ନୂଆଦିଲ୍ଲୀ: ଆଜି ବିଶ୍ବ ମଧୁମେହ ଦିବସ । ଏହି ଅବସରରେ ଭାରତୀୟ ସେନାର ସଶସ୍ତ୍ର ବାହିନୀ କ୍ଲିନିକ ପକ୍ଷରୁ ଏକ ସାଇକେଲ ରାଲିର ଆୟୋଜନ କରାଯାଇଛି । ଇଣ୍ଡିଆ ଗେଟରୁ ୱାର ମେମୋରିଆଲ ପର୍ଯ୍ୟନ୍ତ ସାଇକେଲ ରାଲିର ଆୟୋଜନ କରାଯାଇଛି । ଏହି ରାଲିରେ ସେନାର ଅନେକ ବରିଷ୍ଠ ଅଧିକାରୀ ଯୋଗଦେଇଛନ୍ତି । ସାଇକେଲ ବ୍ୟବହାର କରି ମଧୁମେହକୁ ଦୂରେଇବା ପାଇଁ ବାର୍ତ୍ତା ଦିଆଯାଇଛି ।
ପ୍ରତିବର୍ଷ ନଭେମ୍ବର ୧୪ ତାରିଖକୁ ‘ବିଶ୍ବ ମଧୁମେହ ଦିବସ ଭାବେ ପାଳନ କରାଯାଉଛି । ଅନ୍ତର୍ଜାତୀୟ ଡାଇବେଟିସ୍ ଫେଡେରେସନ୍ ଏବଂ ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନର ମିଳିତ ଆନୁକୂଲ୍ୟରେ ୧୯୯୧ ମସିହା ଠାରୁ ଏହା ପାଳିତ ହୋଇଆସୁଛି । ଏହି ଦିବସ ପାଳନର ମୁଖ୍ୟ ଲକ୍ଷ୍ୟ ହେଉଛି ଶିବିର, ସ୍ବାସ୍ଥ୍ୟ ସମ୍ବନ୍ଧିତ ବାର୍ତ୍ତା, ସଭା ସମେତ ବିଭିନ୍ନ କାର୍ଯ୍ୟକ୍ରମ ମାଧ୍ୟମରେ ଜନସଚେତନା ସୃଷ୍ଟି କରିବା ।
ତେବେ କୋରୋନା କାଳରେ ମଧୁମେହ ରୋଗୀ ସାବଧାନତା ଅବଲମ୍ବନ କରିବା ଜରୁରୀ ହୋଇପଡିଛି । ସାଧାରଣ ଲୋକଙ୍କ ଅପେକ୍ଷା କୋଭିଡ ସଂକ୍ରମିତ ରୋଗୀଙ୍କ କ୍ଷେତ୍ରରେ ଏହି ସଂକ୍ରମଣ ସାଙ୍ଘାତିକ ହେବାର ସମ୍ଭାବନା ରହିଛି । ମଧୁମେହ ରୋଗୀଙ୍କ ଦେହରେ ଅତିଶୀଘ୍ର ଏହା ମାଡି ଯାଉଥିବା ବେଳେ ଶର୍କରା ମାତ୍ରାରେ ବ୍ୟତିକ୍ରମ ଦେଖିବାକୁ ମିଳିଥାଏ । ସେଥିପାଇଁ ରକ୍ତ ଶର୍କରାକୁ ନିୟନ୍ତ୍ରଣରେ ରଖିବା ଜରୁରୀ ।