଇ ୨୪୫୦ ଟଙ୍କା ରଖାଯାଇଛି । ସିପ୍ଲା ପ୍ରସ୍ତୁତ ସିପ୍ରେମି ଏଣିକି 4 ହଜାର ଟଙ୍କା ବଦଳରେ ୩୦୦୦ ଟଙ୍କାରେ ଉପଲବ୍ଧ ହେବ । ଡ. ରେଡ୍ଡୀଙ୍କ ରେଡିକ୍ସ 5 ହଜାର 400 ଟଙ୍କା ବଦଳରେ 2 ହଜାର 700 ଟଙ୍କାରେ ଉପଲବ୍ଧ ହେବ । ମାଇଲାନ୍ ଫାର୍ମାସ୍ୟୁଟିକାଲ୍ସର ଡେସ୍ରମ୍ 4 ହଜାର 800 ଟଙ୍କା ବଦଳରେ 3 ହଜାର 400 ଟଙ୍କା ରେ ଉପଲବ୍ଧ ହେବ । ଜୁବିଲାଣ୍ଟ ଜେନେରିକ୍ ର ଜୁବି-ଆର ବର୍ତ୍ତମାନ 4 ହଜାର 700 ଟଙ୍କା ବଦଳରେ 3 ହଜାର 400 ଟଙ୍କାରେ ମିଳିବ । ସେହିପରି ହେଟେରୋ ହେଲଥ କେୟାରର କୋଭିଫୋର 5 ହଜାର 400 ଟଙ୍କା ବଦଳରେ 3 ହଜାର 490 ଟଙ୍କାରେ ଉପଲବ୍ଧ ହେବ ।
ଏହି ଅବସରରେ କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ଡ. ହର୍ଷବର୍ଦ୍ଧନ ୧୧ ରାଜ୍ୟର ସ୍ବାସ୍ଥ୍ୟମନ୍ତ୍ରୀଙ୍କ ସହ ଆଲୋଚନା ପରେ କହିଛନ୍ତି ଯେ ଦେଶରେ ଟିକାର ଅଭାବ ନାହିଁ। ବିଭିନ୍ନ ରାଜ୍ୟକୁ ବର୍ତ୍ତମାନ ସୁଦ୍ଧା ୧୪ କୋଟି ୧୫ ଲକ୍ଷ ଡୋଜ ଟିକା ପଠାଯାଇଛି । ସେଥିମଧ୍ୟରୁ ୧୨ କୋଟି ୫୭ ଲକ୍ଷ ୧୮ ହଜାର ଡୋଜ ବ୍ୟବହୃତ ହୋଇଥିଲାବେଳେ ଆହୁରି ୧ କୋଟି ୫୯ ଲକ୍ଷ ଟିକା ମହଜୁଦ ରହିଛି। ଆଉ ୧ କୋଟି ୧୬ ଲକ୍ଷ ୮୪ ହଜାର ଡୋଜ୍ ଟିକା ପଠାଇବାକୁ ବନ୍ଦୋବସ୍ତ ଚାଲିଛି ବୋଲି ସେ କହିଛନ୍ତି ।