ଇସଲାମାବାଦ: ଗତକାଲି ଇମ୍ରାନ ଖାନ ଅନାସ୍ଥାରେ ଗାଦି ଛାଡିବା ପୂର୍ବରୁ ପାକିସ୍ତାନ ସେନାମୁଖ୍ୟ ଜେନେରାଲ ଜାଭେଦ ବାଜଓ୍ବାଙ୍କୁ ପଦରୁ ବହିଷ୍କାର କରିଥିବା ଚର୍ଚ୍ଚା ସାମ୍ନାକୁ ଆସିଥିଲା । ଆଜି ଏପ୍ରକାର ଖବରକୁ ଖଣ୍ଡନ କରିଛି ପାକିସ୍ତାନ ସେନା । ପାକିସ୍ତାନ ସେନାର ଇଣ୍ଟର ସର୍ଭିସ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଇମ୍ରାନଙ୍କ ପକ୍ଷରୁ ସେପରି କିଛି କରାଯାଇ ନଥିବା ସହ ଏପରି ଚର୍ଚ୍ଚା ମିଥ୍ୟା ବୋଲି ସୂଚନା ଦିଆଯାଇଥିବା ପାକିସ୍ତାନ ଗଣମାଧ୍ୟମରେ ଖବର ପ୍ରସାରିତ ହୋଇଛି ।
ଗତକାଲି ପାକିସ୍ତାନ ଗଣମାଧ୍ୟମ ସମେତ କିଛି ଅନ୍ତର୍ଜାତୀୟ ଗଣମାଧ୍ୟମରେ ପାକିସ୍ତାନ ସେନାମୁଖ୍ୟଙ୍କ ବହିଷ୍କାର ନେଇ ଖବର ପ୍ରସାରିତ ହୋଇଥିଲା । କୌଣସି ପ୍ରତ୍ୟେକ୍ଷ ନାମ ନନେଇ ଇମ୍ରାନ ଆସନ୍ନ ପଦଚ୍ୟୁତ ଜାଣି ସାରିବା ପରେ ସେନାମୁଖ୍ୟ ବାଜଓ୍ବାଙ୍କୁ ସେନାର ସର୍ବୋଚ୍ଚ ପଦରୁ ହଟାଇବା ନେଇ କ୍ୟାବିନେଟ ବୈଠକ ପରେ ଘୋଷଣା କରିଥିବା କିଛି ଗଣମାଧ୍ୟମରେ ଖବର ପ୍ରସାରିତ ହୋଇଥିଲା । ତେବେ ଗତକାଲି ବିଳମ୍ବିତ ରାତିର ହାଇଭୋଲ୍ଟେଜ ଡ୍ରାମା ପରେ ଇମ୍ରାନଙ୍କ ସରକାରର ପତନ ହୋଇଛି । ପାକିସ୍ତାନ ସେନା ମଧ୍ୟ ସେନାମୁଖ୍ୟ ପରିବର୍ତ୍ତନ ପରି ଚର୍ଚ୍ଚାକୁ ଖଣ୍ଡନ କରାଯାଇଛି ।
ପକିସ୍ତାନ ଶାସନ ଗଣତାନ୍ତ୍ରିକ ହୋଇଥିଲେ ସୁଦ୍ଧା ସେନାର ପରୋକ୍ଷ ତଥା ବ୍ୟାପକ ପ୍ରଭାବ ରହିଥାଏ । ଶାସନ ଓ ସରକାରଙ୍କ ପରିଚାଳନାରେ ସେନା ହସ୍ତକ୍ଷେପ କରିବାର ଅତୀତରେ ଏକାଧିକ ଉଦାହରଣ ମଧ୍ୟ ରହିଛି । ବର୍ତ୍ତମାନ ଲାଗି ରହିଥିବା ସଙ୍କଟ ଓ ଇମ୍ରାନଙ୍କୁ ଗାଦିରୁ ହଟାଇବା ପଛରେ ସେନାର ଉଦ୍ଦେଶ୍ୟ ଥିବା ନେଇ ମଧ୍ୟ ଅନୁମାନ କରାଯାଉଥିଲା । ତେବେ ଦୀର୍ଘ ଦିନ ଧରି ଏପରି ସଙ୍କଟ ଲାଗି ରହିଥିବାବେଳେ ସେନା ଏଥିରେ ପ୍ରତ୍ୟେକ୍ଷ ସାମିଲ ନଥିବା କହି ଆସିଛି । ଏହାରି ମଧ୍ୟରେ ସେନାମୁଖ୍ୟ ଜେନେରାଲ ବାଜଓ୍ବାଙ୍କୁ ଇମ୍ରାନ ଖାନ ବହିଷ୍କାର କରିଥିବା ଖବର ଗତକାଲି ବିଳମ୍ବିତ ରାତିରେ ପ୍ରକାଶ ପାଇଥିଲା ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ