ଗାନ୍ଧୀନଗର: ପାକିସ୍ତାନ ଜଳସୀମାରେ ପ୍ରବେଶ କରି ମାଛ ଧରିବା ଅଭିଯୋଗରେ ଗିରଫ ହୋଇ ପାକିସ୍ତାନ ଜେଲରେ ଥିବା 20 ଭାରତୀୟ ମତ୍ସ୍ୟଜୀବୀଙ୍କୁ ମୁକ୍ତ କରିବ ପାକିସ୍ତାନ । ଆଜି ଏନେଇ ପାକିସ୍ତାନ ସ୍ପଷ୍ଟ କରିଛି । ଆସନ୍ତା 2 ରୁ 3 ଦିନ ମଧ୍ୟରେ ପ୍ରତ୍ୟାର୍ପଣ ସମ୍ପର୍କିତ ଆବଶ୍ୟକୀୟ ପ୍ରକ୍ରିୟା ଶେଷ ହେବ । ପରେ ଭାରତୀୟ ମତ୍ସ୍ୟଜୀବୀଙ୍କୁ ଭାରତ-ପାକ ଓ୍ବାଘା ଅଟ୍ଟାରୀ ଅନ୍ତର୍ଜାତୀୟ ପୋଷ୍ଟରେ ଭାରତକୁ ପ୍ରତ୍ୟାର୍ପଣ କରିବ ପାକିସ୍ତାନ ।
ପାକିସ୍ତାନର ଏପରି କାର୍ଯ୍ୟାନୁଷ୍ଠାନ ପରେ ଭାରତ ପକ୍ଷରୁ ମତ୍ସ୍ୟଜୀବୀଙ୍କୁ ଫେରାଇଦେବା ପାଇଁ ପାକିସ୍ତାନ ଉପରେ ଚାପ ପକାଯାଇଥିଲା । ଭାରତୀୟ ସୀମାରେ ପ୍ରବେଶ ପରେ ସେମାନଙ୍କୁ ଉଚିତ ପ୍ରୋଟୋକଲ ମାଧ୍ୟମରେ ନିଜ ଗୃହରାଜ୍ୟ ଗୁଜୁରାଟ ଅଭିମୁଖେ ପଠାଯିବ । ଆବଶ୍ୟକ ଯାଞ୍ଚ ପରେ ସେମାନଙ୍କୁ ସେମାନଙ୍କ ପରିବାରକୁ ହସ୍ତାନ୍ତର କରାଯିବ ।
ଏବେ ମଧ୍ୟ ପାକିସ୍ତାନରେ ଅନେକ ଭାରତୀୟ ମତ୍ସ୍ୟଜୀବୀ ବନ୍ଦୀ ଜୀବନ କାଟୁଛନ୍ତି । ସେମାନଙ୍କୁ ଭାରତକୁ ପ୍ରତ୍ୟାର୍ପଣ କରିବା ଲାଗି ଭାରତ ପକ୍ଷକୁ ପାକିସ୍ତାନ ନିକଟରେ ଦାବି କରାଯାଇଛି । ଦୁଇ ଦେଶ ମଧ୍ୟରେ କଥାବାର୍ତ୍ତା ମାଧ୍ୟମରେ ଦୁଇ ଦେଶରେ ବନ୍ଦୀ ଥିବା ପରସ୍ପରର ନାଗରିକଙ୍କୁ ଆବଶ୍ୟକ ସହଯୋଗରେ ମୁକ୍ତ କରାଯିବା ପ୍ରକ୍ରିୟା ମଧ୍ୟ ଜାରି ରହିଛି । ସେହିକ୍ରମରେ ଆଜି ଏହି ନିଷ୍ପତ୍ତି ନେଇଛି ପାକିସ୍ତାନ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ