ବେଙ୍ଗାଲୁରୁ: ନମ୍ମା ମେଟ୍ରୋ ବା ବେଙ୍ଗାଲୁରୁ ମେଟ୍ରୋ ଭିତରେ ଖାଇବା ଯାତ୍ରୀଙ୍କ ପାଇଁ ପଡ଼ିଲା ମହଙ୍ଗା । ଗଣିଲେ 500 ଟଙ୍କା ତଣ୍ଡ । ମେଟ୍ରୋ ଭିତରେ ଗୋବି ମଞ୍ଚୁରିଆନ ଖାଉଥିବାର ଭିଡିଓ ଭାଇରାଲ ହେବା ପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କଲେ କର୍ତ୍ତୃପକ୍ଷ । ବେଙ୍ଗାଲୁରୁ ମେଟ୍ରୋ ରେଳ କର୍ପୋରେସନର ନିୟମ ଉଲ୍ଲଙ୍ଘନ କରିଥିବାରୁ ଯାତ୍ରୀଙ୍କ ବିରୋଧରେ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିବା ଜଣାପଡ଼ିଛି । ଏହି ଯାତ୍ରୀଙ୍କ ନାମ ସୁନୀଲ କୁମାର ହୋଇଥିବା ବେଳେ ସେ ଜୟନଗର ଜୁଏଲାରୀ ଦୋକାନରେ କାମ କରୁଥିବା ଜଣାପଡ଼ିଛି ।
ବେଙ୍ଗାଲୁରୁ ମେଟ୍ରୋ ରେଳ କର୍ପୋରେସନ (BMRCL)ର ନିୟମ ଅନୁସାରେ ମେଟ୍ରୋ ଭିତରେ ଖାଇବା ମନା । ହେଲେ ଯାତ୍ରୀ ଜଣକ ମେଟ୍ରୋ ଭିତରେ ଖାଇଥିବାରୁ ତାଙ୍କ ବିରୋଧରେ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ମେଟ୍ରୋ ଭିତରେ ଖାଇବା ଯୋଗୁଁ କୌଣସି ଯାତ୍ରୀ ବିରୋଧରେ ଏଭଳି କାର୍ଯ୍ୟାନୁଷ୍ଠାନ ପ୍ରଥମ ବୋଲି କୁହାଯାଉଛି । ତେବେ ଏହି ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ନିଆଯାଇଛି କାର୍ଯ୍ୟାନୁଷ୍ଠାନ ।
ଏହା ବି ପଢନ୍ତୁ- ଦିଲ୍ଲୀ ମେଟ୍ରୋରେ ଜବାନ ଫିଲ୍ମ ଲୁକରେ ଯୁବତୀଙ୍କ ଡାନ୍ସ, ଭିଡ଼ିଓ ଭାଇରାଲ
ନମ୍ମା ମେଟ୍ରୋ କର୍ତ୍ତୃପକ୍ଷଙ୍କ ସୂଚନା ଅନୁସାରେ ଗତ କିଛି ଦିନ ତଳେ ଏହି ଘଟଣା ଘଟିଥିଲା । ଏହି ଯାତ୍ରୀ ଜଣକ ମେଟ୍ରୋର ନିୟମିତ ଯାତ୍ରୀ । ସେ ପ୍ରତିଦିନ ଜୟନଗରଠାରୁ ସାମ୍ପିଜ ରୋଡ ପର୍ଯ୍ୟନ୍ତ ମେଟ୍ରୋରେ ଯାତ୍ରା କରନ୍ତି । ସେ ମେଟ୍ରୋ ଭିତରେ ଖାଉଥିବା ବେଳେ ଏନେଇ ତାଙ୍କ ବନ୍ଧୁମାନେ ମଧ୍ୟ ତାଙ୍କୁ ବାରଣ କରୁଥିବା ଭାଇରାଲ ଭିଡିଓରେ ଦେଖିବାକୁ ମିଳିଛି । ମାତ୍ର ସେ ବନ୍ଧୁମାନଙ୍କ ପରାମର୍ଶକୁ ଅଣଦେଖା କରି ଖାଉଛନ୍ତି । ଏହାପରେ ଜୟନଗର ପୋଲସ ଷ୍ଟେସନରେ ଯାତ୍ରୀଙ୍କ ବିରୋଧରେ ମାମଲା ରୁଜୁ ହୋଇଥିବା ବେଳେ ତାଙ୍କୁ 500 ଟଙ୍କା ଜୋରିମାନା ଭରିବାକୁ ନିର୍ଦ୍ଦେଶ ଦିଆଯାଇଛି ।
ଯାତ୍ରୀ ଜଣକ 500 ଟଙ୍କା ଫାଇନ ଭରିଥିବା ବେଳେ ଭବିଷ୍ୟତରେ ଏଭଳି ଆଚରଣକୁ ଦୋହରାଇବେ ନାହିଁ ବୋଲି ଏକ ଅଣ୍ଡରଟେକିଂ ଲେଖିଛନ୍ତି । ଏହି ଘଟଣା ପରେ ମେଟ୍ରୋ କର୍ତ୍ତୃପକ୍ଷ ଅଡ଼ିଓ ଓ ଭିଡିଓ ବାର୍ତ୍ତା ଜାରି କରିଛନ୍ତି । ମେଟ୍ରୋରେ ଯାତ୍ରା କରୁଥିବା ଯାତ୍ରୀମାନେ ଏହାର ସମସ୍ତ ନିୟମ ସମ୍ପର୍କରେ ଅବଗତ ହେବା ସହ ଏହାକୁ ଯାତ୍ରା ସମୟରେ ପାଳନ କରିବାକୁ ଅନୁରୋଧ କରାଯାଇଛି । ସୂଚନା ଥାଉ କି ଗତ ସେପ୍ଟେମ୍ବରରେ ବିଦେଶୀ ଯୁଟ୍ୟୁବର Fidias Panayiotou ବିନା ଟିକେଟରେ ମେଟ୍ରୋରେ ଯାତ୍ରା କରୁଥିବାରୁ ତାଙ୍କ ବିରୋଧରେ କେଆର ମାର୍କେଟ ପୋଲିସ ମାମଲା ରୁଜୁ କରିଥିଲା ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ