ନୂଆଦିଲ୍ଲୀ: ଆଜି(ମଙ୍ଗଳବାର) ସଂସଦର ଅଧିବେଶନ ପୂର୍ବରୁ ବିରୋଧୀଙ୍କୁ କାଉଣ୍ଟର କରିବା ପାଇଁ ବସିଥିଲା ବିଜେପିର ସଂସଦଙ୍କ ବୈଠକ । ବୈଠକରେ ବିଜେପିର ସମସ୍ତ ସାଂସଦଙ୍କ ସମେତ ପ୍ରଧାନମନ୍ତ୍ରୀ, ଗୃହମନ୍ତ୍ରୀ ଓ ଦଳର ରାଷ୍ଟ୍ରୀୟ ଅଧ୍ୟକ୍ଷ ଥିଲେ ସାମିଲ ।
ବୈଠକରେ ସାଂସଦ ମାନଙ୍କୁ ଉଦବୋଧନ ଦେଇ ପ୍ରଧାନମନ୍ତ୍ରୀ କହିଥିଲେ ବିରୋଧୀଙ୍କ ପାଖରେ କୌଣସି ମୁଦ୍ଦା ନଥିବାରୁ ଜାଣିଶୁଣି ଗୃହକୁ ଅଚଳ କରୁଛନ୍ତି । ଯାହା ସଂସଦ, ସମ୍ବିଧାନ, ଗଣତନ୍ତ୍ର ଓ ଜନତାଙ୍କ ପ୍ରତି ଅପମାନ । ଏହାସହ ବିଭିନ୍ନ ପ୍ରସଙ୍ଗକୁ ନେଇ ବିରୋଧୀଙ୍କ ଉପରେ ପ୍ରବଳ ବର୍ଷିଛନ୍ତି ମୋଦି । ଦଳୀୟ ସାଂସଦଙ୍କୁ ଉଦବୋଧନ ଦେବା ଅବସରରେ ମୋଦି କହିଛନ୍ତି ବିରୋଧୀଙ୍କ ଆଚରଣ ଜନତା ଓ ସଂସଦ ଉଭୟଙ୍କ ଅପମାନ । ସରକାର ସମସ୍ତ ପ୍ରସଙ୍ଗରେ ଆଲୋଚନା ପାଇଁ ପ୍ରସ୍ତୁତ ଅଛନ୍ତି । ବିରୋଧୀ ଆଲୋଚନା କରିବା ପରିବର୍ତ୍ତେ ବିଶୃଙ୍ଖଳା କରୁଛନ୍ତି । ଏହାକୁ ଦେଶର ଜନତା ଜାଣିବା ଜରୁରୀ । ସାଂସଦ ବିଧାୟକ ଓ ରାଜ୍ୟ ସରକାର ମାନେ ଏହାକୁ ନେଇ ଲୋକଙ୍କ ପାଖକୁ ଯିବାକୁ ଦେଲେ ନିର୍ଦ୍ଦେଶ ।
ବୈଠକ ପରେ ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ ବିରୋଧୀଙ୍କୁ ଆହ୍ବାନ ଦେଇ କହିଥିଲେ ସରକାର ସମସ୍ତ ପ୍ରସଙ୍ଗରେ ଆଲୋଚନା ପାଇଁ ପ୍ରସ୍ତୁତ ଅଛନ୍ତି । ବିରୋଧୀ ପ୍ରସଙ୍ଗ ଭିତ୍ତିକ ଓ ନିୟମ ଅନୁସାରେ ଆଲୋଚନା ପାଇଁ ଆସନ୍ତୁ ବୋଲି କହିଥିଲେ । ବୈଠକ ପୂର୍ବରୁ ଗତ କ୍ୟାବିନେଟରେ ଓବିସିଙ୍କୁ ଗୁରୁତ୍ବ ଓ ବିଭିନ୍ନ ଜନ କଲ୍ୟାଣକାରୀ ଯୋଜାନ ପାଇଁ ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଦିଆଯାଇଥିଲା । ଏହାବାଦ ଆଗାମୀ ରଣନୀତି ସରକାରଙ୍କ କଣ ରହିବ ଦଳୀୟ ସାଂସଦ ମାନେ କଣ କରିବେ ତାହା ନିର୍ଦ୍ଧାରଣ କରାଯାଇଥିଲା ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ