ନୂଆଦିଲ୍ଲୀ: ଜେଲରୁ ମୁକୁଳିଲେ ନୋଏଡାରେ ହିନ୍ଦୁ ପ୍ରେମିକଙ୍କ ସହିତ ଠାବ ହୋଇଥିବା ପାକିସ୍ତାନୀ ମହିଳା ସୀମା ଗୁଲାମ ହୈଦର (30) । ପୋଲିସ ପାକ୍ ଗୁପ୍ତଚର ଭାବି ତାଙ୍କୁ ଗିରଫ କରିଥିବା ବେଳେ ଶନିବାର ତାଙ୍କୁ ଜାମିନ ମିଳିଛି । ଜେଲ୍ରୁ ମୁକୁଳିବା ପରେ ଆଉ ପାକିସ୍ତାନ ଫେରିବେ ନାହିଁ ବୋଲି କହିଛନ୍ତି ସୀମା । ଯଦି ଫେରନ୍ତି ତେବେ ସେ ଆଉ ସେଠାରେ ଜୀବିତ ରହିପାରିବେନି । ଏଣୁ ତାଙ୍କୁ ଭାରତର ନାଗରିକତା ପ୍ରଦାନ କରାଯାଉ । ଯାହାଦ୍ବାରା ସେ ଭାରତରେ ରହିପାରିବେ ବୋଲି କହିଛନ୍ତି । ଏନେଇ ସେ ଗଣମାଧ୍ୟମ ଜରିଆରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ମଧ୍ୟ ଅନୁରୋଧ କରିଛନ୍ତି ।
ଜାମିନ ମିଳିବା ପରେ ସେ ପ୍ରେମିକ ସଚିନଙ୍କ ରବିପୁରା ଗୌତମ ବୁଦ୍ଧ ନଗର ସ୍ଥିତ ବାସଭବନକୁ ଫେରିଛନ୍ତି । ଏହାପରେ ସେ ପାକିସ୍ତାନ ଫେରିବାକୁ ସଫା ସଫା ମନା କରିଦେଇନ୍ତି । ତାଙ୍କୁ ଭାରତର ନାଗରିକତ୍ବ ପ୍ରଦାନ କରିବା ଲାଗି ଭାରତ ସରକାରଙ୍କ ନିକଟରେ ନିବେଦନ କରିଛନ୍ତି । ଜେଲ୍ରେ 4ଦିନ ରହିବା ପରେ ଏବେ ସେ ସର୍ତ୍ତମୂଳକ ଜାମିନରେ ମୁକୁଳିଛନ୍ତି । ଜାମିନରେ ଥିବା ସମୟରେ ସେ ଯେପରି ନିଜ ଠିକଣା ବା ପାକିସ୍ତାନ ନଫେରନ୍ତି ସେନେଇ ସର୍ତ୍ତ ରଖିଥିଲେ କୋର୍ଟ । ଗତ 4 ତାରିଖରେ ଫେରାର ଥିବା ସୀମା ହୈଦର ଓ ପ୍ରେମିକ ସଚିନଙ୍କୁ ଉତ୍ତରପ୍ରଦେଶ ପୋଲିସ ଗିରଫ କରିଥିଲା । ବେଆଇନ ଭାବେ ବିଦେଶୀଙ୍କୁ ସ୍ଥାନ ଦେଇଥିବାରୁ ସଚିନଙ୍କ ବିରୋଧରେ ମାମଲା ରୁଜୁ କରିଥିଲା ପୋଲିସ ।
ବେଆଇନ ଭାବେ ଭାରତ ପ୍ରବେଶ ନେଇ ସୀମାଙ୍କ ବିରୋଧରେ ମାମଲା ରୁଜୁ ହୋଇଛି । ସେମାନେ ପରସ୍ପରକୁ ପ୍ରେମ କରନ୍ତି ଏବଂ ସାଥୀରେ ରହିବାକୁ ପୋଲିସ ଓ ଗଣମାଧ୍ୟମ ସମ୍ମୁଖରେ ମଧ୍ୟ କହିଛନ୍ତି । ତାଙ୍କୁ ବିବାହ ପାଇଁ ଅନୁମତି ଦେବାକୁ ଉଭୟ ସରକାରଙ୍କୁ ନିବେଦନ କରିଛନ୍ତି । ସୂଚନା ଥାଉ କି ପାକ୍ ମହିଳା ସୀମା ସଚିନଙ୍କ ପ୍ରେମରେ ପଡ଼ି ନେପାଳ ରାସ୍ତା ଦେଇ ଭାରତରେ ପ୍ରବେଶ କରିଥିଲେ । ଏହାପରେ ଉଭୟ ଏକ ଭଡ଼ା ଘରେ ଦମ୍ପତି ଭଳି ଜୀବନ କାଟୁଥିଲେ । ସୀମା ନିଜ ସହିତ 4ଟି ସନ୍ତାନଙ୍କୁ ନେଇ ଭାରତ ଆସିଥିଲେ । ବିବାହ ପାଇଁ ଯୋଜନା କରୁଥିବା ବେଳେ ପୋଲିସ ନିକଟରେ ଖବର ପହଞ୍ଚିଥିଲା । ଏହାପରେ ପୋଲିସ ତାଙ୍କ ନିକଟରେ ପହଞ୍ଚିବା ପୂର୍ବରୁ ସେ ଫେରାର ହୋଇଯାଇଥିଲେ ।
ଏହା ବି ପଢନ୍ତୁ- Pak Woman in Greater Noida: ବୟଫ୍ରେଣ୍ତ ସନ୍ଧାନରେ 4 ସନ୍ତାନ ସହ ନୋଏଡାରେ ପାକ୍ ମହିଳା
2019ରୁ PUBG ଖେଳି ଉଭୟଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲା । ଏହାପରେ ଉଭୟ ପୂର୍ବରୁ ନେପାଳରେ ପରସ୍ପରକୁ ଭେଟିଥିଲେ । ଏହାପରେ ସୀମା ସଚିନଙ୍କ ସହିତ ସାରା ଜୀବନ ବିତାଇବା ଲାଗି ନିଜ ଦେଶ ଛାଡ଼ି ଭାରତ ଆସିଛନ୍ତି । ହେଲେ ସୀମାଙ୍କ ଭାଇ ପାକ୍ ସେନାରେ କାର୍ଯ୍ୟରତ ଥିବା ଜାଣି ସେ ପାକ୍ ଗୁପ୍ତଚର ହୋଇପାରନ୍ତି ବୋଲି ପୋଲିସ ସନ୍ଦେହ ମଧ୍ୟ କରିଥିଲା । ଏନେଇ ପୋଲିସ ତଦନ୍ତ ଜାରି ରଖିଛି । ସେପଟେ ସୀମାଙ୍କ ପ୍ରଥମ ସ୍ବାମୀ ସନ୍ତାନକୁ ପାକିସ୍ତାନ ଫେରାଇବା ଲାଗି ଦାବି କରିଛନ୍ତି । ଦେଖିବାକୁ ବାକି ରହିଲା ଏହି ପ୍ରେମ କାହାଣୀ କେଉଁ ମୋଡ଼ ନେଉଛି ।