ଅମରାବତୀ: ଆନ୍ଧ୍ରପ୍ରଦେଶରେ ଆଶ୍ଚର୍ଯ୍ୟଜନକ ଘଟଣା । ସାଧାରଣତଃ ମଣିଷର ମୃତ୍ୟୁ ପରେ ଶ୍ରାଦ୍ଧ ଦିଆଯାଏ । କିନ୍ତୁ ଆପଣ କେବେ ଶୁଣିଛନ୍ତି କି ବଞ୍ଚିଥାଉ ଥାଉ ଜଣେ ବ୍ୟକ୍ତି ନିଜର ଶ୍ରାଦ୍ଧ କରିବା କଥା । ଏମିତି କରୁଛନ୍ତି ଖୋଦ ଜଣେ ସୁନାମଧନ୍ୟ ଡାକ୍ତର । ଏଭଳି ଏକ ଆଶ୍ଚର୍ଯ୍ୟଜନକ ଖବର ସାମ୍ନାକୁ ଆସିଛି ଆନ୍ଧ୍ରପ୍ରଦେଶର ବାପାଟଲା ଜିଲ୍ଲାର ଚିରାଲାରୁ । ନିଜର ମୃତ୍ୟୁ ବୟସ ସ୍ଥିରକରି ଶ୍ରାଦ୍ଧ କରୁଥିବା ଡାକ୍ତର ହେଉଛନ୍ତି ପାଲେଟି ରାମା ରାଓ ।
ଖବରଅନୁସାରେ, ରାମାରାଓ ନିଜର ଶ୍ରାଦ୍ଧ ବାର୍ଷିକୀ ପାଇଁ ନିମନ୍ତ୍ରଣ କାର୍ଡ ଦେଇ ଚର୍ଚ୍ଚାକୁ ଆସିଛନ୍ତି । ସେ ଆଜି (ରବିବାର) ନିଜର ଦ୍ବାଦଶ ଶ୍ରାଦ୍ଧ ଦିବସ ପାଳନ କରୁଛନ୍ତି । ଏନେଇ ସମସ୍ତଙ୍କୁ ଉପସ୍ଥିତ ରହିବାକୁ କାର୍ଡ ମଧ୍ୟ ବଣ୍ଟନ କରିଛନ୍ତି । ଡାକ୍ତର ପାଲେଟି ରାମାରାଓ ୭୫ ବର୍ଷ ବଞ୍ଚିବାକୁ ଚାହୁଁଥିବା ବେଳେ ସେ ୬୩ ବର୍ଷ ଅତିକ୍ରମ କରିସାରିଛନ୍ତି । ସେ କହିଛନ୍ତି ମୁଁ ଆଉ ମାତ୍ର ୧୨ ବର୍ଷ ବଞ୍ଚିବି । ଏହାସହ ସେ ଆସନ୍ତାବର୍ଷ ଏକାଦସ ଶ୍ରାଦ୍ଧ ଦିବସ ପାଳନ କରିବେ ବୋଲି ମଧ୍ୟ କହିଛନ୍ତି । ଏପରି କାମ କରି ସେ ବର୍ତ୍ତମାନ ଚର୍ଚ୍ଚାକୁ ଆସିଛନ୍ତି ।
ଏହା ମଧ୍ୟ ପଢନ୍ତୁ: ଭିଜିଲାନ୍ସ ଜାଲରେ ସହକାରୀ ଯନ୍ତ୍ରୀ, ଏକକାଳୀନ ୪ଟି ସ୍ଥାନରେ ରେଡ
ଏନେଇ ଡାକ୍ତର ଜଣକ କହିଛନ୍ତି, ଯଦିଓ ଭଗବାନ ବହୁତ କିଛି ଶିକ୍ଷା ଦିଅନ୍ତି, ତଥାପି ମଣିଷ ତାଙ୍କ ଜୀବନଶୈଳୀ ଏବଂ ଚିନ୍ତାଧାରାକୁ ସଂଶୋଧନ କରିବାରେ ଅସମର୍ଥ ଅଟେ । ମୁଁ କେତେ ଦିନ ବଞ୍ଚିବାକୁ ଚାହେଁ, କେତେ ଦିନ ବଞ୍ଚିଛି ଏବଂ ଆଉ ମୋର ମୃତ୍ୟୁ ପାଇଁ କେତେ ଦିନ ରହିଲା ତାହା ମୁଁ ସ୍ଥିର କରିସାରିଛି । ମୁଁ ୭୫ ବର୍ଷ ବଞ୍ଚିବାକୁ ଚାହେଁ ଏବଂ ମୋତେ ଏବେ ୬୩ ବର୍ଷ ହୋଲାଣି । ଆଉ ମାତ୍ର ୧୨ ବର୍ଷ ବଞ୍ଚିବି । ତେଣୁ ମୁଁ ମୋର ଦ୍ବାଦଶ ଶ୍ରାଦ୍ଧ ଦିବସ ପାଳନ କରୁଛି । ଆସନ୍ତା ବର୍ଷ ୧୧ ତମ ଶ୍ରାଦ୍ଧ ଦିବସ ପାଳନ କରିବି ।"
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ