ବେଙ୍ଗାଲୁରୁ: କର୍ଣ୍ଣାଟକର ଲୋକେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ଅଛନ୍ତି । ଚଳିତ ବିଧାନସଭା ନିର୍ବାଚନରେ ଭାରତୀୟ ଜନତା ପାର୍ଟି 150 ରୁ ଅଧିକ ଆସନରେ ନିର୍ବାଚନ ଜିତି କ୍ଷମତା ବଜାୟ ରଖିବା ନେଇ ଆଶା ପ୍ରକଟ କରିଛନ୍ତି କେନ୍ଦ୍ର ଶିକ୍ଷାମନ୍ତ୍ରୀ ତଥା ଦଳର ରାଜ୍ୟ ପ୍ରଭାରୀ ଧର୍ମେନ୍ଦ୍ର ପ୍ରଧାନ । ଆଜି (ଗୁରୁବାର) କର୍ଣ୍ଣାଟକ ଗସ୍ତରେ ଥିବା ଧର୍ମେନ୍ଦ୍ର କହିଛନ୍ତି, ‘‘ରାଜ୍ୟରେ ଗତ ଦଶନ୍ଧି ଧରି ଭାରତୀୟ ଜନତା ପାର୍ଟି ଭଲ ସ୍ଥିତିରେ ରହିଛି । ରାଜ୍ୟବାସୀ ପ୍ରଧାନମନ୍ତ୍ରୀଙ୍କ ସହ ରହିଛନ୍ତି, ତାଙ୍କ ଶୁଶାସନକୁ ମଧ୍ୟ ଦେଖିଛନ୍ତି । ରାଜ୍ୟରେ ୟାଦ୍ଦିରପ୍ପା ଓ ବାମ୍ମାଇ ସରକାରରେ ମଧ୍ୟ ଅନେକ କାମ ହୋଇଛି । ଯାହା ଫଳରେ ଚଳିତଥର ମଧ୍ୟ ଲୋକେ ବିଜେପିକୁ ଭୋଟ ଦେବାକୁ ଯାଉଛନ୍ତି । ବିଜେପି ଏଥର 150 ରୁ ଅଧିକ ଆସନ ଜିତି ରାଜ୍ୟରେ ପୁଣି ସରକାର ଗଠନ କରିବ ।’’
ଆହୁରି ମଧ୍ଯ ଧର୍ମେନ୍ଦ୍ର କହିଛନ୍ତି, ନିକଟରେ ପ୍ରଧାନମନ୍ତ୍ରୀ ଏକାଧିକ ଥର କର୍ଣ୍ଣାଟକ ଗସ୍ତରେ ଆସିସାରିଛନ୍ତି । ଆଗକୁ ମଧ୍ୟ ପ୍ରଧାନମନ୍ତ୍ରୀଙ୍କର ଏକାଧିକ ଗସ୍ତ କରିବାର ରହିଛି । କେବଳ ପ୍ରଧାନମନ୍ତ୍ରୀ ନୁହନ୍ତି, ପାର୍ଟି ମୁଖ୍ୟ ଜେ.ପି ନଡ୍ଡା, କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଓ ମହାସଚିବ ଅରୁଣ ସିଂ ମଧ୍ୟ ଏକାଧିକ ଥର କର୍ଣ୍ଣାଟକ ଗସ୍ତ କରିବାର କାର୍ଯ୍ୟକ୍ରମ ରହିଛି । ସେମାନେ ସମସ୍ତେ ନିର୍ବାଚନ ପ୍ରଚାର ମୈଦାନକୁ ଓହ୍ଲାଇବେ । ଦଳ ଏଥର ଭଲ ପ୍ରଦର୍ଶନ କରିବାକୁ ଯାଉଛି ।
ତେବେ ବିଜେପି ଶାସିତ ବଡ ରାଜ୍ୟ ତାଲିକାରେ ଦକ୍ଷିଣ ରାଜ୍ୟ କର୍ଣ୍ଣାଟକ ରହିଛି । ଦକ୍ଷିଣ ଭାରତରେ କର୍ଣ୍ଣାଟକ ଦଳର କ୍ଷମତାରେ ଥିବା ଏକମାତ୍ର ରାଜ୍ୟ ମଧ୍ୟ । କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପୂର୍ବରୁ ରାଜ୍ୟରେ ଦଳର ପ୍ରଭାରୀ ରହିଥିବା ବେଳେ ଚଳିତ ନିର୍ବାଚନ ପୂର୍ବରୁ ଦଳ ଆଉ ଦୁଇଜଣ ସହ-ପ୍ରଭାରୀଙ୍କୁ ମଧ୍ୟ ଦାୟିତ୍ବ ଦେଇଛି । କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ଡ.ମନସୁଖ ମାଣ୍ଡବ୍ଯ ଓ ତାମିଲନାଡୁର ପ୍ରଦେଶ ବିଜେପି ସଭାପତି କେ.ଆନ୍ନାମଲ୍ଲାଇ ସହ-ପ୍ରଭାରୀ ଭାବେ ଦାୟିତ୍ବ ପାଇଛନ୍ତି । ଚଳିତ ବର୍ଷ ଶେଷଭାଗରେ ରାଜ୍ୟରେ ବିଧାନସଭା ନିର୍ବାଚନ ହେବାକୁ ଯାଉଥିବା ବେଳେ ଭାରତୀୟ ଜନତା ପାର୍ଟି ଏବେ ଠାରୁ ତାର ନିର୍ବାଚନୀ ରଣନୀତି ଆରମ୍ଭ କରିସାରିଛି ।
ନିକଟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକାଧିକ ଥର କର୍ଣ୍ଣାଟକ ଗସ୍ତ କରି ଏକାଧିକ ପ୍ରକଳ୍ପର ଶିଳାନ୍ୟାସ ସାଙ୍ଗକୁ ଭିତ୍ତିପ୍ରସ୍ତର ମଧ୍ୟ ସ୍ଥାପନ କରିଛନ୍ତି । ଆଗକୁ ମଧ୍ୟ ପ୍ରଧାନମନ୍ତ୍ରୀଙ୍କ ସମେତ ଦଳର ହେଭିଓ୍ବେଟ ନେତାଙ୍କର ଏକାଧିକ ଗସ୍ତ ରହିଥିବା ପ୍ରଭାରୀ ଧର୍ମେନ୍ଦ୍ର ସୂଚନା ଦେଇଛନ୍ତି । ସିଦ୍ଧରମୈୟାଙ୍କ ନେତୃତ୍ବାଧୀନ କଂଗ୍ରେକୁ କ୍ଷମତାରୁ ଦୂରେଇ ବିଜେପି ୟାଦ୍ଦିରୋପ୍ପାଙ୍କ ନେତୃତ୍ବରେ ସରକାର ଗଠନ କରିଥିଲା । ପରେ ଦଳ ମୁଖ୍ୟମନ୍ତ୍ରୀ ପରିବର୍ତ୍ତନ କରି ୟାଦ୍ଦିରୋପ୍ପା ସରକାରରେ ଗୃହମନ୍ତ୍ରୀ ଥିବା ବଶବରାଜ ବୋମ୍ମାଇଙ୍କୁ ମୁଖ୍ୟମନ୍ତ୍ରୀ କରିଥିଲା । ଚଳିତ ନିର୍ବାଚନ ମଧ୍ୟ ଦଳ ବୋମ୍ମାଇଙ୍କ ନେତୃତ୍ବରେ ଲଢିବା ନେଇ ଆଶା କରାଯାଉଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ