ନୂଆଦିଲ୍ଲୀ: ଜାମ୍ମୁ-କାଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ନ୍ୟାସନାଲ କନଫରେନ୍ସର ନେତା ଫାରୁକ ଅବଦୁଲ୍ଲା ଓ ତାଙ୍କ ପୁଅ ଉମର ଅବଦୁଲ୍ଲାଙ୍କୁ ନଜରବନ୍ଦୀ କରାଯାଇଛି । ଶ୍ରୀନଗର ସ୍ଥିତ ବାସସ୍ଥାନରେ ନଜରବନ୍ଦୀ ରଖାଯାଇଛି । ଟ୍ବିଟ କରି ସୂଚନା ଦେଲେ ଉମର ଅବଦୁଲ୍ଲା । ଅନ୍ୟପକ୍ଷେ ପିଡିପି ମୁଖ୍ୟ ମହବୁବା ମୁଫତୀଙ୍କୁ ପୁଲୱାମା ଯିବାକୁ ଅନୁମତି ଦିଆଯାଇନାହିଁ ।
ପ୍ରକାଶଥାଉକି, ଉମର ଅବଦୁଲ୍ଲାଙ୍କ ଘର ସାମ୍ନାରେ ମୋବାଇଲ ସିକ୍ୟୁରିଟି ଗାଡି ଠିଆ ହୋଇଛି । ଉମର ଆଜି ଗୁଲମର୍ଗ ଯାଇଥାନ୍ତେ, ଏହାସହ ପିତା ଫାରୁକ ଅବଦୁଲ୍ଲା କାଶ୍ମୀରଘାଟିର ଗୋନ୍ଦରବଲ କ୍ଷେତ୍ର ପରିଦର୍ଶନ କରିଥାନ୍ତେ । ତେବେ ପୋଲିସ ଏନେଇ କହିଛି ଯେ, ପୁଲୱାମା ଆକ୍ରମଣକୁ 2 ବର୍ଷ ପୂରଣ ହେଉଥିବାରୁ ଏହି ପଦକ୍ଷେପ ଗ୍ରହଣ କରାଯାଇଛି ।
ଅନ୍ୟପକ୍ଷେ ଉମର ଟ୍ବିଟ କରି କହିଛନ୍ତି, ‘ ଅଗଷ୍ଟ 2019 ପରଠାରୁ ଏହା ନୂଆ ଜାମ୍ମୁ-କାଶ୍ମୀର । କିଛି ନ କହି ଆମକୁ ଘରେ ନଜରବନ୍ଦୀ ରଖାଯାଇଛି । ଏହା ବହୁତ ଖରାପ କଥା କି ମୋ ସାଂସଦ ପିତାଙ୍କୁ ମଧ୍ୟ ନଜରବନ୍ଦୀ ରଖାଯାଇଛି । ଏହାସହ ମୋ ଭଉଣୀ ଓ ଛୁଆଙ୍କୁ ମଧ୍ୟ ଘରେ ବନ୍ଦ ରଖାଯାଇଛି’ । ଉମର ଅବଦୁଲ୍ଲାଙ୍କୁ ଗତ ବର୍ଷ 24 ମାର୍ଚ୍ଚରୁ ନଜରବନ୍ଦୀରୁ ମୁକ୍ତ କରିବାପରେ ଘରକୁ ଫେରିଥିଲେ । ଧାରା 370 ଉଚ୍ଛେଦ ପରେ ଅବଦୁଲ୍ଲାଙ୍କୁ ହେପାଜତରେ ନିଆଯାଇଥିଲା । 232 ଦିନ ନଜରବନ୍ଦୀ ରହିବା ପରେ ତାଙ୍କୁ ମୁକ୍ତ କରାଯାଇଥିଲା ।