ଶିମଲା: ହିମାଚଳ ପ୍ରଦେଶରେ ଅଭାବନୀୟ ଘଟଣା । ଦୂଷିତ ପାଣି ପିଇ ୩୦୦ ଜଣ ଅସୁସ୍ଥ ହୋଇଥିବା ସୂଚନା । ହିମାଚଳ ପ୍ରଦେଶର ହମିରପୁର ଜିଲ୍ଲାରୁ ସାମ୍ନାକୁ ଆସିଛି ଏଭଳି ଘଟଣା । ନାଦାଉନ ସବ ଡିଭିଜନର ପ୍ରାୟ ୧୨ଟି ଗ୍ରାମରେ ଦୂଷିତ ପାଣି ପିଇ ୩୦୦ ଜଣ ଅସୁସ୍ଥ ହୋଇଛନ୍ତି ।
ବନହ, ଜନ୍ଦାଲି ରାଜପୁତନ, ଜନ୍ଦଗି ଗୁଜରନ, ପନୟାଲା, ପଥିୟାଲୁ, ନିୟତି, ରଙ୍ଗସ ଚୌକି ହାର, ଥାଇନ ଏବଂ ଶଙ୍କର ସମେତ ୧୨ଟି ଗ୍ରାମର ଲୋକେ ପାଣି ପିଇ ଅସୁସ୍ଥ ହୋଇଛନ୍ତି । ଏନେଇ ରଙ୍ଗାସ ପଞ୍ଚାୟତର ମୁଖ୍ୟ ରାଜୀବ କୁମାର କହିଛନ୍ତି, "ଅସୁସ୍ଥ ଲୋକଙ୍କ ସଂଖ୍ୟା ୩୦୦ ଅତିକ୍ରମ କରିଛି । କିଛି ରୋଗୀ ଗୁରୁତର ହେବାରୁ ସେମାନଙ୍କୁ ହମିରପୁର ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଜଳ ଶକ୍ତି ବିଭାଗ ଦ୍ବାରା ପ୍ରଦାନ କରାଯାଉଥିବା ପାଣି ପିଇବା ଦ୍ବାରା ପ୍ରତ୍ୟେକ ପରିବାରର ୨ରୁ ୩ଜଣ ଆହତ ହୋଇଛନ୍ତି । ରବିବାର ଦିନ ପାଣି ପିଇବା ପରେ ଲୋକେ ଅସୁସ୍ଥ ଅନୁଭବ କରୁଛନ୍ତି । ପାଣିରେ ଅଧିକ ମାତ୍ରାରେ ବ୍ୟାକ୍ଟେରିଆ ରହିଥିବା ଯୋଗୁଁ ଲୋକେ ଅସୁସ୍ଥ ହୋଇଥିବା ନେଇ ଅନୁମାନ କରାଯାଉଛି । ଯେଉଁଠୁ ଜଳ ଯୋଗାଣ ହେଉଛି ସେଠାରେ ହିଁ ପାଣି ଦୂଷିତ ରହିଥାଇପାରେ । ତେଣୁ ସେହି ପାଣି ପିଇବା ଦ୍ବାରା ଲୋକେ ଅସୁସ୍ଥ ହେଲେ ।"
ଏନେଇ ଗ୍ରାମବାସୀ ଅଭିଯୋଗ କରି କହିଛନ୍ତି, "ନିର୍ମାଣଧୀନ ଟାଙ୍କିରୁ ପାଣି ଫିଲ୍ଟର ନକରାଯାଇ ଯୋଗାଣ ହୋଇଥିଲା । ସେହି ପାଣି ପିଇବା ଦ୍ବାରା ଲୋକେ ଅସୁସ୍ଥ ହୋଇଥିଲେ । " ଏହି ଘଟଣାକୁ ନେଇ ହିମାଚଳ ମୁଖ୍ୟମନ୍ତ୍ରୀ ତଥା ନଉଦାନର ବିଧାୟକ ସୁଖବିନ୍ଦର ସୁଖୁ ଆକ୍ସନ ମୋଡକୁ ଆସିଛନ୍ତି । ରୋଗୀମାନେ ଯେଭଳି ଉତ୍ତମ ଚିକିତ୍ସା ଏବଂ ଠିକ ପରିମାଣରେ ଔଷଧ ପାଇପାରିବେ ସେନେଇ ଜିଲ୍ଲା ପ୍ରଶାସନ ଏବଂ ସ୍ବାସ୍ଥ୍ୟ ବିଭାଗକୁ ନିର୍ଦ୍ଦେଶ ଦେଇଛନ୍ତି ।
ଅନ୍ୟପଟେ ଜଳ ଶକ୍ତି ବିଭାଗର ଅଧିକାରୀମାନେ ମଧ୍ୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି । ଗ୍ରାମକୁ ଜଳଯୋଗାଣ ବନ୍ଦ କରିବା ସହ ପରୀକ୍ଷା ପାଇଁ ପଠାଯାଇଛି । ଆଜି ରିପୋର୍ଟ ଆସିବା ପରେ ତଦନ୍ତ କରାଯାଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ବୋଲି ବିଭାଗୀୟ ଅଧିକାରୀ କହିଛନ୍ତି ।
ତେବେ ଜଳ ଯୋଗାଣ ବନ୍ଦ କରିବା ପରେ ଲୋକମାନଙ୍କୁ ବୋତଲ ପାଣି ବଣ୍ଟନ କରାଯାଉଥିବା ନେଇ ଜୁନିଅର ଇଞ୍ଜିନିୟର କହିଛନ୍ତି । ଡେପୁଟି କମିଶନର ଦେବସ୍ବେତା ବାନିକ କହିଛନ୍ତି, "ଡାକ୍ତର, ସ୍ବାସ୍ଥ୍ୟକର୍ମୀ ଏବଂ ଆଶା କର୍ମଚାରୀମାନେ ପ୍ରତି ଗ୍ରାମକୁ ଯାଇ ଲୋକମାନଙ୍କ ସ୍ବାସ୍ଥ୍ୟବସ୍ଥା ପଚାରି ବୁଝିଛନ୍ତି । ଏହାସହ ଗ୍ରାମବାସୀଙ୍କୁ ମାଗଣା ଔଷଧ, ଓଆରଏସ ପ୍ୟାକେଟ, କ୍ଲୋରିନ ଟାବଲେଟ ଏବଂ ଅନାନ୍ୟ ସାମଗ୍ରୀ ଯୋଗାଇ ଦିଆଯାଇଛି ।