ଜୟପୁର: ନିଖୋଜ ହେବାକୁ ବିତିଯାଇଥିଲା 33 ବର୍ଷ । ପରିବାର ସଦସ୍ୟ କେବଳ ମୃତ ବୋଲି ଧରି ନେଇଥିଲେ ତାହା ନୁହେଁ, ପ୍ରଶାସନ ମଧ୍ୟ ମୃତ ପ୍ରମାଣପତ୍ର ପରିବାରକୁ ପ୍ରଦାନ କରିସାରିଥିଲା । ହେଲେ ଦୀର୍ଘ ତିନି ଦଶନ୍ଧି ପରେ ହଠାତ ଘରେ ପହଞ୍ଚିଲେ ମୃତ ଘୋଷିତ ବ୍ୟକ୍ତି । ଏପରି ଏକ ଆଶ୍ଚର୍ଯ୍ୟ କରିବା ପରି ଘଟଣା ରାଜସ୍ଥାନର ଅଲଓ୍ବାର ଜିଲ୍ଲାରେ ଦେଖିବାକୁ ମିଳିଛି । ପରିବାର ସଦସ୍ୟଙ୍କ ଖୁସି ଏବେ କହିଲେ ନସରେ । ହେଲେ ବ୍ୟକ୍ତିଜଣଙ୍କ 33 ବର୍ଷର ଅନ୍ତର୍ଧ୍ୟାନ ମଧ୍ୟ ସ୍ଥାନୀୟ ଗ୍ରାମବାସୀଙ୍କ ମଧ୍ୟରେ କୌତୁହଳ ସୃଷ୍ଟି କରିଛି ।
ସୂଚନା ଅନୁସାରେ ଅଲଓ୍ବାର ଜିଲ୍ଲାର ବସୁର ଅଞ୍ଚଳର ବାସିନ୍ଦା ହନୁମାନ ସୈନୀ 1989 ରେ ଦିଲ୍ଲୀର ଖାରୀ ବାବଲୀ ଅଞ୍ଚଳରେ କାମ କରିବାକୁ ଯାଇ ଆଉ ଘରକୁ ଫେରିନଥିଲେ । ତାଙ୍କୁ ବହୁ ଖୋଜାଖୋଜି କରିବା ପରେ ମଧ୍ୟ ତାଙ୍କ ସମ୍ପର୍କରେ କୌଣସି ସନ୍ଧାନ ମିଳିନଥିଲା । ବର୍ଷ ବର୍ଷ ଧରି ତାଙ୍କ ସମ୍ପର୍କରେ କୌଣସି ସୂଚନା ନମିଳିବା ଫଳରେ ପରିବାର ସଦସ୍ୟ କୌଣସି ଦୁର୍ଘଟଣାବସତଃ ତାଙ୍କ ମୃତ୍ୟୁ ହୋଇଯାଇଥିବା ଧରି ନେବାକୁ ବାଧ୍ୟ ହୋଇଥିଲେ । ହନୁମାନ ସୈନୀଙ୍କ ପତ୍ନୀଙ୍କ ସମେତ 3 ଝିଅ ଓ 2 ପୁଅଙ୍କୁ ମିଶାଇ ମୋଟ 5 ସନ୍ତାନ ମଧ୍ୟ ରହିଛନ୍ତି । ଗତବର୍ଷ 2022 ରେ କୌଣସି କାରଣ ପାଇଁ ସୈନୀଙ୍କ ପୁଅ ବାପାଙ୍କ ମୃତ୍ୟୁ ପ୍ରମାଣପତ୍ର ପାଇଁ ଆବେଦନ ମଧ୍ୟ କରିଥିଲେ । ସ୍ଥାନୀୟ ପ୍ରଶାସନ ତାହା ପ୍ରଦାନ ମଧ୍ୟ କରିଥିଲା ।
ହେଲେ ହଠାତ ଗତମାସ ମେ’ 30 ତାରିଖ ରାତିରେ ଘରେ ପହଞ୍ଚିଥିଲେ ସୈନୀ । ପରିବାର ଲୋକେ ତାଙ୍କୁ ଦେଖି ଆଶ୍ଚର୍ଯ୍ୟ ହୋଇଯାଇଥିଲେ । ଦୀର୍ଘ 33 ବର୍ଷ ପରେ ଜୀବିତ ଥିବା ଓ ଫେରି ଆସିଥିବା କଥାକୁ ଗ୍ରାମବାସୀ ସହଜରେ ଗ୍ରହଣ କରିପାରିନାହାନ୍ତି । ତାଙ୍କୁ ଦେଖିବା ପଇଁ ଭିଡ ଲାଗିଥିଲା । ତେବେ ହନୁମାନ କହିଛନ୍ତି ସେ ଦିଲ୍ଲୀରେ ଏକ ଦୋକାନରେ କାମ କରୁଥିଲେ । କୌଣସି କାରଣବସତଃ ସେ ଦିଲ୍ଲୀରୁ ପଞ୍ଜାବର ଅମୃତସର ଯାଉଥିବା ଏକ ଟ୍ରେନରେ ସେ ଯାତ୍ରା କରିଥିଲେ । ତାଙ୍କ ନିକଟରେ ମାତ୍ର 20 ଟଙ୍କା ଥିଲା । ଜଣେ ଟିଟିଇ ତାଙ୍କୁ ଟ୍ରେନ ଡବାରେ ଧରିବା ପରେ ଫାଇନ କାଟିବା ପାଇଁ କହିଥିଲେ । ତାଙ୍କ ପାଖେ ଟଙ୍କା ନଥିବା ଦେଖି ଟିଟିଇ ଜଣଙ୍କ ତାଙ୍କୁ ନିଜ ଖର୍ଚ୍ଚରେ ଟିକେଟ ଦେଇଥିଲେ । ପରେ ହନୁମାନ ସିଧା ଶିମଲା ପହଞ୍ଚିବା ସହ ସେଠାରେ ଏକ ମନ୍ଦିରରେ ପହଞ୍ଚିଥିଲେ । ତାଙ୍କ ନିକଟରେ ଅର୍ଥ ନଥିବାରୁ ସେ ନିଜ ଘର ରାଜସ୍ଥାନକୁ ଫେରି ପାରିନଥିଲେ । ଦୀର୍ଘ 33 ବର୍ଷ ଧରି ସେ ଶିମଲାର ଏକ ମନ୍ଦିରରେ ରହିବା ପରେ ଗତ 30 ତାରିଖ ଦିନ ଘରକୁ ଫେରିଥିବା କହିଛନ୍ତି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ