ଗାନ୍ଧିନଗର: ଗୁଜୁରାଟର ସୁରଟ ଅଞ୍ଚଳରେ ଜଣେ ଓଡିଆ ଛାତ୍ରୀଙ୍କ ସନ୍ଦେହଜନକ ମୃତ୍ୟୁ ଖବର ସାମ୍ନାକୁ ଆସିଛି । କଫି ପିଉଥିବାବେଳେ ଛାତ୍ରୀଜଣଙ୍କ ତଳେ ପଡିଯିବା ସହ ମୁର୍ମୁଷୁ ହୋଇଯାଇଥିଲେ । ପରେ ତାଙ୍କୁ ହସ୍ପିଟାଲ ନିଆଯାଇଥିଲା । ହେଲେ ହସ୍ପିଟାଲରେ ପହଞ୍ଚିବା ପୂର୍ବରୁ ଛାତ୍ରୀଙ୍କ ମୃତ୍ୟୁ ହୋଇଯାଇଥିଲା । ତେବେ ଛାତ୍ରୀଙ୍କ ସହ ଥିବା ତାଙ୍କ ପୁରୁଷ ବନ୍ଧୁ ଫେରାର ହୋଇଯିବା ଘଟଣାକୁୁ ଆହୁରି ସନ୍ଦେହଜନକ କରିଛି । ଏହି ଘଟଣାରେ ଉକ୍ତ କଫି ଷ୍ଟଲର ମ୍ୟାନେଜରଙ୍କୁ ପୋଲିସ ଅଟକ ରଖିବା ସହ ତଦନ୍ତ ଆରମ୍ଭ କରିଛି । ଛାତ୍ରୀଙ୍କ ପରିବାର ଓଡିଶାର ଗଞ୍ଜାମ ଜିଲ୍ଲାର ହୋଇଥିବାବେଳେ ଦୀର୍ଘବର୍ଷ ହେବ ସପରିବାର ଗୁଜୁରାଟରେ ରହୁଥିଲେ ।
ମିଳିଥିବା ସୂଚନା ଅନୁସାରେ, ଗତକାଲି ବିଳମ୍ବିତ ରାତିରେ ସୁରଟର ଭେସୁ ଅଞ୍ଚଳରେ ଥିବା ଏକ କଫି କାଫେରେ ଛାତ୍ରୀଜଣଙ୍କ ନିଜ ବନ୍ଧୁଙ୍କ ସହ କଫି ପିଉଥିବାବେଳେ ହଠାତ ଅଚେତ ହୋଇପଡିଥିଲେ । ଏହା ଦେଖି ତାଙ୍କୁ 108 ମାଧ୍ୟମରେ ସିଭିଲ ହସ୍ପିଟାଲକୁ ନିଆଯାଇଥିଲା । କିନ୍ତୁ ହସ୍ପିଟାଲରେ ତାଙ୍କୁ ଚେତାଶୂନ୍ୟ ଅବସ୍ଥାରେ ମୃତ ଘୋଷଣା କରିଥିଲେ ଡାକ୍ତର । ଛାତ୍ରୀଙ୍କ ମୃତ୍ୟୁ ପରେ ତାଙ୍କ ସହ ଥିବା ଛାତ୍ର ଫେରାର ଥିବା ଜଣାପଡିଛି । ଛାତ୍ରୀଙ୍କ ପରିବାର ଲୋକ ଏହା ଏକ ହତ୍ୟାକାଣ୍ଡ ବୋଲି ଅଭିଯୋଗ ଆଣିବା ସହ ଫେରାର ଛାତ୍ରକୁ ଦାୟୀ କରିଛନ୍ତି । ମୃତ ଛାତ୍ରୀଙ୍କ ପରିବାର ଓଡ଼ିଶାର ଗଞ୍ଜାମ ଜିଲ୍ଲାର ପୋଲସରା ଅଞ୍ଚଳର ହୋଇଥିବା ବେଳେ ଦୀର୍ଘବର୍ଷ ହେବ ସୁରଟରେ ରହିଆସୁଥିଲେ ।
ଏପରି ଅଭିଯୋଗ ପରେ କଫି କାଫେର ମ୍ୟାନେଜରଙ୍କୁ ଗିରଫ କରି ତଦନ୍ତ ଆରମ୍ଭ କରିଛି ସ୍ଥାନୀୟ ଖାଟୋଡାରା ପୋଲିସ । ସେହିପରି କଫି ପିଉଥିବା ଓ ପରେ 108 ଆମ୍ବୁଲାନ୍ସକୁ ଫୋନ କରି ଫେରାର ହୋଇଯାଇଥିବା ଛାତ୍ରଙ୍କୁ ପୋଲିସ ଖୋଜାଖୋଜି ଆରମ୍ଭ କରିଛି । ସିସିଟିଭି ଫୁଟେଜରୁ କିଛି ତଥ୍ୟମିଳିପାରେ ବୋଲି ଆଶା କରାଯାଉଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ