ରାଞ୍ଚି: ଅନ୍ଧବିଶ୍ବାସର ଅନ୍ଧଗଳିରେ ମଣିଷ । ମଣିଷ ଯାଇ ଚନ୍ଦ୍ରପୃଷ୍ଠରେ ପହଞ୍ଚିଲାଣି । କିନ୍ତୁ ଏବେବି ଲୋକଙ୍କ ମନରେ ଅନ୍ଧବିଶ୍ବାସ ମନରେ ବସା ବାନ୍ଧି ବସିଛି । ଯାହାର ସଦ୍ୟ ଉଦାହରଣ ଦେଖିବାକୁ ମିଳିଛି ଝାଡଖଣ୍ଡରେ । ଝାଡଖଣ୍ତ ଗୁମଲା ଜିଲ୍ଲାର ଶିବନାଥପୁର ପଞ୍ଚାୟତର ଡାହୁଟୋଲି ଗାଁରେ ଜଣେ ଯୁବତୀଙ୍କୁ ନିଆଁ ପାଣି ବାସନ୍ଦ କରିବାକୁ ନିଷ୍ପତ୍ତି ନେଇଛି ପଞ୍ଚାୟତ । ଯୁବତୀଙ୍କ ଭୁଲ ଏହା ଯେ, ସେ ଟ୍ରାକ୍ଟରରେ କ୍ଷେତରେ ଚାଷ କରିଥିଲେ ।
କଣ ଥିଲା ପୁରା ଘଟଣା ?
ଗାଁର ୨୨ ବର୍ଷୀୟ ଯୁବତୀ ମଞ୍ଜୁ ଓରାବଙ୍କୁ ଏଭଳି ଶାସ୍ତି ଦେବାକୁ ନିଷ୍ପତ୍ତି ନେଇଛି ପଞ୍ଚାୟତ । ବିଏ ପାଠ ପଢୁଥିବା ମଞ୍ଜୁ ନିଜର ଆର୍ଥିତ ସ୍ଥିତିରେ ସୁଧାର ଆଣିବା ପାଇଁ କ୍ଷେତରେ ବିଭିନ୍ନ ପ୍ରକାର ପରିବା ସହ ଶସ୍ୟ ଚାଷ କରନ୍ତି । ଏପରିକି ସେ ଗାଁଲୋକଙ୍କ କ୍ଷେତକୁ ଭାଗରେ ନେଇ ମଧ୍ୟ ଚାଷ କରନ୍ତି । ଚାଷ କାର୍ଯ୍ୟକୁ ଆଉ ଟିକେ ସହଜ କରିବା ପାଇଁ ସଞ୍ଚିଥିବା ଟଙ୍କାରେ ଏକ ପୁରୁଣା ଟ୍ରାକ୍ଟର କିଣିଥିଲେ । ଆଉ ଟ୍ରାକ୍ଟର ଯୋଗେ ନିଜ କ୍ଷେତରେ ଚାଷ କରୁଥିଲେ । କିନ୍ତୁ ଏହାକୁ ସହଜରେ ଗ୍ରହଣ କରିପାରିନଥିଲେ ଗାଁଲୋକେ । ଜଣେ ମହିଳା ହୋଇ କ୍ଷେତରେ ଟ୍ରାକ୍ଟର ଚଳାଇବାକୁ ନେଇ ଗାଁ ଲୋକଙ୍କ ମନରେ ବସା ବାନ୍ଧେ ଅନ୍ଧ ବିଶ୍ବାସ । ମଞ୍ଜୁ କ୍ଷେତରେ ଟ୍ରାକ୍ଟର ଯୋଗେ ଚାଷ କଲେ ଗାଁକୁ ଦୁର୍ଭିକ୍ଷ ଓ ମହାମାରି ମାଡି ଆସିବ ବୋଲି କୁହନ୍ତି । ପରେ ଏ କଥା ପଞ୍ଚାୟତରେ ପଡେ । ପଞ୍ଚାୟତ ପକ୍ଷରୁ ମଞ୍ଜୁଙ୍କୁ ଆସେ ଡକରା । ପରେ ମଞ୍ଜୁକୁ ଚାଷ ନ କରିବାକୁ ନିର୍ଦ୍ଦେଶ ଦିଆଯାଏ ।
କେବଳ ସେତିକି ନୁହେଁ ଗ୍ରାମବାସୀଙ୍କ ଆଗରେ ନିଜ ଭୁଲ ପାଇଁ କ୍ଷମା ପ୍ରାର୍ଥନା କରିବା ସହ ଜରିମାନା ମଧ୍ୟ ଦେବାକୁ ନିର୍ଦ୍ଦେଶ ଦିଆଯାଇଥିଲା । ମଞ୍ଜୁଙ୍କ ଜରିମାନାରେ ଗାଁରେ ବ୍ୟାପୁଥିବା ରୋଗରେ ଖର୍ଚ୍ଚ କରାଯିବ ବୋଲି ନିଷ୍ପତ୍ତି ହୁଏ । ହେଲେ ଏସବୁକୁ ଆଦେଶକୁ ଯୁବତୀ ଜଣକ ପ୍ରତ୍ୟାଖ୍ୟାନ କରି ଦିଅନ୍ତି । ଆଗକୁ ଚାଷ କାର୍ଯ୍ୟ କରିବା ପାଇଁ ପଞ୍ଚାୟତ ଆଗରେ ମଧ୍ୟ କୁହନ୍ତି । ଦେଶର ପ୍ରଗତି ପାଇଁ ମହିଳା ମାନଙ୍କୁ ସାମାଜିକ, ଅର୍ଥନୈତିକ ଓ ରାଜନୈତିକ ଭାବେ ସଶକ୍ତିକରଣ କରିବାର ଆବଶ୍ୟକତା ରହିଛି ।