ନୂଆଦିଲ୍ଲୀ: ମହାମାରୀ ବିରୋଧରେ ଭାରତୀୟ ସ୍ବଦେଶୀ ଟିକା କୋଭାକ୍ସିନକୁ ନେଇ ବ୍ରାଜିଲ ସରକାରଙ୍କ ବଡ ନିଷ୍ପତ୍ତି । ନିଜ ନାଗରିକଙ୍କ ପାଇଁ ଭାରତ ବାୟୋଟେକ ପାଖରୁ କିଣିବାକୁ ଥିବା 32 କୋଟି ଡଲାର ଟିକାର କଣ୍ଟ୍ରାକ୍ଟକୁ ସ୍ଥଗିତ କଲେ ସରକାର ।
ବ୍ରାଜିଲ ସ୍ବାସ୍ଥ୍ୟମନ୍ତ୍ରୀ ମାର୍ସଲୋ ଏହି ଘୋଷଣା କରିଛନ୍ତି । ଚୁକ୍ତି ଅନୁସାରେ ଭାରତ ବାୟୋଟେକ ଠାରୁ ବ୍ରାଜିଲ ସରକାର 2 କୋଟି ଡୋଜ କିଣିଥାନ୍ତେ । କିନ୍ତୁ ଏହି ଚୁକ୍ତିକୁ ନେଇ ବ୍ରାଜିଲରେ ରାଜନୀତି ଆରମ୍ଭ ହେବା ସହ ରାଷ୍ଟ୍ରପତି ଜାୟର ବୋଲସନାରାଙ୍କ ବିରୋଧରେ ଭ୍ରଷ୍ଟାଚାରର ଅଭିଯୋଗ ଆସିଥିଲା ।
ଟିକା ପାଇଁ ବ୍ରାଜିଲ ସରକାର ଓ ଭାରତ ବାୟୋଟେକ ମଧ୍ୟରେ ହୋଇଥିବା ବୁଝାମଣାକୁ ନେଇ ବ୍ରାଜିଲ ସରକାରଙ୍କୁ ଘେରିବାରେ ଲାଗିଥିଲେ ବିରୋଧୀ । ବୋଲସନାରା ପ୍ରଶାସନ ଦେଶର ବିରୋଧୀଙ୍କୁ ସଫେଇ ଦେଲେ ମଧ୍ୟ ଏହାର କୌଣସି ପ୍ରଭାବ ପଡିନଥିଲା । ଏପରି ଆହୁରି ଯୁକ୍ତି ଓ ତଥ୍ୟ ସହ ପ୍ରସଙ୍ଗ ଯାଇ ଦେଶର ସୁପ୍ରିମକୋର୍ଟ ପାଖରେ ପହଞ୍ଚିଥିଲା । ଯାହାକୁ ନେଇ ଚାପରେ ଥିଲେ ବ୍ରାଜିଲ ସରକାର । ଏପରି ସ୍ଥଳେ ଚୁକ୍ତି ସ୍ଥଗିତ କରିବାକୁ ବାଧ୍ୟ ହେଲେ ବ୍ରାଜିଲ ସରକାର । ବ୍ରାଜିଲ ଗଣମାଧ୍ୟମର ରିପୋର୍ଟ ଅନୁସାରେ ଯେପର୍ଯ୍ୟନ୍ତ ମାମଲାର ସମ୍ପୂର୍ଣ୍ଣ ଯାଞ୍ଚ ଶେଷ ହୋଇନାହିଁ ସେ ପର୍ଯ୍ୟନ୍ତ ଚୁକ୍ତି ସ୍ଥଗିତ ରହିବ ।
ଚୁକ୍ତିରେ କଣ ରହିଛି ଦୁର୍ନୀତିର ଅଭିଯୋଗ-
ଚୁକ୍ତିକୁ ନେଇ ଅଭିଯୋଗ ହେଉଛି କି ସରକାର ଭାରତ ବାୟୋଟେକ ଠାରୁ ଟିକା କିଣିବାକୁ ସ୍ବାସ୍ଥ୍ୟ ମନ୍ତ୍ରଣାଳୟର ଅଧିକାରୀଙ୍କ ଉପରେ ଚାପ ପକାଇଥିଲେ । ଯାହା ରାଷ୍ଟ୍ରପତି ଜାୟର ବୋଲସନାରା ମଧ୍ୟ ଜାଣିଥିଲେ । ଏହାସତ୍ବେ ସେ ଚୁପ ରହିଥିଲେ । ଫଳରେ ଦେଶର ରାଜକୋଷରୁ ମହଙ୍ଗା ଟିକା କିଣିବା ପାଇଁ ରାସ୍ତା ସଫା ହୋଇଥିଲା । ପ୍ରସଙ୍ଗକୁ ନେଇ ଦେଶର ସଂସଦୀୟ ପ୍ୟାନେଲ ଓ କୋରୋନା ପ୍ରବନ୍ଧନ କମିଟି ମଧ୍ୟ ଯାଞ୍ଚ କରୁଛି । ସେପଟେ କୋଭାକ୍ସିନ ଠାରୁ ଶସ୍ତା ଫାଇଜର ଟିକା କିଣିବାକୁ ମଧ୍ୟ ବ୍ରାଜାଲ ସରକାରଙ୍କ ପାଖରେ ସୁଯୋଗ ଥିଲା । କିନ୍ତୁ ମହଙ୍ଗା କୋଭାକ୍ସିନ ପାଇଁ କାହିଁକି ସରକାର ଚୁକ୍ତି କରିଥିଲେ ତାହାକୁ ନେଇ ଉଠିଥିବା ପ୍ରଶ୍ନର ମଧ୍ୟ ସଠିକ ଜବାବ ଦେଇପାରିନଥିଲେ ବ୍ରାଜିଲ ସରକାର ।
@ANI