ନୂଆଦିଲ୍ଲୀ: ବ୍ରିକ୍ସ ସମ୍ମିଳନୀ ପାଇଁ ଦକ୍ଷିଣ ଆଫ୍ରିକା ଗସ୍ତରେ ଥିବା ପ୍ରଧାନମନ୍ତ୍ରୀ ମୋଦି ଆଜି (ଗୁରୁବାର) ଚୀନ ରାଷ୍ଟ୍ରପତି ସି.ଜିନପିଙ୍ଗଙ୍କ ସହ ଆଲୋଚନା କରିଛନ୍ତି । ଉଭୟଙ୍କ ବାର୍ତ୍ତାଳାପର ମୁଖ୍ୟ ପ୍ରସଙ୍ଗ ଥିଲା ଭାରତ-ଚୀନ ସୀମା ବିବାଦ ମାମଲାରେ ଉତ୍ତେଜନା ହ୍ରାସ କରିବା । ପ୍ରଧାନମନ୍ତ୍ରୀ ମୋଦି ଏବଂ ପ୍ରତିପକ୍ଷ ସି.ଜିନପିଙ୍ଗ ଦୁଇ ଦେଶର ସୀମାବର୍ତ୍ତୀ ପୂର୍ବ-ଲଦାଖ କ୍ଷେତ୍ରରେ ଉତ୍ତେଜନା ହ୍ରାସ ଉପରେ ସହମତ ହୋଇଥିବା ନେଇ ସୂଚନା ମିଳିଛି । ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ କହିଛି, ବ୍ରିକ୍ସରେ ପ୍ରଧାନମନ୍ତ୍ରୀ ମୋଦି ଏବଂ ସି ଜିନପିଙ୍ଗ ଲଦାଖରେ ଲାଗି ରହିଥିବା ଉତ୍ତେଜନା ହ୍ରାସ ପ୍ରସଙ୍ଗରେ କଥାବାର୍ତ୍ତା କରିଛନ୍ତି । ଉତ୍ତେଜନା ହ୍ରାସ କରିବା ନେଇ ଉଭୟ ପକ୍ଷରୁ ତ୍ବରିତ ପଦକ୍ଷେପ ଗ୍ରହଣ କରିବାକୁ ଉଭୟ ନେତା ସହମତ ମଧ୍ୟ ହୋଇଛନ୍ତି ।
ବୈଦେଶିକ ସଚିବ ବିନୟ କ୍ୱାତ୍ରା କହିଛନ୍ତି, ପ୍ରଧାନମନ୍ତ୍ରୀ ମୋଦି ଚୀନ୍ ରାଷ୍ଟ୍ରପତିଙ୍କ ସହ ଆଲୋଚନାରେ ପ୍ରକୃତ ନିୟନ୍ତ୍ରଣ ରେଖା (ଏଲଏସି) ଉତ୍ତେଜନା ହ୍ରାସ ଓ ଶାନ୍ତି ନିଶ୍ଚିତ କରିବା ପ୍ରସଙ୍ଗ ଉଠାଇଛନ୍ତି । ଉଭୟ ନେତା ଏହି ଦିଗରେ ସହମତ ମଧ୍ୟ ହୋଇଥିଲେ । ତେବେ ଏହି ଦିଗରେ ଉଭୟ ପକ୍ଷରୁ ପ୍ରାୟାସ ଆରମ୍ଭ କରାଯିବ । ସେହିପରି ବିଦେଶ ସଚିବ ଏହା ମଧ୍ୟ ସ୍ପଷ୍ଚ କରିଛନ୍ତି ଯେ, ସମ୍ମିଳନୀର ଦୁଇ ରାଷ୍ଟ୍ରମୁଖ୍ୟଙ୍କ ମଧ୍ୟରେ ଏହି କଥାବାର୍ତ୍ତା କୌଣସି ଆନୁଷ୍ଠାନିକ ଦ୍ୱିପାକ୍ଷିକ କଥାବାର୍ତ୍ତା ନୁହେଁ, ବରଂ ବ୍ରିକ୍ସ ନେତାଙ୍କ ସହ ମୁଖ୍ୟ ଆଲୋଚନା ଜାରି ରହିଥିବା ବେଳେ ଚୀନ ରାଷ୍ଟ୍ରପତିଙ୍କ ସହ ପାର୍ଶ୍ବ ଆଲୋଚନା ଅବସରେ ପ୍ରଧାନମନ୍ତ୍ରୀ LAC ପ୍ରସଙ୍ଗ ଉଠାଇଥିଲେ ।
ଏହା ମଧ୍ୟ ପଢନ୍ତୁ :-BRICS family photo: ପରସ୍ପରଠାରୁ ଅଲଗା ଛିଡ଼ା ହେଲେ ଜିନ୍ପିଙ୍ଗ୍ ଓ ମୋଦି
ତେବେ ପ୍ରଧାନମନ୍ତ୍ରୀ ମୋଦି ଚୀନ୍ ରାଷ୍ଟ୍ରପତି ସି.ଜିନପିଙ୍ଗଙ୍କ ସହ ଆଲୋଚନା ବେଳେ ସି ଜିନିପିଙ୍ଗକୁ ଭାରତର ଅଧ୍ୟକ୍ଷତାରେ ଆୟୋଜିତ ଜି-20 ସମ୍ମିଳନୀ ପାଇଁ ନିମନ୍ତ୍ରଣ କରିଥିଲେ କି ବୋଲି ଗଣମାଧ୍ୟମ ପ୍ରତିନିଧିମାନେ ପ୍ରଶ୍ନ ଉଠାଇଥିଲେ । ଏହି ପ୍ରଶ୍ନର ଉତ୍ତରରେ ବୈଦେଶିକ ସଚିବ କହିଥିଲେ, ଏହି ପ୍ରସଙ୍ଗରେ କିଛି ପ୍ରତିକ୍ରିୟା ରଖିବାକୁ ଚାହାନ୍ତି ନାହିଁ । ଆଜି ଉଭୟଙ୍କ ନେତାଙ୍କ ମଧ୍ୟରେ ବାର୍ତ୍ତାଳାପର ମୁଖ୍ୟ ପ୍ରସଙ୍ଗ ସୀମା ବିବାଦ ଓ ପ୍ରକୃତ ନିୟନ୍ତ୍ରଣ ରେଖାରେ ଉତ୍ତେଜନା ହ୍ରାସ କରିବା ଥିଲା । ଉଭୟଙ୍କ ମଧ୍ୟରେ କଥାବାର୍ତ୍ତାକୁ ନେଇ ଚର୍ଚ୍ଚା ଲାଗି ରହିଥିଲା । ଉଭୟ ସମ୍ମିଳନୀର ଅଫିସିଆଲ ଫଟୋ ଉଟାଇବା ପରେ ପରସ୍ପର ନିକଟରୁ ପୃଥକ ଛିଡା ହୋଇଥିଲେ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ