ନୂଆଦିଲ୍ଲୀ: ନବରଙ୍ଗପୁର ଜିଲ୍ଲା ଝରୀଗାଁ ବ୍ଲକ ବଣୁଆଗୁଡା ଗ୍ରାମ ପଞ୍ଚାୟତର ସୂର୍ଯ୍ୟା ହରିଜନ । ପାଦରେ ଶକ୍ତି ନଥିବା ବେଳେ ଚାଲିବାକୁ ସେଥିଲେ ଅକ୍ଷମ । ଏଣୁ ପେନସନ ଟଙ୍କା ପାଇବା ପାଇଁ ଚଉକି ଭରସାରେ ଚାଲି ଚାଲି ଯାଉଥିଲେ କୋଷେ ଦୂର । କିନ୍ତୁ ଆଙ୍ଗୁଠି ମିଶୁ ନଥିବାରୁ ପେନସନ ପାଇବାରୁ ସେ ହେଉଥିଲେ ବଞ୍ଚିତ । ଯାହାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ଏହା କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ନଜରକୁ ମଧ୍ୟ ଆସିଛି । ଜଣେ ବୃଦ୍ଧାଙ୍କ ଏପରି ଅବସ୍ଥା ଅର୍ଥମନ୍ତ୍ରୀଙ୍କୁ ବ୍ୟଥିତ କରିଛି । ବୃଦ୍ଧା ଜଣଙ୍କ ଭିଡିଓ ଟ୍ବିଟରରେ ସେୟାର କରି ଉଦବେଗ ପ୍ରକାଶ କରିଛନ୍ତି ନିର୍ମଳା ସୀତାରମଣ । ପେନସନ ପାଇଁ ଜଣେ ବୃଦ୍ଧା କିଭଳି କଷ୍ଟ ପାଉଛନ୍ତି ତାହା ଅର୍ଥମନ୍ତ୍ରୀଙ୍କୁ ବେଶ ବ୍ୟଥିତ କରିଛି । ଏସବିଆଇ ବ୍ୟାଙ୍କ ବୃଦ୍ଧାଙ୍କ ପ୍ରତି ମାନବିକତା ଦେଖାଇବା ଦରକାର ବୋଲି ଟ୍ବିଟରରେ କହିଛନ୍ତି କେନ୍ଦ୍ର ଅର୍ଥମନ୍ତ୍ରୀ ସୀତାରମଣ ।
ସେ ଟ୍ବଟ କରି କହିଛନ୍ତି, ''ଏହି ଘଟଣା ଅତ୍ୟନ୍ତ ଦୁଃଖ ଦାୟକ । ଷ୍ଟେଟ ବ୍ୟାଙ୍କ ଅଫ୍ ଇଣ୍ଡିଆ ଓ ଫାଇନାସିଆଲ ସର୍ଭିସ ଡାପାର୍ଟମେଣ୍ଟ ଏଥିପ୍ରତି ଧ୍ୟାନ ଦେବା ଦରକାର ଓ ମାନବିକତା ଦେଖାଇବା ଆବଶ୍ୟକ ।" ସେ ଆହୁରି ମଧ୍ୟ ପ୍ରଶ୍ନ କରିଥିଲେ ଯେ, ସେଠାରେ କୌଣସି ବ୍ୟାଙ୍କ ମିତ୍ର ଅଛି ନା ନାହିଁ।
କେନ୍ଦ୍ର ଅର୍ଥମନ୍ତ୍ରୀଙ୍କ ଏହି ଟ୍ବିଟକୁ ନେଇ ଉତ୍ତର ରଖିଛନ୍ତି ଏସବିଆଇ କର୍ତ୍ତୃପକ୍ଷ । ବ୍ୟାଙ୍କ ତରଫରୁ କୁହାଯାଇଛି ଯେ, ମ୍ୟାଡାମ ଏହି ଭିଡିଓ ଆମ ନଜରକୁ ମଧ୍ୟ ଆସିଛି। ବୃଦ୍ଧା ମହିଳାଙ୍କୁ ଏପରି ଅବସ୍ଥା ଦେଖିବା ପରେ ଆମେ ମଧ୍ୟ ସମାନ ଯନ୍ତ୍ରଣା ଅନୁଭବ କରୁଛୁ । ନବରଙ୍ଗପୁରର ସୂର୍ଯ୍ୟ ହରିଜନ ତାଙ୍କ ଗ୍ରାମର ସିଏସପି ପଏଣ୍ଟରୁ ପ୍ରତିମାସରେ ପେନସନ ଟଙ୍କା ନେବା ପାଇଁ ଯାଇଥାନ୍ତି । କିନ୍ତୁ ସିଏସପି ପଏଣ୍ଟରେ ତାଙ୍କର ଟିପ ଚିହ୍ନ ମିଶିନଥିଲା ।
ଏହାପରେ ସେ ତାଙ୍କ ସମ୍ପର୍କୀୟଙ୍କ ସହ ଆମର ଝରିଗାଓଁ ବ୍ରାଞ୍ଚକୁ ଆସିଥିଲେ । ଆମର ବ୍ରାଞ୍ଚ ମ୍ୟାନେଜର ତୁରନ୍ତ ତାଙ୍କ ଆକାଉଣ୍ଟକୁ ପେନସନ ପଠାଇଥିଲେ। ଆସନ୍ତା ମାସରୁ ପେନସନ ଟଙ୍କା ତାଙ୍କ ଘରେ ପହଞ୍ଚିବ ବୋଲି ଆମର ବ୍ରାଞ୍ଚ ମ୍ୟାନେଜର ମଧ୍ୟ ସୂଚନା ଦେଇଛନ୍ତି। ଏସବିଆଇ ତରଫରୁ ସୂର୍ଯ୍ୟ ହରିଜନଙ୍କୁ ଏକ ହ୍ୱିଲ ଚେୟାର ଦିଆଯିବା ନେଇ ମଧ୍ୟ ପ୍ରତିଶୃତି ମିଳିଛି।
ଅନ୍ୟପଟେ ଏହି ଖବର ବାଜିବା ପରେ ସୂର୍ଯ୍ୟାଙ୍କ ଘରେ ପହଞ୍ଚିଥିଲେ ବିଧାୟକ ପ୍ରକାଶ ଚନ୍ଦ୍ର ମାଝୀ, ଝରୀଗାଁ ବ୍ଲକ ଅଧ୍ୟକ୍ଷ ଦୁର୍ଗା ମାଝୀ , ସାଂସଦ ପ୍ରତିନିଧି ପ୍ରିୟରଞ୍ଜନ ଦାସ ଏବଂ ନବରଙ୍ଗପୁର ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ସୁଧାଂଶୁ କୁମାର । ସ୍ଥିତି ଅନୁଧ୍ୟାନ ପରେ ପ୍ରଶାସନ ତରଫରୁ ସୂର୍ଯ୍ୟଙ୍କୁ ଯୋଗାଇ ଦିଆଯାଇଛି ହ୍ୱିଲ ଚେୟାର, ମାସକୁ ଦଶ କେଲୋଗ୍ରାମ ଚଉଳ। ଏଥିସହ ମାସିକ ସାତଶହ ଟଙ୍କା ପେନସନ ଦିଆଯିବ ବୋଲି ସୂଚନା ଦେଇଛନ୍ତି ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ।