ନୂଆଦିଲ୍ଲୀ: ପାଇକ ବିଦ୍ରୋହକୁ ମଳିପାରେ ଦେଶର ପ୍ରଥମ ସ୍ବାଧୀନତା ସଂଗ୍ରାମର ମାନ୍ୟତା । ଏନେଇ କେନ୍ଦ୍ର ସରକାର କରୁଛନ୍ତି ବିଚାର ବିମର୍ଶ । ପାଇକ ବିଦ୍ରୋହକୁ ପ୍ରଥମ ସ୍ବାଧୀନତା ସଂଗ୍ରାମର ମାନ୍ୟତା ଦେବାକୁ ଶିକ୍ଷା ମନ୍ତ୍ରଣାଳୟ ବିଚାର କରିଛି ବୋଲି ସୂଚନା ମିଳିଛି ।
ରାଜ୍ୟସଭାରେ ଓଡିଶା ସାଂସଦ ପ୍ରସନ୍ନ ଆଚାର୍ଯ୍ୟଙ୍କ ଏକ ଅଣତାରକା ପ୍ରଶ୍ନର ଉତ୍ତର ଦେଇ କେନ୍ଦ୍ର ସଂସ୍କୃତି ଏବଂ ପ୍ରର୍ଯ୍ୟଟନ ମନ୍ତ୍ରୀ କହିଛନ୍ତି, ଓଡିଶା ସରକାରଙ୍କ ଏହି ପ୍ରସ୍ତାବ ଉପରେ ଶିକ୍ଷା ମନ୍ତ୍ରଣାଳୟର ଚାଲିଛି ।
ପାଇକ ବିଦ୍ରୋହର ୨ଶହ ବର୍ଷ ପୂର୍ତ୍ତି ଅବସରରେ କେନ୍ଦ୍ର ସରକାରଙ୍କ ବଜେଟରେ ବିଶେଷ ବ୍ୟବସ୍ଥା କରାଯାଇଥିଲା । ବ୍ରିଟିଶ ଶାସନ ବିରୋଧରେ ଦେଶର ପ୍ରଥମ ସଙ୍ଗଠିତ ସଶସ୍ତ୍ର ସଂଗ୍ରାମ ପାଇକ ବିଦ୍ରୋହ ଓଡିଶା ମାଟିରୁ ହିଁ ହୋଇଥିଲା ବୋଲି ଦୀର୍ଘ ଦିନରୁ ଦାବି ଉଠି ଆସୁଛି । ଏହି ଅନନ୍ୟ ଇତିହାସକୁ ଆଗାମୀ ଶତାବ୍ଦୀ ଶତାବ୍ଦୀ ପର୍ଯ୍ୟନ୍ତ ଓଡିଶା ଓ ସାରା ଦେଶର ଯବପିଢିଙ୍କ ପ୍ରେରଣାର ଉତ୍ସ କରିବା ପାଇଁ ଏହି ସ୍ମାରକୀ ନିର୍ମାଣର ପରିକଳ୍ପନା କରାଯାଇଥିଲା । ଓଡିଆ ଜାତିର ବୀରତ୍ବ ଓ ସ୍ବାଭିମାନର ଚିହ୍ନ ରୂପରେ ଏହି ସ୍ମାରକକୁ ବରୁଣେଇ ପାହାଡର ପାଦଦେଶରେ ଖୁବଶୀଘ୍ର ସମସ୍ତଙ୍କ ସହଯୋଗରେ ନିର୍ମିତ ହେବ ବୋଲି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ୨ ବର୍ଷ ତଳେ କହିଥିଲେ ।
ପାଇକ ବିଦ୍ରୋହର ୨୦୦ବର୍ଷ ପୂର୍ତ୍ତି ପାଳନ ପରିପ୍ରେକ୍ଷୀରେ ଖୋର୍ଦ୍ଧାର ବରୁଣେଇଠାରେ ପାଇକ ସ୍ମାରକୀ ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ ରାଷ୍ଟ୍ରପତି ରାମନାଥ କୋବିନ୍ଦ । ଅନ୍ୟାୟ ବିରୋଧରେ ଲଢ଼େଇ କରିବା ଥିଲା ପାଇକଙ୍କ ଧର୍ମ। ପାଇକ ବିଦ୍ରୋହ ସ୍ବାଧୀନତା ସଂଗ୍ରାମ ପାଇଁ ପ୍ରେରଣାର ଉତ୍ସ ଥିଲା। ଭାରତର ପ୍ରଥମ ରକ୍ତରଞ୍ଜିତ ସ୍ବାଧୀନତା ସଂଗ୍ରାମ ଖୋର୍ଦ୍ଧା ମାଟିରୁ ହିଁ ଆରମ୍ଭ ହୋଇଥିଲା ବୋଲି ଭାରତର ରାଷ୍ଟ୍ରପତି ରାମନାଥ କୋବିନ୍ଦ କହିଥିଲେ ।
ମାର୍ଚ୍ଚ ୨୯ତାରିଖ ୧୮୧୭ ମସିହାରେ ଘୁମୁସରକୁ ଶତାଧିକ ବ୍ୟକ୍ତି ବାଣପୁର ଅଭିମୁଖେ ଯାତ୍ରା ତଥା ଟ୍ରେଜେରୀ ଲୁଟ୍ ଇତ୍ୟାଦିରୁ ହିଁ ପାଇକ ବିଦ୍ରୋହ ସୂତ୍ରପାତ ହୋଇଥିଲା । ପାଇକ ବିଦ୍ରୋହୀ ଥିଲା ବାସ୍ତବ ପକ୍ଷେ ଇଂରେଜ ଶାସନ ବିରୁଦ୍ଧରେ ଏକ ଜନ ଆନ୍ଦୋଳନ । ଏଥିରେ ପାଇକ, ରୟତ, ଜମିଦାର ଦଳବେହେରା ସମସ୍ତେ ଇଂରେଜ ସରକାରଙ୍କ ଆର୍ଥିକ ଶୋଷଣ ବିରୁଦ୍ଧରେ ସ୍ବର ଉତ୍ତୋଳନ କରିଥିଲେ । ସିପାହୀ ବିଦ୍ରୋହର ଠିକ ଚାଳିଶବର୍ଷ ପୂର୍ବରୁ ଇଂରେଜ ଶାସନ ଉତ୍ପୀଡନ ବିରୁଦ୍ଧରେ ଏପରି ସଂଗ୍ରାମ ଯଥାର୍ଥରେ ଦେଶର ପ୍ରଥମ ସ୍ବାଧୀନତା ସଂଗ୍ରାମ ବୋଲି ଜୋର ଦେଇ କୁହାଯାଇପାରେ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ